ପାଣି ପାଇଁ ଯୁଝି ହେଉଛନ୍ତି ଦୟାପୋଷି ଗ୍ରାମବାସୀ

କରଞ୍ଜିଆ ଗୋଲେଇ:  ଗ୍ରୀଷ୍ମପ୍ରବାହ ଯୋଗୁ ଅନେକ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି। ଭୂତଳ ଜଳସ୍ତର ନିମ୍ନଗାମୀ ହେବା ସହିତ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଲାଣି। ରରୁଆଁ ବ୍ଲକ ଅନ୍ତର୍ଗତ ଦୟାପୋଷି ଗାଁ ସ୍କୁଲସାହି ଓ ମଝିସାହିରେ ଏହି ସମସ୍ୟା ଦେଖାଦେଇଛି। ଏଠାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ଏହି ଦୁଇ ସାହି ମଧ୍ୟରେ ରାତି ପାହିଲେ ପାଣି ପାଇଁ ସଂଘର୍ଷ ଆରମ୍ଭ ହୋଇଯାଏ। କିଏ ଆଗ ଘରକୁ ପାଣି ନେବ। କେବଳ ଖରାଦିନ ନୁହଁ ସବୁଦିନ ଏହି ସମସ୍ୟା ଲାଗି ରହିଥାଏ। ଦୁଇ ସାହିରେ ପ୍ରାୟ ୧୩୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି।

ଆଗରୁ ୨ଟି ନଳକୂଅ ଥିଲା। ସେଥିରୁ ସ୍କୁଲସାହିର ନଳକୂଅ ଅଚଳ। ଏହା ଉପରେ ୬୦ ପରିବାର ଚଳି ଆସୁଥିଲେ। ଏବେ ପ୍ରବଳ ଖରା ଯୋଗୁ ୬୦ ପରିବାର ଡହଳବିକଳ ହେଉଛନ୍ତି। ପ୍ରତିଦିନ ୧କିମି ଚାଲି  ମଝିସାହିକୁ ପାଣି ପାଇଁ ଯାଉଛନ୍ତି। ହେଲେ ଦୁଇସାହି ପାଇଁ ଗୋଟିଏ ନଳକୂଅ ଥିବାରୁ ବେଳେ ବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥାଏ। ସ୍କୁଲସାହିଙ୍କ ଅଭିଯୋଗକ୍ରମେ ନଳକୂଅ ଖରାପ ହେବା ପରେ ବ୍ଲକ୍‌ ପ୍ରଶାସନିକ ଅଧିକାରୀ, ସରପଞ୍ଚ ଠାରୁ ଆରମ୍ଭ କରି ପିଇଓ, ବିଡିଓ, ଜଳ ଯୋଗାଣ ବିଭାଗର ଜେଇ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇବା ପରେ ମଧ୍ୟ ମରାମତିର ନାଁ ନେଉନାହାନ୍ତି। ଶେଷରେ ସାହିବାସୀ ଆନ୍ଦୋଳନପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ବସୁଧା ଯୋଜନାଏଠି ଫେଲ୍‌ ମାରିଛି। ଯୋଜନାରେ ଗାଁରେ ନିର୍ମାଣ ହୋଇଥିବା ପାଣିଟାଙ୍କି ମଧ୍ୟ ଅଚଳ। ପାଇପ୍‌ ଲାଇନ ଘରକୁ ଘରକୁ ଯୋଡ଼ି ହୋଇଛି ସତ ହେଲେ ପାଣି ଆସୁନି। ପାଣି ଯୋଗାଣ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ  ପିଇଓ, ଜେଇ, ବିଡିଓଙ୍କୁ ମେସିନ ଖରାପ ହୋଇଥିବା ନେଇ ଜଣାଇଛନ୍ତି। ହେଲେ କାହିଁକି ମରାମତି ହେଉନାହିଁ ସେକଥା ସେମାନେ ଜାଣନ୍ତି। ଦିନକୁ ଦିନ  ତାତି ବଢୁଥିବାବେଳେ ୭ ଦିନ ଭିତରେ ପାଣି ସମସ୍ୟା ଦୂର ନ ହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସ୍କୁଲସାହିବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର