ପୁଙ୍ଗିଚୁଆ ଜଙ୍ଗଲରେ ମାଈହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଦନ୍ତା ଓ ମାଈ ଲଢ଼େଇରେ ଆଖି ବୁଜିଲା ହାତୀ ଛୁଆ

ଶାଳଚୁଆ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନଖଣ୍ତ ଅନ୍ତର୍ଗତ କଳମଗଡିଆ ପଞ୍ଚାୟତର ଶ୍ରୀପଦମଂଜରୀପୁର ଗ୍ରାମ ନିକଟସ୍ଥ ପୁଙ୍ଗିଚୁଆ ଜଙ୍ଗଲରେ ଏକ ମାଈହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ। ଗତ କିଛି ଦିନ ହେଲା କପ୍ତିପଦା ଅ‌ଞ୍ଚଳରେ ଏକ ହାତୀପଲ ଉପଦ୍ରବ କରୁଥିବାର ଦେଖିବାକୁ ମିଳିଥିଲା। ଏହି ମୃତ ହାତୀଟି ଉକ୍ତ ହାତୀପଲ ମଧ୍ୟରୁ ଗୋଟିଏ ବୋଲି ଅନୁମାନ କରାଯାଉଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇଛି। ତେବେ ହାତୀର ମୃତ୍ୟୁର କାରଣ ଜଣାପଡିନାହିଁ। ସୂଚନା ଅନୁଯାୟୀ ଉକ୍ତ ହାତୀପଲର ଅନ୍ୟ ହାତୀଗୁଡିକ ନିକଟସ୍ଥ ଜଙ୍ଗଲରେ ରହିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟବୀତ ଅଛନ୍ତି। ତେବେ ବନବିଭାଗ ହାତୀପଲଙ୍କ ଉପରେ ନଜର ରଖିଥିବା କହିଛି।

ଦନ୍ତା ଓ ମାଈ ଲଢ଼େଇରେ ଆଖି ବୁଜିଲା ହାତୀ ଛୁଆ

ଫୁଲବାଣୀ : ଦନ୍ତା ଓ ମାଈ ହାତୀ ‌ଲଢେଇରେ ଆଖି ବୁଜିଲା ଦେଢବର୍ଷର ଛୁଆ। କନ୍ଧମାଳ-ଗଂଜାମ ସୀମାନ୍ତ ଫୁଲବାଣୀ ବନଖଣ୍ଡ ରାଇକିଆ ରେଞ୍ଜ ନୀଳମାଧବ ଜଙ୍ଗଲରେ ଗତକାଲି ରାତିରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲରେ ୧୭ଟିକିଆ ହାତୀପଲଙ୍କ ଗତିବିଧି ଜାରି ରହିଛି। ଗତକାଲି ରାତିରେ ହାତୀପଲ ପାଣି ପିଇବାକୁ ଜଳାଶୟ ପାଖକୁ ଆସିଥିବା ବେଳେ ଗୋଟିଏ ଦନ୍ତା ଓ ମାଈ ହାତୀ ଭିତରେ ଲଢେଇ ହୋଇଥିଲା। ଏହି ସମୟରେ ଛୁଆ ହାତୀଟି ଭିତରକୁ ପଶି ଆସିବାରୁ ଦନ୍ତା ହାତୀ ତାକୁ ଦଳି ପକାଇଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା। ମୃତ ହାତୀଟିର ବୟସ ଦେଢ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରା ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୃତ ହାତୀ ଛୁଆର ଶବକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର