ପୁଲିସ ମହାନିର୍ଦ୍ଦେଶକଙ୍କ ଅନୁଧ୍ୟାନ

ପୁରୀ : ଚଳିତବର୍ଷ ବି ରଥଯାତ୍ରା ବିନା ଭକ୍ତରେ କରିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୁଲିସକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଏହି ସମୟରେ ପୁରୀରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯିବ। ଏହି ସମସ୍ତ ବ୍ୟବସ୍ଥା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ବୋଲି ପୁଲିସ ଡିଜି ଅଭୟ ଆଜି ରଥଯାତ୍ରା ପ୍ରସ୍ତୁତି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସ ଡିଜି ଅଭୟ କହିଛନ୍ତି ଯେ ଗତବର୍ଷ ପୁରୀ ସହରବାସୀ ରଥଯାତ୍ରା ସମୟରେ ଅକୁଣ୍ଠ ସହଯୋଗ କରିଥିଲେ। ଏବର୍ଷ ମଧ୍ୟ ସେ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି। ଏସ୍‌ପି ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି, ଆଉ ଦିନେ ଦୁଇଦିନ ମଧ୍ୟରେ ସୁରକ୍ଷାର ଚୂଡ଼ାନ୍ତ ବ୍ୟବସ୍ଥା ସ୍ପଷ୍ଟ ହେବ। ଲୋକେ ଘରେ ବସି ଟିଭି ଓ ମୋବାଇଲ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ଡିଜିପି ଅନୁରୋଧ କରିଛନ୍ତି। ଡିଜିପିଙ୍କ ସହ ଅତିରିକ୍ତ ଡିଜି (ଆଇନଶୃଙ୍ଖଳା) ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ, କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ, ଏସ୍‌ପି ଡା. କେ.ବିଶାଳ ସିଂହ ପ୍ରମୁଖ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ଯାଞ୍ଚ କରିଛନ୍ତି। ଏହାପୂର୍ବରୁ ଡିଜି ଏସ୍‌ପିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ପଦାଧିକାରୀମାନଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସହରକୁ ୧୨ଟି ଜୋନ୍‌ ଓ ବଡ଼ଦାଣ୍ଡକୁ ଚା‌ରୋଟି ଜୋନ୍‌ରେ ବିଭକ୍ତ କରାଯିବ। ସହରର ତିନୋଟି ପ୍ରବେଶ ପଥକୁ ସିଲ୍‌ କରିଦିଆଯିବ।

ସମ୍ବନ୍ଧିତ ଖବର