ପ୍ରମୋଦ ଜେନା ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ

ଭୁବନେଶ୍ବର: ୧୯୮୭ ବ୍ୟାଚ୍ ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାର ଜେନା ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି। ଶ୍ରୀ ଜେନା ଏପରି ଏକ ସମୟରେ ଯୋଗଦାନ କରିଛନ୍ତି ଯେତେବେଳେ ଏହି ଜୋନ୍ ପାଇଁ ଚଳିତ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ ମାଲ ପରିବହନ କରାଯିବାର ଯୋଜନା ରଖାଯାଇଛି। ପୂର୍ବତଟ ରେଳପଥରେ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ଯୋଗଦାନ ପୂର୍ବରୁ ଶ୍ରୀ ଜେନା ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ବିଳାସପୁରଠାରେ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳପଥରେ ପ୍ରମୁଖ ବାଣିଜ୍ୟ ପ୍ରବନ୍ଧକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଶ୍ରୀ ଜେନାଙ୍କର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା ସମ୍ବନ୍ଧରେ ଅଭିଜ୍ଞତା ରହିଛି।

ଶ୍ରୀ ଜେନା ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ଯଥା ପଣ୍ୟ ପରିଚାଳନା, ଯାତ୍ରୀ ପରିଚାଳନା, ନିରାପତ୍ତା, ଯୋଜନା, ସାଧାରଣ ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳାବାଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପୂର୍ବତଟ ରେଳପଥର ପ୍ରମୁଖ ପରିଚାଳନା ବିଭାଗର ମୁଖ୍ୟ ଭାବେ ଶ୍ରୀ ଜେନାଙ୍କ ସମ୍ମୁଖରେ ଚଳିତ ବର୍ଷ ୨୦୦ ନିୟୁତ ଟନ୍ ମାଲ ପରିବହନର ସଂକଳ୍ପ, ଟ୍ରେନ୍ ଚଳାଚଳର ସମୟାନୁବର୍ତ୍ତିତା, ଭିତ୍ତିଭୂମିର ଯୋଜନା, ଶିଳ୍ପ ସଂସ୍ଥା ସହିତ ପୋର୍ଟଗୁଡିକୁ ରେଳ ସଂଯୋଗର ଲକ୍ଷ୍ୟ ପୂରଣ କରିବା ଆହ୍ୱାନ ହେବ। ୧୯୮୪ରେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ପରେ ଶ୍ରୀ ଜେନା ଭାରତୀୟ ରେଳାବାଇରେ ଯୋଗଦାନ କରିଥିଲେ। ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିକଟବର୍ତ୍ତୀ କୋଲର ଗ୍ରାମର ଭାସ୍କର ଜେନାଙ୍କର ସୁପୁତ୍ର ଅଟନ୍ତି।

ସମ୍ବନ୍ଧିତ ଖବର