ପ୍ରସବ ଅସ୍ତ୍ରୋପଚାର ସଂଖ୍ୟା ବଢ଼ୁଛି, ବେସରକାରୀ ହସ୍ପିଟାଲରେ ୩ ଗୁଣା ଅଧିକ

ଭୁବନେଶ୍ବର : ରାଜ୍ୟରେ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୪୫ପ୍ରତିଶତରୁ ଅଧିକ ପ୍ରସବ ଅସ୍ତ୍ରୋପଚାର କରାଯାଉଛି। ସରକାରୀ ଡାକ୍ତରଖାନାରେ ଯେତିକି ସିଜରିଆନ୍ ପ୍ରସବ ହେଉଛି ତାହା ତୁଳନାରେ ଏହାର ମାତ୍ରା ୩ ଗୁଣରୁ ଅଧିକ। ସିଜରିଆନ୍ ପ୍ରସବ ପଛରେ ପ୍ରଚୁର ଟଙ୍କା ଲୋଭ ହିଁ ଏହାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ଅପରପକ୍ଷରେ ‌କେତେକାଂଶରେ ଗର୍ଭବତୀଙ୍କ ପରିବାର ଲୋକ ମଧ୍ୟ ମା’ ଓ ନବଜାତ ଶିଶୁକୁ ସୁରକ୍ଷିତ ରଖିବା ପାଇଁ ସିଜରିଆନ୍ ପ୍ରସବ ପାଇଁ ଇଚ୍ଛୁକ ହେଉଛନ୍ତି।

ନିକଟରେ ଆଇଏମ୍‌ଏମ୍‌ ଅହମ୍ମଦାବାଦର ଗବେଷକଙ୍କ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଦେଶବ୍ୟାପୀ ବେସରକାରୀ ଡାକ୍ତରଖାନାରେ ୪୦ପ୍ରତିଶତ ପ୍ରସବ ସିଜରିଆନ୍ ଥିବା ଜଣାପଡ଼ିଥିଲା। ବର୍ଷକ ମଧ୍ୟରେ ଦେଶରେ ହୋଇଥିବା ୭୦ଲକ୍ଷ ପ୍ରସବ ମଧ୍ୟରୁ ୯ଲକ୍ଷ ପ୍ରସବ ପୂର୍ବ ଯୋଜନା ତଥା ସୂଚନା ଦିଆ ନଯାଇ ସିଜରିଆନ୍ ପ୍ରସବ କରାଯାଇଛି। ଯାହାକି ସଂପୂର୍ଣ୍ଣ ପ୍ରସବର ୪୦ ପ୍ରତିଶତରୁ ଅଧିକ। ଅଧିକ ଟଙ୍କା ଲୋଭର ବେସରକାରୀ ଡାକ୍ତରଖାନାରେ ଡାକ୍ତର ସାଧାରଣ ପ୍ରସବ ବା ନର୍ମାଲ ପ୍ରସବ ଅପେକ୍ଷା ସିଜରିଆନ୍ ପ୍ରସବ କରୁଥିବା ନଜରକୁ ଆସିଥିଲା।

ଓଡ଼ିଶାରେ ମଧ୍ୟ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ସିଜରିଆନ୍ ପ୍ରସବର ହାର ଯଥେଷ୍ଟ ଅଧିକ ରହିଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ବା ଏନ୍‌ଏଚ୍‌ଏମ୍‌ରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ୨୦୧୭/୧୮ରେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ମିଶାଇ ୫ଲକ୍ଷ ୮୪ହଜାର ୬୦ଟି ପ୍ରସବ ‌ହୋଇଛି। ଏଥିରେ ସରକାରୀ ଡାକ୍ତରଖାନାରେ ୫ଲକ୍ଷ ୩୪ହଜାର ୧୧୮ ପ୍ରସବ ପଞ୍ଜୀକୃତ ହୋଇଥିବା ବେଳେ ଏଥିରେ ସାଧାରଣ ୪ଲକ୍ଷ ୬୨ହଜାର ୪୫୭ ଓ ସିଜରିଆନ୍ ପ୍ରସବ ୭୧ହଜାର ୬୬୧ ରହିଛି। ସିଜରିଆନ୍ ପ୍ରସବ ହେଉଛି ସମୁଦାୟ ପ୍ରସବର ୧୩.୪୧ ପ୍ରତିଶତ। ଅପରପକ୍ଷରେ ରାଜ୍ୟରେ ଯେତେ ସଂଖ୍ୟକ ବେସରକାରୀ ଡାକ୍ତରଖାନା ରହିଛି ସମସ୍ତେ ନିଜ ଡାକ୍ତରଖାନାରେ ହେଉଥିବା ପ୍ରସବ ନେଇ ଏନ୍‌ଏଚ୍‌ଏମ୍‌କୁ ତଥ୍ୟ ଦେଉ ନାହାନ୍ତି। ୧୦୦ରୁ ଅଧିକ ବେସରକାରୀ ଡାକ୍ତରଖାନା ସରକାରଙ୍କ ସହିତ ଅନୁବନ୍ଧିତ ହୋଇଥିଲେ ହେଁ ପ୍ରାୟ ୩୦ଟି ବେସରକାରୀ ଡାକ୍ତରଖାନା ପ୍ରସବଜନିତ ତଥ୍ୟ ଦେଉଛନ୍ତି। ଏହି ୩୦ଟି ବେସରକାରୀ ଡାକ୍ତରଖାନାରେ ୪୯ହଜାର ୯୪୨ ପ୍ରସବ ପଞ୍ଜୀକୃତ ହୋଇଛି। ତହିଁରେ ୪୯ହଜାର ୯୪୨ ପ୍ରସବ ହୋଇଥିବା ବେଳେ ଏଥିରେ ୨୭ହଜାର ୨୫୫ ସାଧାରଣ ପ୍ରସବ ଓ ୨୨ହଜାର ୬୮୭ ସିଜରିଆନ୍ ପ୍ରସବ ହୋଇଛି। ବେସରକାରୀ ଡାକ୍ତରଖାନାରେ ୪୫.୪୨ ହାରରେ ସିଜରିଆନ୍ ପ୍ରସବ ହୋଇଛି। ଯଦି ସମସ୍ତ ବେସରକାରୀ ଡାକ୍ତରଖାନାର ତଥ୍ୟ ଉପଲବ୍ଧ ହୁଏ, ତେବେ ଏହାର ହାର ଆହୁରି ଅଧିକ ହେବ ବୋଲି କୁହାଯାଉଛି। ବେସରକାରୀ ନର୍ସିଂହୋମ୍ କିମ୍ବା ଡାକ୍ତରଖାନା ସିଜରିଆନ୍ ପ୍ରସବ ପାଇଁ ୨୦ହଜାରରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ ହେଉଛି। ଅପରପକ୍ଷରେ ସରକାରୀ ଡାକ୍ତରଖାନାରେ ଅଧିକାଂଶ ସମୟରେ ପ୍ରସବ ଗୃହରେ ପ୍ରବଳ ଭିଡ଼ ଯୋଗୁଁ ଅନେକ ବେସରକାରୀ ଡାକ୍ତରଖାନାରେ ପ୍ରସବ ପାଇଁ ଚାହୁଁଛନ୍ତି। ବିଭିନ୍ନ ବାହାନା ଦେଖାଇ ରୋଗୀଙ୍କଠାରୁ ବେସରକାରୀ ଡାକ୍ତରଖାନାରେ ଲୁଟ୍ ହେଉଛି।

କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତିରୋଗ ବିଶେଷଜ୍ଞ ଡା. ଶ୍ବେତା ପାଣିଗ୍ରାହୀଙ୍କ କହିବାନୁଯାୟୀ, ଆଜିର ସମୟରେ ମା’ ଓ ଶିଶୁଙ୍କ ଉପରେ କୌଣସି କ୍ଷତି ହେବାକୁ ଚାହୁଁ ନାହାନ୍ତି। ସର୍ଜନ୍ ମଧ୍ୟ ସାଧରଣ ପ୍ରସବ ପାଇଁ ଡରୁଛନ୍ତି। ସରକାରୀ ଡାକ୍ତରଖାନାରେ ୨୪ଘଣ୍ଟିଆ ସୁବିଧା ମିଳୁଛି। ରାତି ଅଧରେ କୌଣସି ପ୍ରକାର ସମସ୍ୟା ହେଲେ ସେବା ମିଳିପାରୁଛି। ସିଜରିଆନ୍‌ରେ କୌଣସି ରିସ୍କ ନାହିଁ। ଆଜକାଲି ଅଧିକାଂଶ ଦମ୍ପତି ଚାକିରି କରୁଛନ୍ତି, ତେଣୁ ଗୋଟିଏ ସନ୍ତାନ ଉପରେ ସେମାନେ ଜୋର ଦେଉଛନ୍ତି। ଏଥିପାଇଁ ସାଧାରଣ ପ୍ରସବ ଅପେକ୍ଷା ସିଜରିଆନ୍ କରିବାକୁ ଚାହୁଁଛନ୍ତି ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର