ଫିଟୁଛି ଜଗା ହତ୍ୟାର ଗୁମର: ଫାଇନାନ୍ସ ବାଇକ୍ ବନ୍ଧକକୁ ନେଇ ଘଟିଛି ହତ୍ୟାକାଣ୍ଡ!
କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାର୍ଡୋଲ ଗାଁ ମୁଣ୍ଡ ରାସ୍ତା କଡ଼ରୁ ମାର୍ଚ୍ଚ ମାସ ୭ ତାରିଖରେ ସେହି ଗାଁର ଜଗା ନାଏକ (୩୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ତାଙ୍କ ବଡ଼ ଭାଇ ଶମ୍ଭୁ ନାଏକ ଅଭିଯୋଗ କରିଥିଲେ। ଏହି ଘଟଣାର ମାସେ ପରେ ଏହି ହତ୍ୟାକାଣ୍ଡର ରହସ୍ୟ ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାମବାସୀଙ୍କ ସୂଚନା ଅନୁସାରେ ମୃତ ଜଗା ଏକାଧିକ ମହିଳାଙ୍କୁ ବିବାହ କରିଥିଲେ ଓ ବହୁ ଦିନ ହେବ କୁଣ୍ଢିପଦର ଗ୍ରାମରେ ରହି କଟକରେ ଇଟା ଗଢୁଥିଲେ। ଗତ ୪ ମାସ ହେବ ସେ ଗାଁକୁ ଆସି ନିକଟ ଶାନ୍ତିପାଲିରେ ଜଣେ ଲୋକଙ୍କ ଇଟା ଗଢୁଥିଲେ। ଜଗା ଏକ ବାଇକ୍ ଫଇନାନ୍ସରେ ଆଣିଥିଲେ। ଅର୍ଥାଭାବ ଯୋଗୁଁ ନିକଟସ୍ଥ ଗୁଡ଼ିଆଳି ଗାଁର ଜଣେ ବ୍ୟକ୍ତିଙ୍କଠାରେ ବନ୍ଧକ ଦେଇ ୨୦ ହଜାର ଟଙ୍କା ଆଣିଥିଲେ। ହେଲେ ଟଙ୍କା ଫେରସ୍ତ କରି ପାରି ନଥିଲେ। ଅନ୍ୟପଟେ ଗାଡ଼ିଟିର ମାସିକ କିସ୍ତି ନ ଦେବାରୁ ବ୍ୟାଙ୍କ ଗାଡ଼ିଟିକୁ ନେଇ ଯିବାର ଭୟରେ ସମ୍ପୃକ୍ତ ବ୍ୟକ୍ତି ଗାଡ଼ିଟି ଘରୁ ବାହାର କରି ପାରୁ ନଥିଲେ। ତେଣୁ ତୁରନ୍ତ ଗାଡ଼ିକୁ ମୁକୁଳେଇ ନେବାକୁ ଜଗାକୁ ଅନେକ ଥର କରିଥିଲେ। କିନ୍ତୁ ଜଗା ମୁକୁଳାଇ ପାରି ନଥିଲେ। ବାଇକ ବନ୍ଧକ ରଖିଥିବା ବ୍ୟକ୍ତି, ତାଙ୍କ ଅନ୍ୟ ୩ ଭାଇ ଓ ତାଙ୍କ ଟ୍ରାକ୍ଟର ଚାଳକ ଘଟଣା ପରଠାରୁ ଫେରାର୍ ଥିବାରୁ ସେମାନଙ୍କ ପ୍ରତି ଲୋକଙ୍କ ସନ୍ଦେହ ଘନୀଭୂତ ହେଉଛି। ସେମାନେ ହତ୍ୟା କରିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅନ୍ୟ ପଟେ ମନମୁଣ୍ଡା ପୁଲିସ ସନ୍ଦେହରେ ଅନେକ ଲୋକ ନେଇ ଜେରା କରୁଛି। ଏ ସମ୍ପର୍କରେ ମନମୁଣ୍ଡା ଆଇଆଇସି ଗୋପୀନାଥ ପ୍ରଧାନଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବାରୁ ଉକ୍ତ ଘଟଣାର ତଦନ୍ତ ଆଗେଇ ପାରୁନାହିଁ ବୋଲି କହିଛନ୍ତି।