ଫେରିଲା ଜାପାନୀ ଜ୍ୱର!ଚାରି ଦିନରେ ୪ ଶିଶୁ ମୃତ

ମାଲକାନଗିରି: ମାଲକାନଗିରିରେ ପୁଣି ଜାପାନୀ ଜ୍ୱର ଆତଙ୍କ। ମାଲକାନଗିରି ସଦର ବ୍ଲକ୍‌ର ଚାଲାଣଗୁଡ଼ା ପଞ୍ଚାୟତର ସିଆଡ଼ିିମାଳରେ ଅଜଣା ଜ୍ୱରରେ ଗତ ୪ ଦିନ ମଧ୍ୟରେ ୪ ଜଣ ଶିଶୁ ଆଖି ବୁଜିଥିବା ବେଳେ ଆଉ ୪ ଜଣ ଶିଶୁ ମାଲକାନଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫଳରେ ଜାପାନୀ ଜ୍ୱର ପୁଣି ପୁଣି ଫେରିଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନାନୁଯାୟୀ, ଗତ ୨୯ ତାରିଖରେ ସିଆଡ଼ିିମାଳର ଦୁଲା ମାଡ଼କାମୀଙ୍କ ୪ ମାସର ଝିଅ ଇନ୍ଦୁର ମୃତ୍ୟୁ ଘଟିଥିବା ବେଳେ ୩୦ ତାରିଖରେ ଦେବା ସୋଡ଼ିଙ୍କ ୩ ମାସର ଝିଅ ଲଭଲି ଆଖି ବୁଜିଥିଲେ। ସେହିପରି ଗତ ପହିଲାରେ କ୍ରିଷ୍ଣା ପଡ଼ିଆମିଙ୍କ ୪ ମାସର ପୁଅ କାହ୍ନା ଏବଂ ୨ ତାରିଖ ରାତିରେ ଉଙ୍ଗା ମାଡ଼କାମୀଙ୍କ ୪ ମାସର ପୁଅ ମୁନାର ମଧ୍ୟ ଅନୁରୂପ ଭାବେ ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଶିଶୁମାନଙ୍କୁ ପ୍ରଥମେ ଜ୍ୱର ହେବା ସହ ଝାଡ଼ା ଏବଂ ବାନ୍ତି ହେଉଛି। ଏହାପରେ ସେମାନେ ନିସ୍ତେଜ ହୋଇଯିବା ସହ ୮ ଘଣ୍ଟା ମଧ୍ୟରେ ଶିଶୁର ଜୀବନ ଚାଲିଯାଉଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଜାପାନୀ ଜ୍ୱର ପୁଣି କାୟା ବିସ୍ତାର କରି ଶିଶୁଙ୍କ ଜୀବନ ନେଉଥିବା ଲୋକେ ଆଶଙ୍କା ପ୍ରକଟ କରିଛନ୍ତି। ଅପରପକ୍ଷେ, ସ୍ଥାନୀୟ ବିଧାୟକ ମାନସ ମାଡ଼କାମୀଙ୍କ ସୂଚନା କ୍ରମେ ସିଡିଏମ୍‌ଓ ତୁରନ୍ତ ଏକ ଡାକ୍ତରୀ ଦଳ ସହ ସିଆଡିମାଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ତେବେ ଶିଶୁମାନଙ୍କୁ ନିମୋନିଆ ଓ ବ୍ରୋଙ୍କାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ଡାକ୍ତରୀଦଳ କହିବା ସହ ଅସୁସ୍ଥ ଶିଶୁଙ୍କୁ ଗୁଣିଆ, ଦିଶାରୀ ପାଖକୁ ନନେଇ ଡାକ୍ତରଖାନା ଆଣିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର