ବଡ଼ମ୍ବାରେ ବିଜେପି କର୍ମୀ-ପୁଲିସ ଧସ୍ତାଧସ୍ତି, ମହିଳା ପୁଲିସ ଅଧିକାରୀଙ୍କୁ ମାଡ଼, ୭ ପ୍ଲାଟୁନ ଫୋର୍ସ ମୁତୟନ; ଉତ୍ତେଜନା

କଟକ/ବଡ଼ମ୍ବା: କଟକ ଜିଲ୍ଲା ବଡମ୍ବା ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ ସମୟରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଜଣେ ବିଜେପି ମହିଳା କର୍ମୀ ମହିଳା ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ୩୦ ଜଣ ଅଫିସରଙ୍କ ସମେତ ୭ ପ୍ଲାଟୁନ ‌ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ, ବଡମ୍ବା ବିଧାନସଭା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଉଭୟ ବଡ଼ମ୍ବା ଏବ˚ ନରସି˚ହପୁର ବ୍ଲକ‌େର ଶିକ୍ଷା ଓ ସ୍ବାସ୍ଥ୍ୟ ବିପର୍ଯ୍ୟସ୍ତ, ବଡ଼ମ୍ବା ଚିନିକଳର ପୁନରୁଦ୍ଧାର, ରାସନ୍ କାର୍ଡ ବଣ୍ଟନରେ ଅନିୟମିତତା, ୩ଶହରୁ ଉର୍ଦ୍ଧ୍ବ ଶିକ୍ଷକ ପଦ ଖାଲି, କିଡ୍‌ନୀ ମହାମାରୀ ରୂପ ନେଇଥିଲେବି ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ ନହେବା, ପ୍ରଭାବିତ ଅଞ୍ଚଳକୁ ଶୁଦ୍ଧ ପାନୀୟ ଜଳ ନ ମିଳିବା, ଦୁର୍ନୀତି ଭଳି ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ବ୍ଲକ୍ ଘେରାଇ କରାଯାଇଥିଲା। ବିଜେପି ନେତୃମଣ୍ଡଳୀ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ଦେବୀ ମିଶ୍ରଙ୍କ ବିରୋଧରେ ଉଦ୍‌ବୋଧନ ଦେବା ସହ ପଞ୍ଚାୟତ ନିର୍ବାଚନ ଭଳି ଆଗାମୀ ବିଧାନସଭା ନିର୍ବାଚନରେ ବି ଲୋକ ଏହାର ଠିକଣା ଜବାବ ଦେବେ ବୋଲି କହିଥିଲେ।

ବିଜେପିର ଜିଲା ସଭାପତି ଚୋୖୖଧୁରୀ ହେମନ୍ତକୁମାର ସାହୁ, ପୂର୍ବତନ ମନ୍ତ୍ରୀ ସମୀରକୁମାର ଦେ, ଦଳର ରାଜ୍ୟ ପ୍ରବକ୍ତା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ସାରଦା ପ୍ରଧାନ, ବିକ୍ରମ ଦାଶ ପ୍ରମୁଖ ଦଳର ବରିଷ୍ଠ ନେତୃବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ା ବିଧାରପୁର ଛକରୁ ବାଇକ୍ ରାଲି ଘଟଣାସ୍ଥଳକୁ ଯିବା ସହ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବିଜେପି କର୍ମୀମାନେ ବ୍ଲକ୍‌ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେବାରୁ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ସେହି ସମୟରେ ଜଣେ ମହିଳା ବଡ଼ମ୍ବା ଥାନା ଏଏସଆଇ ମାମିନା ସେଠୀଙ୍କୁ ଚାପୁଡା ମାରିବା ସହ ଠେଲାପେଲା କରିଥିଲେ। ଅନ୍ୟ ପୁଲିସ ଅଧିକାରୀ ‌ମହିଳା ଜଣଙ୍କୁ ଏଥିରୁ ନିବୃତ କରୁଥିବା ଦେଖିବାକୁ ମିଳିଥିଲା। ସଂପୃକ୍ତ ମହିଳା ପୁଲିସ ଅଧିକାରୀଙ୍କ ଅଭିଯୋଗ ଆଧାରରେ ବଡ଼ମ୍ବା ଥାନାରେ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି କଟକ ଗ୍ରାମାଞ୍ଚଳ ଏସପି ମାଧବଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର