ବନ୍ୟା ଅଘଟଣ: ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ମୃତ୍ୟୁ ଘଟଣା

ଭାସି ଯାଇ ଛାତ୍ର ମୃତ, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
ଖୁଣ୍ଟୁଣୀ : କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଗୁରୁଡ଼ିଝାଟିଆ ଥାନା ମଞ୍ଚେଶ୍ୱର ପଞ୍ଚାୟତ ବ୍ରାହ୍ମଣବସ୍ତ ଗ୍ରାମରେ ଏକ ଅଘଟଣ ଘଟିଛି। ମହାନଦୀ ବନ୍ୟା ଜଳରେ ବୁଡ଼ି ରହିଥିବା ଏକ ପୋଖରୀରେ ବୁଡ଼ିଯାଇ ଜଣେ କଲେଜ ଛାତ୍ରଙ୍କ ଜୀବନ ଯାଇଛି। ମୃତ ଛାତ୍ର ହେଉଛନ୍ତି ବ୍ରାହ୍ମଣବସ୍ତ ଗ୍ରାମର ପ୍ରଶାନ୍ତ ରାଉତଙ୍କ ପୁଅ ପ୍ରଦ୍ୟୁମ୍ନ (ବବୁଲ, ୧୮ବର୍ଷ)।

ପ୍ରଦ୍ୟୁମ୍ନ ଗ୍ରାମର ୪ ଜଣ ପିଲାଙ୍କ ସହ ପୁରୁଣା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ମହାନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସେଠାରେ ଜଳସ୍ରୋତ ପ୍ରଖର ରହିଥିଲା। ମାତ୍ର ଏହା ଜାଣି ନପାରି ପ୍ରଦ୍ୟୁମ୍ନ ଓ ଅନ୍ୟ ୪ଜଣ ସାଙ୍ଗ ସ୍ରୋତରେ ଫସି ଯାଇଥିଲେ। ଯଦିଓ ୪ଜଣ ପହଁରି ପହଁରି କୂଳକୁ ଚାଲି ଆସିଥିଲେ କିନ୍ତୁ ପ୍ରଦ୍ୟୁମ୍ନ ବୁଡ଼ି ଯାଇଥିଲେ। ଗ୍ରାମର ଶିକ୍ଷକ ଶ୍ରୀନିବାସ ଖଟୁଆ ଓ ବବୁଲ ସାହୁ ଅଚେତ ଅବସ୍ଥାରେ ପ୍ରଦ୍ୟୁମ୍ନଙ୍କୁ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

କୁଶଭଦ୍ରାରେ ଭାସିଗଲେ ଯୁବକ
ବାଲିଅନ୍ତା : ସ୍ଥାନୀୟ କୁଶଭଦ୍ରା ନଦୀର ଭିଙ୍ଗାରପୁର ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଗୁରୁବାର ଅପରାହ୍‌ଣରେ ଜଣେ ଯୁବକ ଭାସି ଯାଇଛନ୍ତି। ନିଖୋଜ ଯୁବକ ହେଲେ, ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ଗ୍ରାମର ଅମୂଲ୍ୟ ରାଉତ(୪୮) ଓରଫ୍‌ ରଘୁ। ବାଲିଅନ୍ତା ଅଗ୍ନିଶମ ସେବା କର୍ମଚାରୀ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରଘୁଙ୍କ ସନ୍ଧାନ ମିଳି ନଥିଲା।

ସୂଚନାନୁସାରେ, ରାମଚନ୍ଦ୍ରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଦଶାହ କର୍ମ ଚାଲିଥିଲା। ଅଜୟ ନାମକ ଜଣେ ଯୁବକ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ରଘୁ ପାଣିକୁ ଡେଇଁ ପଡ଼ିଥିଲେ। ଯୁବକଜଣଙ୍କ ଭାସିଯାଇ କୂଳରେ ଲାଗି ଯାଇଥିବା ବେଳେ ରଘୁ ପ୍ରଖର ଜଳସ୍ରୋତରେ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ନଦୀବନ୍ଧ ଲୋକାରଣ୍ୟ ହୋଇଯାଇଥିଲା। ରଘୁଙ୍କର ୧୩ ବର୍ଷର ଏକ ପୁଅ ଅଛି।

ଗଞ୍ଜାମ, କନ୍ଧମାଳ‌ରେ ବୁଡ଼ି ୩ ମୃତ
ଭଞ୍ଜନଗର/ପାଟପୁର/ଦାରିଙ୍ଗବାଡ଼ି : କେନାଲ୍, ନଦୀ ଓ ପୋଖରୀରେ ବୁଡ଼ି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଦିନକ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ଘଟିଛି।

ତାରସିଂ ଥାନା ଗାଲେରୀ ଫାଣ୍ଡି ଅଧୀନ ଝାଲିଆଗୋଚ୍ଛା ନଦୀରେ ବୁଡ଼ି ପେଟାକିଆରି ଗ୍ରାମର ଦାମ ସେଠୀ (୮୦) ପ୍ରାଣ ହରାଇଛନ୍ତି। ଦାମ ଗୁରୁବାର ଭୋର୍‌ରେ ଶୌଚ ପାଇଁ ଯାଇଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। କିଛିସମୟ ପରେ ତାଙ୍କର ଶବ ଉଦ୍ଧାର ହୋଇଥିଲା। ପାଟପୁର ଥାନା ଡେଙ୍ଗାଡ଼ି ପଞ୍ଚାୟତ ରାଜୀବନଗରର ଗଣେଶ ଦାସ(୨୫) ନାମକ ଜଣେ ଯୁବକ କେନାଲ୍‌ରେ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ। କିଛି ଯୁବକ ତାଙ୍କୁ ଉଦ୍ଧାର କରି ନିକଟ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକା‌େଳ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସ୍ୟାଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ(୧୮)ଙ୍କ ଗ୍ରାମରେ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।

ସାପ କାମୁଡ଼ାରେ ୨ମହିଳା ମୃତ
ନିରାକାରପୁର : ବିଷଧର ସାପ କାମୁଡ଼ାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ବୟ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ପଞ୍ଚାୟତ ଅଧୀନସ୍ଥ ମହାବୀର ସାହିର ସରୋଜିନୀ ମଙ୍ଗରାଜ(୫୨) ଓ ଅଚ୍ୟୁତପୁରସ୍ଥିତ ତଳସାହିର ସୁଶୀଳା ସାହୁ(୫୦)।

ସୂଚନା ମୁତାବକ ସରାଜିନୀ ଗୁରୁବାର ସକାଳେ ବାଡ଼ି ପଛପଟକୁ ଗାଧୋଇବାକୁ ଯାଇଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଥିଲା। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଗତକାଲି ଅଚ୍ୟୁତପୁରପଞ୍ଚାୟତ ଅଧୀନସ୍ଥ ତଳସାହିର ସୁଶୀଳା ଠାକୁର ଘରକୁ ପୂଜା କରିବା ପାଇଁ ଯାଉଥିବା ବେଳେ ହଠାତ୍‌ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ଉଭୟ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଜଙ୍କିଆ ଥାନା ଏସ୍‌ଆଇ ବେଣୁଧର ରାୟ ସୂଚନା ଦେଇଛନ୍ତି।

ଭରାନଈକୁ ଡେଇଁପଡ଼ିଲେ ଛାତ୍ରୀ
ନିମାପଡ଼ା : ଗୁରୁବାର ସଂଧ୍ୟା ୬ଟା ସମୟରେ ନିମାପଡ଼ା ନିକଟସ୍ଥ କୁଶଭଦ୍ରା ନଦୀ ଗର୍ଭକୁ ଜଣେ କଲେଜ ଛାତ୍ରୀ ଡେଇଁ ପଡ଼ିଥିଲେ। ଅଗ୍ନିଶମବାହିନୀ ବନ୍ୟାଜଳରେ ଭାସିଯାଇଥିବା ଛାତ୍ରୀଟିକୁ ଡେଇଁଥିବା ସ୍ଥାନରୁ ୧ କିମି ଦୂର ଧୀରପୁର ଶାସନ ନିକଟରୁ ଉଦ୍ଧାର କଛନ୍ତି। ଛାତ୍ରୀଜଣକ ଏବେ ସୁସ୍ଥ ଅଛନ୍ତି। ନିମାପଡ଼ା ଇନ୍ଦିରା ଗାନ୍ଧୀ ମହିଳା କଲେଜର ଦ୍ବିତୀୟ ବର୍ଷର ଏହି ଛାତ୍ରୀ କେଉଁ କାରଣରୁ ନଦୀକୁ ଡ଼େଇଁ ପଡ଼ିଥିଲେ, ତାର କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର