ବାଉଳା ସରକାରୀ ୱେବ୍‌ସାଇଟ୍‌ : କିଛି ଚେତିଲେ, ତଥାପି ମାଳ ମାଳ ତ୍ରୁଟି, ଏବେ ବି ଆର୍‌ ପି ଶର୍ମା ଡିଜି, ସତ୍ୟଜିତ ମହାନ୍ତି କମିସନର୍

‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପରେ କିଛି ସଂଶୋଧନ କଲେ, ଆହୁରି ଅନେକ ବିଭାଗରେ ବି ବିଭ୍ରାନ୍ତିକର ତଥ୍ୟ

ଭୁବନେଶ୍ବର : ମାସେ ତଳୁ ରାଜ୍ୟରେ ପୁଲିସ୍ ଡିଜି ବଦଳିଗଲେଣି। କିନ୍ତୁ ସରକାରୀ ୱେବ୍‌ସାଇଟ୍‌ରେ ଥିବା ଆଇପିଏସ୍‌ ତାଲିକାରେ ଆର୍ ପି ଶର୍ମା ଡିଜି ବୋଲି ଲେଖାଯାଇଛି। ଆଉ ସତ୍ୟଜିତ ମହାନ୍ତି ଭୁବନେଶ୍ବର-କଟକ ପୁଲିସ୍‌ କମିସନର୍ ଥିବା ଦର୍ଶାଯାଇଛି।

ବରିଷ୍ଠ ଆଇଏଏସ୍‌ ଅଫିସର୍ ରାଜେଶ ବର୍ମା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅବ୍ୟାହତି ନେଇ କେନ୍ଦ୍ରୀୟ ଡେପୁଟେସନ୍‌ରେ ଗଲେଣି। କିନ୍ତୁ ସରକାରଙ୍କ ୱେବ୍‌ସାଇଟ୍‌ରେ ଆଇଏଏସ୍‌ ତାଲିକାରେ ଶ୍ରୀ ବର୍ମା ଏ‌େବ ବି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି। ଏମ୍‌ଏସ୍‌ଏମ୍‌ଇ ବିଭାଗର ସଚିବ ଭାବେ ହେମନ୍ତ ଶର୍ମା ଦାୟିତ୍ବ ନେଇ ସାରିଲେଣି। କିନ୍ତୁ ବିଭାଗର ୱେବ୍‌ସାଇଟ୍‌ରେ ଏବେ ବି ସଚିବ ଅଛନ୍ତି ସଞ୍ଜୀବ ଚୋପ୍ରା। ଆଉ ବିଭାଗର ୱେବ୍‌ ଡିରୋ‌େକ୍ଟାରିରେ ସଚିବ ଭାବେ ଏଲ୍‌ ଏନ୍ ଗୁପ୍ତାଙ୍କ ନାମ ଓ ଫୋନ୍ ନମ୍ବର ଦିଆଯାଇଛି।

ଏମିତି ଭାବେ ସରକାରୀ ୱେବ୍‌ସାଇଟ୍‌ରେ ବିଭ୍ରାନ୍ତିକର ତଥ୍ୟ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମଧ୍ୟରେ ଟେକ୍ନୋଲୋଜି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। କିନ୍ତୁ ସରକାରଙ୍କ ବିଭିନ୍ନ ବିଭାଗ ଟେକ୍ନୋଲୋଜିର ବ୍ୟବହାରକୁ ନିଜ ଇଚ୍ଛା ମୁତାବକ କରୁଛନ୍ତି। ସରକାରୀ ୱେବ୍‌ସାଇଟ୍‌ ପରି ଟେକ୍ନୋଲୋଜି ବ୍ୟବହାରର ସର୍ବନିମ୍ନ ସ୍ତରକୁ ବି ସେମାନେ ‌ସଂଶୋଧନ କରିବାକୁ ପ୍ରସ୍ତୁତ ନାହାନ୍ତି। ଏ ସମ୍ପର୍କ‌େର ଗତ ମାସ ୨୪ ତାରିଖରେ ‘ସମ୍ବାଦ’ରେ ‘ବାଉଳା ୱେବ୍‌ସାଇଟ୍‌’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ସେଥିରେ ଯେଉଁ ଯେଉଁ ବିଭାଗ ତ୍ରୁଟି ସମ୍ପର୍କରେ ସୂଚନା ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂଶୋଧନ କରିଛନ୍ତି। ସମବାୟ ବ୍ୟାଙ୍କ, ସମବାୟ ଗୃହ ନିଗମ, ମହିଳା କମିସନ୍, ଖାଦ୍ୟ କମିସନ୍, ନଗର ଉନ୍ନୟନ ବିଭାଗ, ଫିସ୍‌ଫେଡ୍‌, ଓଡ଼ିଶୀ ଗବେଷଣା କେନ୍ଦ୍ର, ରାଜ୍ୟ ସଂଗ୍ରହାଳୟ ପ୍ରମୁଖ ନିଜ ନିଜ ୱେବ୍‌ସା‌ଇଟ୍‌ରେ ଥିବା ତଥ୍ୟକୁ ଠିକ୍ କରିଦେଇଛନ୍ତି। କିନ୍ତୁ ସମାଜ ମଙ୍ଗଳ ବୋର୍ଡ ପରି କିଛି ସଂସ୍ଥା ତ୍ରୁଟିକୁ ଦେଖାଇଲା ପରେ ବି ଚେତି ନାହାନ୍ତି।

ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ। କିନ୍ତୁ ବିଭାଗର ୱେବ୍‌ସାଇଟ୍‌ରେ ପୂର୍ବତନ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ନାମ ଓ ଫଟୋ ରହିଛି।

ଓଡ଼ିଶା ଜଳ ବିଦ୍ୟୁତ ନିଗମ(ଓଏଚ୍‌ପିସି) ୱେବ୍‌ସାଇଟ୍‌ରେ ବିଚିତ୍ର ତଥ୍ୟ‌ ଦେଖିବାକୁ ମିଳିଛି। ଏଠାରେ ହୋମ୍‌ ପେଜ୍‌ରେ ସିଏମ୍‌ଡି ଭାବେ ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କ ନାମ ଲେଖାଯାଇଛି। ‘ବୋର୍ଡ ଅଫ୍‌ ଡାଇରେକ୍ଟର୍ସ’ ତାଲିକାରେ ଶକ୍ତି ସଚିବ ଭାବେ ବିଷ୍ଣୁପଦ ସେଠୀଙ୍କ ଫଟୋ ଓ ନାମ ଦିଆଯାଇଛି। ତାଙ୍କ ପାଖରେ ହେମନ୍ତ ଶର୍ମାଙ୍କ ଫଟୋ ଥାଇ ତଳେ ଶକ୍ତି ସଚିବ ବୋଲି ଲେଖାଯାଇଛି। ଗୋଟିଏ ଜାଗାରେ ଗୋଟିଏ ବିଭାଗର ଦୁଇ ଦୁଇ ଜଣ ସଚିବଙ୍କ ନାମ ଲେଖାଯିବା ଆଶ୍ଚର୍ଯ୍ୟଜନକ। ସେହିପରି ଶକ୍ତି ବିଭାଗର ୱେବ୍‌ ଡିରେକ୍ଟୋରିରେ ସଚିବ ଭାବେ ହେମନ୍ତ ଶର୍ମାଙ୍କ ନାମ ଲେଖାଯାଇଛି। ଗ୍ରିଡ୍‌କୋର ‘ବୋର୍ଡ ଅଫ୍ ଡାଇରେକ୍ଟର୍ସ’ରେ ହେମନ୍ତ ଶର୍ମା ସିଏମ୍‌ଡି ଓ ଶକ୍ତି ସଚିବ ଅଛନ୍ତି। ଓପିଟିସିଏଲ୍‌ ହୋମ୍ ପେଜ୍‌ରେ ବି ଶ୍ରୀ ଶର୍ମା ସିଏମ୍‌ଡି ବୋଲି ଲେଖାଯିବା ସହ ତାଙ୍କ ଫଟୋ ରହିଛି। କିନ୍ତୁ ଉଭୟ ସଂସ୍ଥାର ସିଏମ୍‌ଡି ଭାବେ ସୌରଭ ଗର୍ଗ ଦାୟିତ୍ବ ଗ୍ରହଣ କରିସାରିଲେଣି।

କେବଳ ବିଭାଗ ନୁହେଁ, ସରକାରୀ ୱେବ୍‌ସାଇଟ୍‌ରେ ଥିବା ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର୍‌ଙ୍କ ତାଲିକାରେ ବି ସେମାନଙ୍କ ବର୍ତ୍ତମାନର ପଦବି ନେଇ ବ୍ୟାପକ ବିଭ୍ରାନ୍ତିକର ତଥ୍ୟ ରହିଛି। ରାଜେଶ ବର୍ମା, ବିଶାଲ ଦେବ, ଭାସ୍କରଜ୍ୟୋତି ଶର୍ମା ପ୍ରମୁଖଙ୍କ ପଦବି ଭୁଲ୍‌ ଲେଖାଯାଇଛି। ସୌରଭ ଗର୍ଗଙ୍କ ସମସ୍ତ କାର୍ଯ୍ୟାଳୟ ନୂଆଦିଲ୍ଲୀ‌େର ବୋଲି ଲେଖାଯାଇଛି। ସମର୍ଥ ବର୍ମା କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଅଢ଼େଇ ମାସ ତଳୁ ଦାୟିତ୍ବ ନେଇସାରିଲେଣି। କିନ୍ତୁ ଏଥିରେ ସେ ବିଏମ୍‌ସି କମିସନର୍ ବୋଲି ଉଲ୍ଳେଖ କରାଯାଇଛି। ସେହିପରି ରଶ୍ମିତା ପଣ୍ଡା ସୁନ୍ଦରଗଡ଼ ଜିଲ୍ଲାପାଳ, ଅନିଲ ସାମଲ କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ବୋଲି ଦର୍ଶାଯାଇଛି। ଆଇପିଏସ୍‌ ତାଲିକାରେ ସର୍ବାଧିକ ତ୍ରୁଟି ଦେଖିବାକୁ ମିଳୁଛି।

ବର୍ତ୍ତମାନର ସୂଚନା ଓ ପ୍ରଯୁକ୍ତି ଯୁଗରେ ପ୍ରଶାସନିକ କଳରେ ‌କିଏ କେଉଁ ପଦବିରେ ଅଛନ୍ତି, ତାହା ଜାଣିବାକୁ ସାଧାରଣ ଲୋକ ୱେବ୍‌ସାଇଟ୍‌ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସରକାରୀ ୱେବ୍‌ସାଇଟ୍‌ରେ ଭୁଲ୍‌ ତଥ୍ୟ ଦିଆଯାଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ହେଉଥିଲେ ବି ଏହାକୁ ଅପ୍-ଟୁ-ଡେଟ୍‌ କରିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ନ ପାଇବା ‘ଟେକ୍ନୋଲୋଜି’ ପ୍ରତି ବାବୁମାନଙ୍କ ନିଷ୍ଠା ଉପରେ ପ୍ରଶ୍ନବାଚୀ ଲଗାଇଦେଉଛି।

ସମ୍ବନ୍ଧିତ ଖବର