ବାପାକୁ ଗୁଳିକରି ହତ୍ୟାକଲା ପୁଅ, ଫେରାର ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଉଦଳା-୧ : ସାମାନ୍ୟ ବଚସାକୁ କେନ୍ଦ୍ରକରି ନିଶାସକ୍ତ ପୁଅର ଗୁଳିମାଡ଼ରେ ବାପାର ପ୍ରାଣ ଯାଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ ପାଟ୍ଟଶାଣୀପୁର ପଞ୍ଚାୟତ କାଶୀକୁଣ୍ଡଳ ଗ୍ରାମରେ ଘଟିଛି ଏହି ଘଟଣା।

ଗତକାଲି ରାତିରେ ପାରିବାରିକ କଳହକୁ ନେଇ ଗ୍ରାମର ତ୍ରିଲୋଚନ ନାଏକ (୪୫) ଓ ପୁଅ କୈଳାସ (୨୦)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ, ମଦ ନିଶାରେ ଚୁର୍‌ ଥିବା ପୁଅ କୈଳାସ ଏଥିରେ ଉତ୍‌କ୍ଷିପ୍ତ ହୋଇ ଘରେ ଲୁଚାଇ ରଖିଥିବା ଏକ, ଦେଶୀ ବନ୍ଧୁକ ଆଣି ବାପା ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ତ୍ରିଲୋଚନଙ୍କ ବେକ ତଳେ ବାଜି ଶରୀର ଭେଦ କରିଯାଇଥିବାବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ଆଖପାଖ ଲୋକେ ତା‌ଙ୍କ ଘରକୁ ଦୌଡ଼ି ଆସିଥିଲେ। ଅଭିଯୁକ୍ତ କୈଳାସ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ନିଜ ସ୍ତ୍ରୀକୁ ଧରି ଫେରାର୍ ହୋଇ ଯାଇଥିଲା।

ଘଟଣାସ୍ଥଳଟି ଶିମିଳିପାଳ ପାଦଦେଶରେ ଘଟିଥିବାରୁ ଉଦଳା ପୁଲିସ ରାତିତମାମ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି କରିଥିଲେ ବି କୈଳାସର କୌଣସି ସନ୍ଧାନ ମିଳିନଥିଲା। ତେବେ, ବୁଧବାର ଦିନ ପ୍ରାୟ ୩ଟା ସମୟରେ ବଡ଼ସାହି ଥାନା ଚମ୍ପାଗଡ଼ ଗାଁ ପାଖ ଲୋଧାସାହି ଜଙ୍ଗଲରେ ସେ ଲୁଚିଥିବା ବେଳେ ତାକୁ ମାଡ଼ି ବସିଥିଲା ପୁଲିସ। ଏ ନେଇ କେସ୍ ନଂ ୨୭୫/୨୨ରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତଠାରୁ ବନ୍ଧୁକକୁ ଜବତ କରିଛି।

ଉଲ୍ଲେଖଯୋଗ୍ୟ ଯେ ଶିମିଳିପାଳ ପାଦଦେଶରେ ଥିବା ଗ୍ରାମଗୁଡିକରେ ଲୋକମାନେ ଶିକାର ଉଦ୍ଦେଶ୍ୟରେ ଚୋରା ଦେଶୀ ବନ୍ଧୁକ ରଖୁଛନ୍ତି। ଏ ସଂକ୍ରାନ୍ତରେ ବାରମ୍ୱାର ଅଭିଯୋଗ ସତ୍ତ୍ବେ ପ୍ରଶାସନ ଚଢ଼ଉ କରୁନାହିଁ।

ସମ୍ବନ୍ଧିତ ଖବର