ବିଜେଡି ସଭାରେ ମହିଳାଙ୍କ ପ୍ରତିବାଦ: ଆଗ ମଦ ବନ୍ଦ କର, ତା’ ପରେ ଭୋଟ୍‌ ମାଗ

ବାଲେଶ୍ବର: ଭରା ସଭାରେ ନେତାଙ୍କୁ ଘେରିଗଲେ ମହିଳା। ସମସ୍ତେ ଏକସ୍ବରରେ କହିଲେ, ତମେ ଶାସନରେ ଅଛ। ଆଗ ମଦ ବନ୍ଦ କର। ତା’ ପରେ ଯାଇ ଆମ ପାଖକୁ ଭୋଟ୍‌ ମାଗିବାକୁ ଆସିବ। ମଦ ବନ୍ଦ କରିଦେଲେ ଆମେ ସମସ୍ତେ ସମର୍ଥନ ଦେବୁ। ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ବୁଆଁଳ ପଞ୍ଚାୟତରେ ବୁଧବାର ଅନୁଷ୍ଠିତ ବିଜେଡିର ଏକ ସଭାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦଳୀୟ ସଭାରେ ସାମିଲ ହୋଇଥିବା ମହିଳାମାନଙ୍କ ଏପରି ପ୍ରତିବାଦ ଦେଖି ଭାଷଣ ଦେଉଥିବା ପୂର୍ବତନ ବିଧାୟକ ଅରୁଣ ଦେ ବି ହଡ଼ବଡ଼େଇ ଯାଇଥିଲେ। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଆଜି ଦିନତମାମ ଚର୍ଚ୍ଚା ଚାଲିଛି।

ସୂଚନା ମୁତାବକ, ବିଜେଡି ପକ୍ଷରୁ ବୁଆଁଳ ପଞ୍ଚାୟତରେ ବୁଧବାର ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ପୂର୍ବତନ ବିଧାୟକ ଅରୁଣ ଦେ, ବ୍ଲକ ସଭାପତି ବସନ୍ତ ପଣ୍ଡା ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଶ୍ରୀ ଦେ ଭାଷଣ ଦେବା ସମୟରେ ସଭାମଞ୍ଚ ଆଗକୁ ହଠାତ୍‌ କିଛି ମହିଳା ଉଠିଯାଇ ବିରୋଧ ପ୍ରଦର୍ଶନ କରିଥିଲେ। କହିଥିଲେ, ବୁଆଁଳ ପଞ୍ଚାୟତରେ ମର୍ଡର ହେଉଛି, ମଦ କାରବାର ବଢ଼ୁଛି। ତମ ଦଳ ତ ଶାସନରେ ଅଛି। ଆଗ ମଦ ବନ୍ଦ କର, ତା’ପରେ ଭୋଟ୍‌ ‌ମାଗିବାକୁ ଆସିବ। ଶ୍ରୀ ଦେ ମହିଳାମାନଙ୍କ କଥାକୁ ଏଡାଇ ଯିବା ପାଇଁ ଯେତେ ଚେଷ୍ଟା କରିଥିଲେ ବି ପାରିନଥିଲେ। ଶେଷରେ ଭାଷଣକୁ ସେଇଠି ତାଙ୍କୁ ବନ୍ଦ କରିବାକୁ ପଡ଼ିଥିଲା। ଏହା ପରେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ଜେନା ନିଜ ଭାଷଣରେ ସ୍ଥାନୀୟ ନେତୃତ୍ବଙ୍କୁ ପ୍ରଶଂସା କରିବା ସହିତ ବାଲେଶ୍ବର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସମ୍ପର୍କରେ କହିଥିଲେ। ଦଳର ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ବୁଆଁଳ ପଞ୍ଚାୟତବାସୀ ଅଧିକରୁ ଅଧିକ ଭୋଟଦେଇ ଜିତାଇବାକୁ ଅନୁରୋଧ କରିଥିଲେ। ଏ ସମସ୍ତ ଦୃଶ୍ୟକୁ ସଭାସ୍ଥଳରୁ କୌଣସି ବ୍ୟକ୍ତି ଭିଡିଓ ଉତ୍ତେଳନ କରି ସୋସିଆଲ୍‌ ମିଡିଆରେ ଭାଇରାଲ କରିବା ପରେ ଘଟଣା ସାମ୍‌ନାକୁ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର