ବିଧାନସଭାରୁ…: ଅର୍ଥ ମନ୍ତ୍ରୀଙ୍କ ଲମ୍ବା ଉତ୍ତର

ପ୍ରଶ୍ନକାଳରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଲମ୍ବା ଉତ୍ତରକୁ ନେଇ ଗୃହ ସରଗରମ ହୋଇଥିଲା। ତାରା ବାହିନୀପତିଙ୍କ ମୂଳ ପ୍ରଶ୍ନର ଉତ୍ତର ପଢ଼ିଲା ବେଳେ ଅର୍ଥ ମନ୍ତ୍ରୀ ପାଖାପାଖି ୮ ମିନିଟ୍‌ ସମୟ ନେଇଥିଲେ। ସେ ଏତେ ସମୟ ପଢ଼ୁଥିଲା ବେଳେ ବିଜେପି ସଭ୍ୟମାନେ କାହିଁକି ଲମ୍ବା ଉତ୍ତର ଦେଉଛନ୍ତି ବୋଲି ହୋହଲ୍ଲା କରିଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଉତ୍ତର ଦେବାକୁ ଏହାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଯୁକ୍ତି ବାଢ଼ିଥିଲେ। ତାରା କହିଥିଲେ, ମନ୍ତ୍ରୀ ୫ ପୃଷ୍ଠାର ଉତ୍ତର ପଢ଼ିଲେ। ମୁଁ ଏତେ ଲମ୍ବା ଉତ୍ତର ଏ ଗୃହରେ କେବେ ଦେଖି ନଥିଲି। ତାରା ଏହା କହିବା ସହ ନିଜେ ପ୍ରଶ୍ନ କରିବାକୁ ବି ପାଖାପାଖି ୪ ମିନିଟ୍‌ ସମୟ ନେଇଥିଲେ। ତେବେ ଆଜି ଏକ ଘଣ୍ଟାର ପ୍ରଶ୍ନକାଳରୁ ଅର୍ଦ୍ଧାଧିକ ସମୟ ଏହି ଗୋଟିଏ ପ୍ରଶ୍ନର ଆଲୋଚନାରେ ଶେଷ ହୋଇଥିଲା।

ରାଗିଗଲେ ଭାଗିରଥୀ
ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କଥା ପ୍ରସଙ୍ଗରେ କହିଥିଲେ ଯେ ଏକ ମାମଲାରେ ବିଧାୟକ ଭାଗିରଥୀ ସେଠୀଙ୍କ ବିରୋଧରେ ପୁଲିସ୍‌ରେ ଏତଲା ଦିଆଯାଇଥିଲେ ବି ମାମଲା ରୁଜୁ ହେଲା ନାହିଁ। ଏହାକୁ ନେଇ ଭାଗିରଥୀ ରାଗିଯାଇଥିଲେ। ଠିଆ ହୋଇ ପଡ଼ି କହିବା ପାଇଁ ପଏଣ୍ଟ୍‌ ଅଫ୍‌ ଅର୍ଡର୍ ମାଗିଥିଲେ। ଭାଷଣ ମଝିରେ ପଏଣ୍ଟ୍‌ ଅଫ୍‌ ଅର୍ଡର୍‌ ଦିଆଯିବା କଥା ନୁହେଁ ବୋଲି ବିଜେପି ସଭ୍ୟମାନେ କହିଥିଲେ। କିନ୍ତୁ ଭାଗିରଥୀ ଚିତ୍କାର କରି କହିବା ପାଇଁ ଅଡ଼ି ବସିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ତାଙ୍କୁ ସୁଯୋଗ ଦେଇଥିଲେ। ସେ କହିବା ଆରମ୍ଭ କଲା ବେଳକୁ ବିଜେପି ସଭ୍ୟମାନେ ହୋହଲ୍ଲା କରି କୁହାଇ ଦେଇ ନଥିଲେ। ଏହି ସମୟରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ନିକଟକୁ ଆସି ବସିଯିବା ପାଇଁ ବୁଝାଇଥିଲେ। ତାହା ପରେ ଭାଗିରଥୀ ଶାନ୍ତ ପଡ଼ିଥିଲେ।

ଉପନ୍ୟାସର ବାଖ୍ୟା କଲେ ଅରୁଣ
ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ବିରୋଧୀଙ୍କୁ ରୋଚକ ଢଙ୍ଗରେ ଜବାବ ଦେଇଥିଲେ ଶାସକ ଦଳ ବିଧାୟକ ଅରୁଣ ସାହୁ। କହିଥିଲେ, ପରୀକ୍ଷା ଦେବା ପାଇଁ ଯାଉଥିବା ଜଣେ ପିଲା ଗାଈର ଆତ୍ମଜୀବନୀକୁ ପ୍ରାଞ୍ଜଳ ଭାବେ ପଢ଼ିକି ଯାଇଥିଲା। କିନ୍ତୁ ପ୍ରଶ୍ନ ପଡ଼ିଲା ‘ନଈ ବଢ଼ିର ଦୃଶ୍ୟ’। ତାହା ପରେ ପିଲାଟି ଯେମିତି ଲେଖିଥିବ ତାହା ଅନୁମାନ କରିହେଉଥିବ। ବିରୋଧୀ ଦଳ ସେମିତି ମୁଖ୍ୟ ବିଷୟ ଉପରେ ଆଲୋଚନା ନକରି ମନଇଚ୍ଛା ଗପୁଛନ୍ତି। ଉପବାଚସ୍ପତି କେମିତି ସୁଯୋଗ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ପୁଣି ଉପନ୍ୟାସ ଓ ଗଳ୍ପର ବି ବାଖ୍ୟା କରିଥିଲେ ଅରୁଣ। ବିଧାନସଭାରେ ବିଧାୟକମାନଙ୍କ ଭୂମିକା କ’ଣ ହେବା ଦରକାର, ତାହାର ବି ସମୀକ୍ଷା କରିଥିଲେ। ସେ ନୂଆ ବିଧାୟକ ହୋଇ ଆସିଲା ବେଳେ ନରସିଂହ ମିଶ୍ରଙ୍କୁ ଶୁଣିବା ପାଇଁ କେମିତି ଅପେକ୍ଷା କରୁଥିଲେ ବୋଲି କହିଥିଲେ। ଅରୁଣଙ୍କ ଭାଷଣ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ଆପଣ ସଚେତକ, ସଚେତନ ହୋଇ କହିବେ
ଶୂନ୍ୟକାଳର ଶେଷ ଆଡ଼କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କହିବା ପାଇଁ ସୁଯୋଗ ଦେଲେ ବାଚସ୍ପତି। ଏତେ କମ୍ ସମୟରେ କ’ଣ କହିବି ବୋଲି ଶ୍ରୀ ମାଝୀ କହିଲେ। ବାଚସ୍ପତି ହାଲ୍‌କା ଭାବେ କହିଲେ, ଆପଣ ସଚେତକ। ସଚେତନ ହୋଇ କମ୍ ସମୟରେ କହିବେ। ଏହା ପରେ ଶ୍ରୀ ମାଝୀ ଅନୁଗୁଳ ଜିଲ୍ଲା କିଶନନଗର ବିଡିଓ ବିନୋଦ ବିହାରୀ ବେହେରା ନିଜର ଏକ ବିଜ୍ଞାପନରେ ଶଙ୍ଖ ଚିହ୍ନ ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ। ସରକାରୀ କର୍ମଚାରୀ ହୋଇ ଶାସକ ଦଳର କର୍ମୀ କିପରି ହେଲେ ବୋଲି ସେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର