ବିଧାନସଭାରେ ହେଲିକପ୍ଟର ବିବାଦ: ଏହା ଲକ୍ଷ ଲକ୍ଷ ଓଡ଼ିଆଙ୍କ ଭାବାବେଗକୁ ଆହତ କରିଛି ବୋଲି ନରସିଂହ କହିଲେ, ଗିରଫ ଦାବି କଲା ବିଜେଡି

ଭୁବନେଶ୍ବର :ବିଧାନସଭାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣକୁ ନେଇ ହୋହାଲ୍ଲା ହୋଇଛି । ଚିଲିକାରେ ତଥା ନୋ ଫ୍ଲାଇଂ ଜୋନରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ଏହାକୁ ବିରୋଧ କରି ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବା ସହ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଥିଲେ। ଏଥିସହ ବୈଜୟନ୍ତ ପଣ୍ଡା ଓ ତାଙ୍କ ସହ ହେଲିକପ୍ଟରରେ ଥିବା ସାମ୍ବାଦିକ-ଲେଖକ ଅଭିଜିତ ଆୟରଙ୍କ ଗିରଫ ଦାବି କରିଥଲେ।

ବୈଜୟନ୍ତଙ୍କ ସହ ଉଡାଣ କରିଥିବା ସାମ୍ବାଦିକ-ଲେଖକ ଅଭିଜିତ ଆୟରଙ୍କ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ନେତା ନରସିଂହ ମିଶ୍ର । ଶୂନ୍ୟକାଳରେ କୋଣାର୍କ ଓ ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡାଇବା ଏବଂ ସୋସିଆଲ ମିଡିଆରେ ଆପତ୍ତିଜନକ ବିବୃତିକୁ ବିରୋଧ କରିଛନ୍ତି ସେ । ଏଥି ଲାଗି ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ, ଏହା ଲକ୍ଷ ଲକ୍ଷ ଓଡିଆଙ୍କ ଭାବାବେଗକୁ ଆହତ କରିଛି ବୋଲି ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ, ବିଜେଡି ବିଧାୟକ ସଂଜୟ ଦାସବର୍ମା କହିଛନ୍ତି କି, ଚିଲିକା ବିରଳ ଡଲଫିନ, ମତ୍ସ୍ୟସଂପଦ ଏ ବିଦେଶୀ ପକ୍ଷୀଙ୍କ ସମାଗମ ସ୍ଥଳୀ । ଜୈବ ବିବିଧତା କ୍ଷେତ୍ର ପ୍ରକୃତିର ଅପୂର୍ବ ଦାନ । ୩ ଲକ୍ଷ ମତ୍ସ୍ୟଜୀବୀ ଚିଲିକା ଉପରେ ନିର୍ଭର କରୁଛନ୍ତି । ଚିଲିକାକୁ ବଂଚେଇବା ପାଇଁ ବିଜୁ ବାବୁ ସିଡିଏ ଗଠନ କରିଥିଲେ । ସି ପ୍ଲେନ ପ୍ରକଳ୍ପକୁ ଆମେ ବିରୋଧ କରୁଥିଲୁ । କେନ୍ଦ୍ର ସରକାର ଏଥିପାଇଁ ଏ ପ୍ରସ୍ତାବକୁ ବନ୍ଦ କଲେ । କିନ୍ତୁ ଏ ବାବଦ ନଥମୁଣୁ ପୁଣି ଏମିତି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସଂଜୟ ଦାସବର୍ମା । ସେ ଆହୁରି ମଧ୍ୟ କହିଛନ୍ତି କି, ବୈଜୟନ୍ତ ହେଲିକପ୍ଟର ଉଡାଇବା ଘଟଣା ତଦନ୍ତ ଚାଲିଛି ହ୍ୟାଙ୍ଗର ସିଲ କରାଯାଇଛି । ସମସ୍ତେ ସେ ଭିଡିଓ ଦେଖନ୍ତୁ । ଯଦ ଏ ଭିଡିଓ ସତ ହୋଇଥାଏ , ଓଡିଆ ହିସାବରେ ଆମେ କଦାପି ବରଦାସ୍ତ କରିବୁନି ।

ସମ୍ବନ୍ଧିତ ଖବର