ଅର୍ଥାଭାବ, ପାରିବାରିକ ଅଶାନ୍ତି : ବିଷପାନ କରି ଦମ୍ପତ୍ତିଙ୍କ ଆତ୍ମହତ୍ୟା

ମାହାଙ୍ଗା : ଯନ୍ତ୍ରଣାରେ ଛଟପଟ ହୋଇ ଟଳିପଡ଼ିିଲେ ସ୍ୱାମୀ। ସ୍ୱାମୀ ଯିବାର ମାତ୍ର ଅଧଘଣ୍ଟା ଭିତରେ ସ୍ତ୍ରୀ ମଧ୍ୟ ଚାଲିଗଲେ ଆରପାରିକୁ। ଅର୍ଥାଭାବ, ପାରିବାରିକ ଅଶାନ୍ତି କାରଣରୁ ବିଷପାନ କରି ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବାବେଳେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି  କଟକ ଜିଲ୍ଲାର ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ ଦୁଲାରପୁର ଗ୍ରାମରେ। ବାପା-ମାଙ୍କୁ ହରାଇ ୨ସନ୍ତାନ ଏବେ ଅନାଥ ହୋଇପଡିଛନ୍ତି।

ସୂଚନା ଅନୁସାରେ, ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ  ଭଉଁରିଆ ଗ୍ରାମର ରଘୁନାଥ ସାମଲଙ୍କ ପୁଅ ପ୍ରମୋଦ(୪୫)। ସେ ଦୁଲାରପୁର ଗ୍ରାମରେ ବିବାହ କରିଥିଲେ।   କିଛି ମାସ ହେବ ଘରଛାଡି ଦମ୍ପତ୍ତି ଶ୍ୱଶୁର ଘର ଗ୍ରାମରେ ଏକ ଚାଳ ଘର କରି ରହୁଥିଲେ । ଏପରିକି ଗୋଟିଏ ପୁଅ ଓ ଝିଅ ଥିବାବେଳେ ସେମାନଙ୍କୁ  ମଧ୍ୟ ସାଙ୍ଗରେ ଆଣିନଥିଲେ। ଜେଜେଙ୍କ ପାଖରେ ରହୁଥିଲେ ୨ଛୁଆ।  ଟ୍ରଲି ଚଳାଇ ପେଟ ପୋଷୁଥିଲେ ଦମ୍ପତ୍ତି। କିନ୍ତୁ ଅର୍ଥାଭାବ ସହ ପାରିବାରିକ ଅଶାନ୍ତି ଫଳରେ ବିଭିନ୍ନ ସମୟରେ ସେମାନଙ୍କ ମଧ୍ୟରେ ମତାନ୍ତର ଲାଗିରହିଥିଲା। ବୁଧବାର ରାତି ପ୍ରାୟ ୯ଟାରେ ପ୍ରମୋଦ ରହୁଥିବା ଘରଠାରୁ କିଛି ଦୂରରେ ଥିବା ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଯାଇ ରାତିରେ ଶୋଇଥିଲେ । କିନ୍ତୁ  ଶୋଇବାର କିଛି ସମୟ ପରେ ସେ ଯନ୍ତ୍ରଣା ଅନୁଭବ କରି ତଳେ ଛଟପଟ ହୋଇ ପଡିଯାଇଥିଲେ।

ଏହି ଘଟଣା ଦେଖିବା ପରେ ତୁରନ୍ତ  ଜଣେ ବ୍ୟକ୍ତି ପ୍ରମୋଦଙ୍କ ସ୍ତ୍ରୀ ଓ ତାଙ୍କ  ବାପାଙ୍କୁ ଘଟଣା ସଂପର୍କରେ ଖବର ଦେଇଥିଲେ । ଖବର ପାଇ  ସ୍ତ୍ରୀ କୁନି ଓ ବାପା, ମା  ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ କିଛି ସମୟପରେ  ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁର କିଛି ସମୟ ପରେ ବି  ସ୍ତ୍ରୀ କୁନିଙ୍କର ମୃତ୍ୟୁ ଘଟିଥିଲା। ଏଭଳି ମୃତ୍ୟୁ ପଛର ଠିକ୍‌ କାରଣ ଜଣା ପଡିନଥିବାବେଳେ ଏହା ପଛରେ ପାରିବାରିକ ଅଶାନ୍ତି  ଓ ଅର୍ଥାଭାବ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ବିଷପାନ କରି ଦମ୍ପତ୍ତି ଆତ୍ମହତ୍ୟା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଥିବାବେଳେ ପୁଲିସ ଏନେଇ ପ୍ରମୋଦଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଅପରପକ୍ଷେ ଏହି ଦମ୍ପତିଙ୍କ ମୃତ୍ୟୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ପ୍ରମୋଦଙ୍କ ବାପା ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇ ତଦନ୍ତ ଚଳାଇଛନ୍ତି । ଏ ସଂପର୍କରେ ମାହାଙ୍ଗା ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପାରିବାରିକ ଅଶାନ୍ତି ଓ ଅତି ଗରିବ ଶ୍ରେଣୀର ହୋଇଥିବାରୁ ମାନସିକ ଚାପଗ୍ରସ୍ତ ହୋଇ ଦମ୍ପତ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର