ବୁର୍ଲାରେ ବ୍ୟାପୁଛି ଜଣ୍ଡିସ୍‌: ୨୯ ରୋଗୀ ଚିହ୍ନଟ

ସମ୍ବଲପୁର: ନିର୍ବାଚନ କାମରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବ୍ୟସ୍ତ। ଏହି ସମୟରେ ବୁର୍ଲାରେ ବ୍ୟାପୁଛି ଜଣ୍ଡିସ। ୨୯ ଜଣଙ୍କ ଠାରେ ରୋଗ ଚିହ୍ନଟ ହୋଇସାରିଲାଣି। ତେବେ, ଏହି ରୋଗ ବ୍ୟାପିବା ପଛରେ ପିଏଚ୍‌ଡ଼ି ବିଭାଗର ବଡ଼ ହାତ ଥିବା ଅଭିଯୋଗ ହେଉଛି। ଫଟା ଓ ଲିକ୍ ପାଣି ପାଇପ୍‌ ମରାମତି ଉପରେ ଗୁରୁତ୍ବ ଦିଆଯାଉନି। ଓ୍ବାନ୍‌ଆର କଲୋନି, ବିଷ୍ଣୁ ମନ୍ଦିର ପଡ଼ା, ମାର୍କେଟ ପଡ଼ା, ଅଟାଚକି ପଡ଼ା, ମହତାବ ନଗର, କଣ୍ଟ୍ରାକ୍ଟର କଲୋନି ସମେତ ସହରର ବିଭିନ୍ନ ସ୍ଥାନରେ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପ୍ରାୟ ୩ ସପ୍ତାହ ହେଲା ଏହି ସ୍ଥିତି ଉତ୍ପନ୍ନ ହୋଇଥିବାବେଳେ ୨ ସପ୍ତାହ ହେଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏ ନେଇ ଅବଗତ ହେବା ପରେ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି।

ଏଠାରେ ସ୍ଥିତ ବିଭିନ୍ନ ପଡ଼ାରେ ନାଳି ଦେଇ ପାଣି ପାଇପ ଯାଇଛି। ଏଥିରେ ଛିଦ୍ର ଥିବା ଯୋଗୁଁ ପାଣି ପାଇପ ଭିତରେ ନାଳି ପାଣି ପ୍ରବେଶ କରୁଛି। ଏଥିସହିତ ଖୋଲାରେ ଶୌଚ ଯୋଗୁଁ ସ୍ଥିତି ଜଟିଳ ଆକାର ଧାରଣ କରିଛି। ଏହି ଛିଦ୍ର ମରାମତି ନେଇ ପିଏଚଡି ବିଭାଗକୁ ଅଭିଯୋଗ କରାଯାଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି। ଏବେ ଜଣ୍ଡିସ ବ୍ୟାପିବା ପରେ ଖାଦ୍ୟ ଏବଂ ପାଇପ୍‌ ପାଣି ନମୂନା ସଂଗ୍ରହ କରାଯାଇଛି। ନିର୍ଦିଷ୍ଟ ଗୋଟିଏ ପଡ଼ାରେ ଜଣ୍ଡିସ ନ ହୋଇ ସମ୍ପୂର୍ଣ୍ଣ ସହରରେ ବ୍ୟାପିଥିବା କହିଛନ୍ତି ଏଡିଏମଓ ପିଏଚ। ଅନ୍ୟପକ୍ଷରେ, ଏସଏମସି କମିସନର ତ୍ରିଲୋଚନ ମାଝିଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ହୋଇ ପ୍ରତି ଘରକୁ ଯାଇ ଜଣ୍ଡିସ ସର୍ଭେ ପାଇଁ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦେଶ ହୋଇଛି। ବୁର୍ଲାରେ କେଉଁ ସ୍ଥାନରେ ଜଳ ସଂକ୍ରମିତ ହୋଇଛି ଏହା ଚିହ୍ନଟ ସହିତ ପାଣି ନମୂନା ସଂଗ୍ରହ ପାଇଁ ଜନସ୍ବାସ୍ଥ୍ୟ ବିଭାଗ, ୨୬ ତାରିଖରୁ ସଫେଇ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି। ଶିକ୍ଷାନୁଷ୍ଠାନରେ ଜଣ୍ଡିସ ନେଇ ସଚେତନତା କାର୍ଯ୍ୟ ସହିତ ହାତ ଧୋଇବା ପାଇଁ କୁହାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତାପ ରୁଦ୍ର ମଣ୍ଡଳ, ପରିମଳ ନିରୀକ୍ଷକ ରଂଜିତ ପରିଡ଼ା ଏବଂ ଲୋକନାଥ ବେହେରାଙ୍କ ନେତୃତ୍ବରେ ଖାଦ୍ୟ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର