ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଟିମ୍ : ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନଃସ୍ଥାପନ କାର୍ଯ୍ୟକୁ ପ୍ରଶଂସା

ସପ୍ତାହକ ଭିତରେ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ
ବ୍ୟାପକ ଫସଲ ହାନି ଓ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ

ଭୁବେନଶ୍ବର : ବୁଲ୍‌ବୁଲ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନଃସ୍ଥାପନ ଓ ରିଲିଫ୍ କାର୍ଯ୍ୟ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ରୀୟ ଅନ୍ତଃମନ୍ତ୍ରଣାଳୟ ଟିମ୍। ଦୁଇଦିନିଆ ଗସ୍ତ ସାରି ଆଜି ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ଅଧିକାରୀମାନଙ୍କ ସହ କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ ଫସଲ ହାନି ହେବା ସହ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ଏସବୁ ଜିଲ୍ଲାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ନେଇ କମିଟିର ନେତୃତ୍ବ ନେଇଥିବା ସ୍ବରାଷ୍ଟ୍ର ବିଭାଗ ଯୁଗ୍ମ ଶାସନ ସଚିବ ସହେଲି ଘୋଷ ରାୟ କହିଛନ୍ତି। ଆସନ୍ତା ସପ୍ତାହକ ଭିତରେ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ପ୍ରକାଶ କରିଛନ୍ତି।

ବୁଲ୍‌ବୁଲ୍ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରୁଥିବା ବେଳେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟା ମଧ୍ୟରେ ସମସ୍ତ ୨୧୨ଟି ଅବରୋଧ ରାସ୍ତା ସଫା କରି ଗମନାଗମନ ସ୍ବାଭାବିକ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରେ ୧୫ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରାଯାଇଛି। ପାନୀୟ ଜଳ ଯୋଗାଣ ଜାରି ରହିଛି। ବାତ୍ୟାର ବହୁ ପୂର୍ବରୁ ସତର୍କ ସୂଚନା ହେତୁ ସମସ୍ତ ୧୯ ହଜାର ୬୩୫ ମାଛଧରା ବୋଟ୍ ଏବଂ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରାଇ ଆଣିବାରେ ପ୍ରଶାସନ ସଫଳ ହୋଇଥିଲା। ଏହା ସହିତ ପଶ୍ଚିମବଙ୍ଗର ୪୩ଟି ବୋଟ୍ ସହ ୩୮୧ ମତ୍ସ୍ୟଜୀବୀଙ୍କୁ ବାତ୍ୟା ସମୟରେ ଆଶ୍ରୟ ଓ ସହାୟତା ଯୋଗାଇ ଦିଆଯାଇଛି। ଆଲୋଚନା ସମୟରେ ସ୍ବତନ୍ତ୍ର ରିଲିଫ କମିସନର ତଥା ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଜଣାଇଥିଲେ ବାତ୍ୟା ଓଡ଼ିଶା ତଟର ନିକଟ ଦେଇ ଗତି କରିଥିବାରୁ ଏହାର ପ୍ରଭାବରେ ପବନ ଓ ବର୍ଷା ଯୋଗୁ ୫୦ଟି ବ୍ଲକ୍ ଓ ୧୨ଟି ସହରାଞ୍ଚଳର ପ୍ରାୟ ୩୭.୪୯ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨.୩ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଓ ଉଦ୍ୟାନ ଚାଷ ନଷ୍ଟ ହୋଇଛି। ବର୍ତ୍ତମାନ କୃଷି ଓ ରାଜସ୍ବ ବିଭାଗ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଯୁଗ୍ମ ସର୍ବେକ୍ଷଣ ଜାରି ରଖିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଯିବ।

ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ କେନ୍ଦ୍ରୀୟ ଟିମଙ୍କ ସହ ଆଲୋଚନା କରିଥିଲେ। ଏହି ୭ ଜଣିଆ ଟିମ୍‌ରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘଲ, ଗ୍ରାମ୍ୟ ଉନ୍ନୟନର ଉପଶାସନ ସଚିବ ଏସ୍.ଏସ୍.ମୋଦୀ, କେନ୍ଦ୍ରୀୟ ଜଳ ଆୟୋଗର ଓଡ଼ିଶାରେ ଅବସ୍ଥାପିତ ଅଧୀକ୍ଷଣ ଯନ୍ତ୍ରୀ ଅମରିଶ ପାଲ୍ ସିଂହ, କୃଷି ବିଭାଗ ନିର୍ଦ୍ଦେଶକ ବୀରେନ୍ଦ୍ର ସିଂହ, ସଡ଼କ ପରିବହନ ମନ୍ତ୍ରଣାଳୟର ସୁନୀଲ କୁମାର ଏବଂ ବ୍ୟୟ ବିଭାଗ ପରାମର୍ଶଦାତା ଦୀନା ନାଥ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର