ବ୍ରହ୍ମପୁର : କୁଆଡ଼େ ଗଲା ପ୍ରତିଶ୍ରୁତି ? ୧୪ ଦୀର୍ଘମିଆଦି ପ୍ରକଳ୍ପର ଭାଗ୍ୟ ଝୁଲୁଛି

ବ୍ରହ୍ମପୁର : ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହର ବିକାଶ ପଛରେ ପଡ଼ିଯାଇଛି। ଗଞ୍ଜାମ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ ହେଁ ଇଚ୍ଛାଶକ୍ତିର ଅଭାବ ସାଂଗକୁ ପ୍ରାଶାସନିକ ଉଦାସୀନତା ଯୋଗୁଁ ଅବହେଳିତ ହୋଇ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଣଦେଖାର ଶିକାର ହୋଇଛି ବ୍ରହ୍ମପୁର। କେବଳ ପ୍ରତିଶ୍ରୁତି ଓ ଶିଳାନ୍ୟାସ ଭିତରେ ଅଟକିଛି ବିକାଶର ରୂପେଲି ଚିତ୍ର। ୧୯୯୭ରୁ ୨୦୧୩ ମଧ୍ୟରେ ୧୪ଟି ଦୀର୍ଘମିଆଦି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ଏହାର କାର୍ଯ୍ୟକାରିତା ଏତେ ବର୍ଷ ଭିତରେ ବି ଅନିଶ୍ଚିତ। ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହର ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ଶିକ୍ଷାବିତ, ବୈଜ୍ଞାନିକ ସୃଷ୍ଟି କରିଥିଲେ ହେଁ ଏହି ଅଞ୍ଚଳକୁ ଗୁରୁତ୍ବ ଦିଆ ନଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ବ୍ରହ୍ମପୁର ମହାନଗରକୁ ମେଗା ପାନୀୟ ଜଳ ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ଉଦ୍‌ଘାଟନ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସମଗ୍ର ସହରବାସୀ ପାଣି ପାଇବାରୁ ବଞ୍ଚିତ।
YouTube
ହାଇକୋର୍ଟ ବେଞ୍ଚ୍‌ ହେଉ କିମ୍ବା ବିମାନବନ୍ଦର ପ୍ରତିଷ୍ଠା, କେବଳ ଘୋଷଣାରେ ଅଟକିଛି। ରାଜ୍ୟର ପ୍ରଥମ ସହର ଭାବେ ୧୯୯୭ ମସିହାରେ ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ନେଇ ଘୋଷଣା କରା ଯାଇଥିଲା। ତତ୍କାଳୀନ ଆସିକା ସାଂସଦ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପଦକ୍ଷେପ ବି ନେଇଥିଲେ। ଏଭଳିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରିଥିଲେ। ଇତି ମଧ୍ୟରେ ଦୀର୍ଘ ୨୪ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ନିଷ୍ପତ୍ତି ହୋଇପାରୁ ନାହିଁ। ଗତ ୨୦୦୮ରେ ପୌର ପରିଷଦରୁ ମହାନଗର ନିଗମରେ ପରିଣତ ହେଲା ବ୍ରହ୍ମପୁର। ସହର ଉପକଣ୍ଠ ୧୮ଟି ପଞ୍ଚାୟତକୁ ମହାନଗରରେ ସାମିଲ କରାଯିବ ବୋଲି ରାଜ୍ୟସରକାର ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ମୁଣ୍ଡ ଟେକୁଛି। ୨୦୧୨ ମସିହାରେ କେନ୍ଦ୍ର ସରକାରଙ୍କ ରେଳ ବଜେଟରେ ଶୀତଳାପଲ୍ଲୀ ଠାରେ ଵାଗନ୍‌ ଫ୍ୟାକ୍ଟ୍ରି କରାଯିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟ ସରକାର ଶିତଳାପଲ୍ଲୀ ଅଞ୍ଚଳରେ ଏହି କାରଖାନା ପାଇଁ ୧୦୧ ଏକର ଜମି ପ୍ରଦାନ କରିଥିଲେ ସୁଦ୍ଧା ଏହି ପ୍ରକଳ୍ପ ତାଲିକାରେ ନାହିଁ ବୋଲି କେନ୍ଦ୍ର ବଜେଟ୍‌ରୁ ଅଦୃଶ୍ୟ ହୋଇଗଲା।
ବ୍ରହ୍ମପୁର ସହରର ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ରିଂ ରୋଡ଼୍‌ର କାର୍ଯ୍ୟାରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଘୋଷଣାର ୮ ବର୍ଷ ପରେ ଗତ ଜାନୁଆରି ୪ ତାରିଖ ଦିନ ରାମଲିଙ୍ଗେଶ୍ବର ପାର୍କ ଉଦ୍‌ଘାଟନ ବେଳେ ବି ରିଂ ରୋଡ଼ ବିଷୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ରିଂ ରୋଡ଼ର କାର୍ଯ୍ୟାରମ୍ଭ ଦୂର କଥା, ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ଶତପ୍ରତିଶତ ଜମି ଅଧିଗ୍ରହଣ ହୋଇନାହିଁ। ବ୍ରହ୍ମପୁରକୁ ପୁଲିସ କମିସନରେଟ୍‌ କରାଯିବ ବୋଲି ପ୍ରସ୍ତାବ ଥିଲା। ଏହି ଫାଇଲ୍‌ କାହା ଟେବୁଲ୍‌ରେ ଅଟକିଛି ତା’ର ଉତ୍ତର କାହା ପାଖରେ ନାହିଁ। ଗତ ୨୦୧୫ ମସିହାରେ କେନ୍ଦ୍ର ସରକାର ଗୋପାଳପୁର ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଲଉଡ଼ିଗାଁ ଠାରେ ଆଇଆଇଟିର ତଟବର୍ତ୍ତୀ ପର୍ଯ୍ୟବେକ୍ଷଣ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାର ୪୦ ଏକର ଜମି ବି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। କିନ୍ତୁ ଏହି ପ୍ରସ୍ତାବ ଶୀତଳଭଣ୍ଡାରକୁ ଚାଲିଯାଇଛି। ସେଭଳି କରାପଲ୍ଲୀ ଠାରେ ଆୟୁଷ ଚିକିତ୍ସାଳୟ ସ୍ଥାପନ ନେଇ କେନ୍ଦ୍ର ସରକାର ୨୦୧୫ରେ ପ୍ରସ୍ତାବ ଦେଇଥିଲେ। ଏହାର ସ୍ଥିତି ବି ସମାନ। ଜମି ହସ୍ତାନ୍ତର ହୋଇଥିବା ବେଳେ ଆଜି ସୁଦ୍ଧା କାର୍ଯ୍ୟକାରୀ ହେବ କି ନାହିଁ ଅନିଶ୍ଚିତ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ୨୦୧୬ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଲକ୍ଷ୍ମୀପୁରରେ ଡୋମେଷ୍ଟିକ ଏୟାର୍‌ପୋର୍ଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି। କିନ୍ତୁ ଉଭୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆଜି ବିମାନବନ୍ଦର ବାସ୍ତବ ରୂପ ନେଇପାରୁ ନାହିଁ। ବୃହତ୍ତର ବ୍ରହ୍ମପୁରର ପରିକଳ୍ପନା ନେଇ ଶୀତଳାପଲ୍ଲୀରେ ନର୍ଥ ସିଟି କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆମ୍ବପୁଆ ବିବେକବିହାର ଠାରେ ୧୩ ଏକର ଜମିରେ ସିଟି କମର୍ସିଆଲ ସେଣ୍ଟର୍‌ ପ୍ରସ୍ତାବ ଦିଆ ଯାଇଥିଲା। ବିଡିଏର ସାଧାରଣ ପରିଷଦ ‌ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ସହ ଅନୁମୋଦନ ପାଇଁ ପଠା ଯାଇଥିଲା। ତେବେ ଏହି ପ୍ରକଳ୍ପର ସ୍ଥିତି ନେଇ ସମସ୍ତେ ଅଜ୍ଞ। ଗତ ୨୦୧୦ ମସିହାରେ କେନ୍ଦ୍ର ରେଳ ବିଭାଗ ପକ୍ଷରୁ ଗ˚ଜାମ, କନ୍ଧମାଳ ଓ ସମ୍ବଲପୁରକୁ ସ˚ଯୋଗ କରିବା ପାଇଁ ଗୋପାଳପୁର-ସମ୍ବଲପୁର ରେଳଲାଇନ୍‌, ୨୦୧୩ରେ ଗ˚ଜାମ, ଗଜପତି ଓ ରାୟଗଡ଼ାକୁ ସ˚ଯୋଗ ନେଇ ରାୟଗଡ଼ା-ଗୋପାଳପୁର ରେଳଲାଇନ୍‌ ଓ ଗ˚ଜାମ, ନୟାଗଡ଼ ଓ ଅନୁଗୁଳକୁ ସ˚ଯୋଗ କରିବା ପାଇଁ ଗୋପାଳପୁର-ତାଳଚେର ରେଳଲାଇନ୍‌ ଘୋଷଣା କରା ଯାଇଥିଲେ ହେଁ ଏ ନେଇ ଆଜି ସୁଦ୍ଧା ଡିପିଆର୍‌ ପ୍ରସ୍ତୁତ ହୋଇନାହିଁ। ସରକାରଙ୍କ ଏହି ଦୀର୍ଘମିଆଦି ପ୍ରକଳ୍ପକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା ଓ ଅଣଦେଖା କରିବା ଫଳରେ ଗଞ୍ଜାମ ଜିଲ୍ଲା, ବିଶେଷ କରି ଏହତିହାସିକ ସହର ବ୍ରହ୍ମପୁର ଆଜି ବିକାଶ ମାନଚିତ୍ରରେ ଅଜିଯାଇଛି।
ସମ୍ବନ୍ଧିତ ଖବର