ବଡ଼ଦାଣ୍ଡରେ ଆତଙ୍କରାଜ, ଡାକ୍ତରଖାନା କର୍ମଚାରୀଙ୍କୁ ଉଲଗ୍ନ କରି ପିଟିଲେ

ପୁରୀ: ପୁରୀରେ ସୀମା ଟପିଗଲାଣି ଗୁଣ୍ଡାରାଜ୍‌। ଆଇନ୍‌ ବ୍ୟବସ୍ଥା, ପୁଲିସକୁ ତିଳେ ମାତ୍ର ଖାତିର କରୁନାହାନ୍ତି ଅସାମାଜିକ ଯୁବକ। ଆଜି ଦିନ ଦ୍ବିପ୍ରହରରେ ଡାକ୍ତରଖାନାର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଲଙ୍ଗଳା କରି ପିଟିଛନ୍ତି ୩ ଜଣ ଯୁବକ। ନା ପୁଲିସ ପ୍ରତି ସେମାନଙ୍କର ଥିଲା ଭୟ, ନା କାହାକୁ ଥିଲା ଖାତିର। ଟ୍ରାଫିକ୍‌ ଆଉଟ୍‌ ପୋଷ୍ଟ, ପୁଲିସ ଉପସ୍ଥିତିରେ ବଡ଼ଦାଣ୍ଡରେ ପ୍ରାୟ ୮୦୦ ମିଟର ଘୋଷାରି ଘୋଷାରି ପିଟିଥିଲେ। ସମସ୍ତେ ଦେଖୁଥିଲେ ବି କାହାରି ପାଟି ଖୋଲି ନଥିଲା‌। ଶେଷକୁ ସେହି ରାସ୍ତା ଦେଇ ଫେରୁଥିବା ପିସିଆର ଭ୍ୟାନ୍‌ ସମ୍ପୃକ୍ତ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ୩ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ନେଇଛି। ମଦନ ନାୟକ ଜିଲ୍ଲା ହସ୍ପିଟାଲ ପାଥୋଲାବ୍‌ରେ ସଫେଇ କର୍ମଚାରୀ ଭାବେ କାମ କରନ୍ତି। ଆଜି ମଧ୍ୟାହ୍ନରେ ସେ କାମ କରୁଥିବା ବେଳେ ହଠାତ୍‌ ୩ ଜଣ ଯୁବକ ତାଙ୍କୁ କାବୁ କରି ନେଇଥିଲେ। କିଛି ବୁଝିବା ପୂର୍ବରୁ ଡାକ୍ତରଖାନା ଭିତରୁ ଟାଣି ଆଣି ତାଙ୍କ ପ୍ୟାଣ୍ଟ ଉତ୍ତାରି ଲଙ୍ଗଳା କରିଦେଲେ। ତା ପରେ ଛାଇ ଦେଇଗଲେ ବିଧା, ଗୋଇଠା, ଚାପୁଡା। ଡାକ୍ତରଖାନା ଛକ ଟ୍ରାଫିକ୍‌ ପୋଷ୍ଟ ଓ ପୁଲିସ ଆଉଟ୍‌ ପୋଷ୍ଟ ଆଗରେ ଏକାଧିକ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ନିସ୍ତୁକ ପିଟିବା ସହ ଘୋଷାଡ଼ି ଟାଣି ନେଇଗଲେ। ମାଉସୀମା ମନ୍ଦିର ନିକଟରେ ଅଭିଯୁକ୍ତମାନେ ଫିଲିମ୍‌ ଷ୍ଟାଇଲରେ କାଚ ବୋତଲ ଭାଙ୍ଗି ମଦନଙ୍କୁ ମାଡ଼ ମାରୁଥିବା ଦେଖୁଥିଲେ ସମସ୍ତେ। ପୁଲିସ ବି। ଏଭଳି ଆତଙ୍କରାଜ ଦେଖି ସମସ୍ତେ ଅବାକ। ଆକ୍ରମଣକାରୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମଦନଙ୍କୁ ମାଡ଼ ମାରି ଚାଲିଥାନ୍ତି। ଅଭିଯୁକ୍ତମାନେ ମାଉସୀମା ମନ୍ଦିର ନିକଟରେ ପହଞ୍ଚିବା ବେଳକୁ ଅପର ପଟୁ ପିସିଆର ଭ୍ୟାନ୍‌ ଆସିଥିଲା। ପିସିଆର ଭ୍ୟାନ୍‌ରୁ ପୁଲିସ କର୍ମଚାରୀମାନେ ଓହ୍ଲାଇ ମଦନଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ୩ ଜଣଙ୍କୁ କାବୁ କରିନେଇଥିଲେ। ଆକ୍ରମଣକାରୀ ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ତେବେ ବିଚ୍‌ ରାସ୍ତାରେ ଜଣେ କର୍ମଚାରୀଙ୍କୁ ଉଲଗ୍ନ କରି ମାଡ଼ ମାରିବା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ବଡ଼ଦାଣ୍ଡରେ ଯଦି ପୁଲିସ ବ୍ୟବସ୍ଥା ବା ଆଇନ୍‌କୁ ଅପରାଧୀମାନେ ଖାତିର କରୁନାହାନ୍ତି ତେବେ ସାହି, ଗଳି ଓ ଗାଁ ଗଣ୍ଡାର ସ୍ଥିତି କ’ଣ ହେଉଥିବ ତାହା ସ୍ପଷ୍ଟ ଅନୁମେୟ। ଏ ସମ୍ପର୍କରେ ସିଟି ଡିଏସ୍‌ପି ମୁନା ପଟ୍ଟନାୟକଙ୍କ କହିବାନୁଯାୟୀ, ୩ ଜଣ ମିଶି ଜଣେ ବ୍ୟକ୍ତିଙ୍କୁ ଲଙ୍ଗଳା କରି ଆକ୍ରମଣ କରିଥିଲେ। ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର