ଭାଗଚାଷୀଙ୍କ ଆତ୍ମହତ୍ୟା
ବଲାଙ୍ଗୀର: ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଟେଙ୍ଗରାପଥର ଗାଁର ମକୁନ୍ଦ ବରିହା (୩୫) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ରବିବାର ସଂଧ୍ୟାରେ ସେ କୀଟନାଶକ ପିଇ ଦେଇଥିବା ବେଳେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ କହିବାନୁସାରେ, ମକୁନ୍ଦ ନିଜର ଜମିରେ ଧାନ ଫସଲ ଓ ଅନ୍ୟର ୫ ଏକର ଜମିରେ ଭାଗ ଚାଷୀ ଭାବେ କପା ଫସଲ ଚାଷ କରିଥିଲେ। କିନ୍ତୁ କପା ଫସଲ ଭଲ ହୋଇ ନଥିବାରୁ କିଛି ଦିନ ହେଲା ସେ ମାନସିକ ଅବସାଦରେ ରହୁଥିଲେ। ତାଙ୍କ ମା’ଙ୍କ ନାମରେ ମାଇକ୍ରୋଫାଇନାନ୍ସରୁ ୩୫ ହଜାର ଟଙ୍କା ଋଣ ଆଣିଥିଲେ। ନିଜ ବାଇକ୍କୁ ବନ୍ଧକ ଦେଇ ଅନ୍ୟ ଜଣଙ୍କ ଠାରୁ ୨୦ ହଜାର ଆଣିଥିଲେ ବୋଲି ମୃତକଙ୍କ ପିତା ବୁଡୁ ବରିହା ଓ ଗ୍ରାମବାସୀ କହିଛନ୍ତି। ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି।