ଭୁବନେଶ୍ବର-ପୁରୀ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ବସ୍‌ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ

ପୂଜାଛୁଟି ସାରି ଘରୁ ଭୁବନେଶ୍ବର ଫେରୁଥିଲେ, ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ପିପିଲି/ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଉତ୍ତରାଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ ଛକ କଟ୍‌ ନିକଟରେ ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତ ଯୁବକ ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବନ୍ତିଲୋ ଗ୍ରାମର ଅମରେଶ୍ବର ବାରିକଙ୍କ ପୁଅ ଆକାଶ ( ୨୧ ) ଓ ଉକ୍ତ ଥାନା ଅଧୀନ ବେଳଙ୍ଗ ଗ୍ରାମର ଅଶୋକ ବିଶ୍ବାଳଙ୍କ ପୁଅ ସୁମନ୍ତ ( ୨୧ )।

ପ୍ରାପ୍ତ ସୂଚନା ଅନୁଯାୟୀ ଆକାଶ ଓ ସୁମନ୍ତ ସାଙ୍ଗ ହୋଇ ପାଠ ପଢ଼ୁଥିଲେ। ଯୁକ୍ତ ୩ ପାସ୍‌ କରିବା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ପାଇଁ ଭୁବନେଶ୍ବର ପଟିଆରେ ରହି କୋଚିଂ ନେଉଥିଲେ । ଦୁର୍ଗାପୂଜା ଛୁଟିରେ ଉଭୟ ଘରକୁ ଯାଇଥିଲେ। ଆଜି ଦୁହେଁ ଏକ ହିରୋ ସ୍ପ୍ଲେଣ୍ତର ବାଇକ୍‌ ( ଓଡି -୦୨ଏସି-୦୫୭୯ ) ରେ ଭୁବନେଶ୍ବର ଫେରୁଥିବା ବେଳେ ଗୁଡ଼ିଆପୋଖରୀ ଛକ କଟ ନିକଟରେ କୋଣାର୍କରୁ ଭୁବନେଶ୍ବର ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ (ଓଆର୍‌- ୦୨ଏଜେ-୬୦୩୪ ) ଓଭରଟେକ୍‌ କରିବା ସମୟରେ ନିୟନ୍ତ୍ରଣ ହରାଇ ବାଇକ୍‌ ଉପରେ ମାଡ଼ି ଯାଇଥିଲା। ସୁମନ୍ତ ରାସ୍ତା ଉପରେ ପ୍ରାୟ ୩୦ ଫୁଟ ଛିଟିକି ଦୂରରେ ପଡ଼ିଥିବାବେଳେ ମୁଣ୍ତରୁ ପ୍ରଚୁର ରକ୍ତସ୍ରାବ ହେବାରୁ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆକାଶ ଉକ୍ତ ବସ୍‌ରେ ଲାଗି ରହି କିଛି ବାଟ ଘୋଷାଡ଼ି ହୋଇଯିବ‌ାରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ପିପିଲି ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁଙ୍କ ସମେତ ଉତ୍ତରାଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ତେବେ ଆକାଶ ଓ ସୁମନ୍ତଙ୍କ ମୃତ୍ୟୁକୁ ନେଇ ଦୁର୍ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ।ଉପସ୍ଥିତ ପୁଲିସ କର୍ମଚାରୀ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଦୁଘର୍ଟଣା ଘଟାଇ ଚାଳକ ଘଟଣାସ୍ଥଳରୁ ବସ୍‌ଟିକୁ ନେଇ ବାଳକାଟି ଫାଣ୍ଡିରେ ଆତ୍ମସମର୍ପଣ କରିଥିଲା । ପରେ ପିପିଲି ଥାନା ପୁଲିସ ସେଠାରୁ ଉକ୍ତ ବସ୍‌ଟିକୁ ଜବତ କରିବା ସହିତ ସଂପୃକ୍ତ ବେପରୁଆ ବସ୍‌ ଚାଳକଙ୍କୁ ଗିରଫ କରିଥିଲା । ଗିରଫ ବସ୍‌ ଚାଳକ ହେଲେ ନିମାପଡ଼ା ଥାନା ତାଳତମାଳ ଗ୍ରାମର ନିରଞ୍ଜନ ସାହୁ ( ୩୫ )। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପିପିଲି ଥାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅପରାହ୍ଣରେ ଶବ ବ୍ୟବଚ୍ଛେଦ କରାଇ ପୁଲିସ ଉଭୟ ଯୁବକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧିତ ଖବର