ଭୁବନେଶ୍ୱର-ପୁରୀ ରାସ୍ତା ୩ ଘଣ୍ଟା ଅବରୋଧ

ବିଦ୍ୟୁତ୍‌ ଆଘାତରେ ଶ୍ରମିକ ମୃତ୍ୟୁ ଘଟଣାର ପ୍ରତିବାଦ

ସାକ୍ଷୀଗୋପାଳ : ଫେଡ୍‌କୋର ଜଣେ ଶ୍ରମିକଙ୍କର ଗୁରୁବାର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପାଖାପାଖି ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଫଳରେ ତେଇଶିପୁରଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଉଭୟ ଦିଗରେ ଶହ ଶହ ଗାଡ଼ି ଅଟକି ରହିଥିଲା। ହଜାର ହଜାର ଯାତ୍ରୀ ନାହିଁ ନଥିବା ଦୁର୍ଦଶା ଭୋଗିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ପୂର୍ବାହ୍ନ ୧୧ଟାରେ ଫେଡ୍‌କୋର କର୍ମଚାରୀ ବଳରାମପୁରଗଡ଼ ପଞ୍ଚାୟତ ଅନ୍ତର୍ଗତ ଗେଣ୍ଡାମାଳି ଗ୍ରାମର ଦିଲ୍ଲୀପ ମହାରଣା ବିଦ୍ୟୁତ ଖୁଣ୍ଟରେ ଚଢ଼ି ସର୍ଭିସ୍‌ ତାର ସଂଯୋଗ କରୁଥିଲେ। ତେବେ ଏଲ୍‌ଟି ଲାଇନ୍‌ ବିଦ୍ୟୁତ କେବୁଲ୍‌ରେ ଲିକ୍‌ ଥିବା ଯୋଗୁଁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସେ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସାକ୍ଷୀଗୋପଳ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଫେଡ୍‌କୋ କର୍ମଚାରୀମାନେ ଶବକୁ କାର୍ଯ୍ୟାଳୟକୁ ଆଣିଥିଲେ। ତେବେ କଂପାନିର କୌଣସି ଅଧିକାରୀ ସେଠାରେ ନ ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। କର୍ମଚାରୀଙ୍କ ସହ ଉତ୍ତ୍ୟକ୍ତ ଲୋକେ ଶବ ରଖି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଘଟଣାସ୍ଥଳରେ ସତ୍ୟବାଦୀ ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ ପହଞ୍ଚି ବୁଝାସୁଝା କରିବା ପରେ ଅପରାହ୍ନ ସାଢ଼େ ଗୋଟାଏରେ ସାମୟିକ ଭାବେ ରାସ୍ତା ଅବରୋଧ ହଟିଥିଲା। କିନ୍ତୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଫେଡ୍‌କୋର ଅଧିକାରୀମାନେ ନ ପହଞ୍ଚିବାରୁ ପୁଣି ଥରେ ରାସ୍ତା ଅବରୋଧ ହୋଇଥିଲା। ସଂନ୍ଧ୍ୟାରେ ବିଧାୟକ ଉମାକାନ୍ତ ସାମନ୍ତରାୟ, ତହସିଲଦାର ବିନୋଦ ସ୍ୱାଇଁ, ଏସଡିପିଓ ଦିଲ୍ଲିପ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ମୃତ କର୍ମଚାରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ଶୁଦ୍ଧିକ୍ରିୟା ନିମନ୍ତେ ୪୦ ହଜାର ଟଙ୍କା ଓ ବିଧବା ପତ୍ନୀଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେବା ପରେ ରାଜପଥ ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପକ୍ଷରେ ଆନ୍ଦୋଳନରତ କର୍ମଚାରୀମାନେ ଫେଡ୍‌କୋ କାର୍ଯ୍ୟାଳୟରେ ତାଲା ପକାଇଦେଇଥିବାବେଳେ ସଂନ୍ଧ୍ୟାରେ କାର୍ଯ୍ୟାଳୟ ଭିତରେ ନିଆ ଲାଗି ଥିବାର ଦେଖାଯାଇଥିଲା।

ସମ୍ବନ୍ଧିତ ଖବର