ଭୂଦାନ ଆନ୍ଦୋଳନର ନେତ୍ରୀ ବୈଦେହୀ ପଣ୍ତାଙ୍କ ପରଲୋକ

ଅସୁରାଳି: ଭୂଦାନ ଆନ୍ଦୋଳନର ନେତ୍ରୀ ତଥା ସ୍ବାଧୀନତା ସ˚ଗ୍ରାମୀ ବୈଦେହୀ ପଣ୍ତା(୮୮)ଙ୍କର ଆଜି ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ଆଜି ସକାଳେ ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁରେ ଭଦ୍ରକ ଜିଲ୍ଳା ସମେତ ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି। ସ୍ବର୍ଗତା ପଣ୍ତା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କଟସାହି ବଉଳନାଳୀ ଶାସନରେ ୧୯୩୧ ମସିହାରେ ଜନ୍ମଲାଭ କରିଥିଲେ। ବୈଦେହୀଙ୍କ ପରିବାର ତାଙ୍କୁ ବାଲ୍ୟବିବାହ ଦେଇଥିବା ବେଳେ ସେ ପରବର୍ତ୍ତୀ ସମୟରେ ଶାଶୂଘରୁ ଫେରି ଆସିଥିଲେ। ନିଜ ଭାଇ ସ୍ବାଧୀନତା ସ˚ଗ୍ରାମୀ ସର୍ଦ୍ଦାର ମୁରଲୀଧର ପଣ୍ତାଙ୍କ ଦ୍ବାରା ପ୍ରଭାବିତ ହୋଇ ବୈଦେହୀ ସ୍ବାଧୀନତା ସ˚ଗ୍ରାମରେ ନିଜକୁ ସାମିଲ କରିବା ସହ ୧୯୪୨ ମସିହା ଲୁଣିଆ ଗୁଳିକାଣ୍ତର ସାକ୍ଷୀ ଥିଲେ। ସମୟକ୍ରମେ ସେ ବିନୋବାଜୀଙ୍କ ସସ୍ପର୍ଶରେ ଆସି ଭୂଦାନ ଆନ୍ଦୋଳନରେ ଅ˚ଶ ଗ୍ରହଣ କରି ଦେଶରେ ୩୦ ହଜାର କିମି ପଦଯାତ୍ରା କରିଥିଲେ। ଏଥିସହ ଚମ୍ବଲ ଡାକୁମାନଙ୍କୁ ସମାଜର ମୁଖ୍ୟସୋତ୍ରରେ ସାମିଲ ପାଇଁ ସକ୍ରିୟ କାର୍ଯ୍ୟ କରିବା ସହ ବା˚ଲାଦେଶ ମୁକ୍ତିଯୁଦ୍ଧ ସମୟରେ ଶରଣାର୍ଥୀ ଏବ˚ ଅନାଥ ଶିଶୁମାନଙ୍କୁ ସହାୟତା ପ୍ରଦାନ କରିଥିଲେ। କଳିଙ୍ଗକନ୍ୟା ନାମରେ ସେ ଗାନ୍ଧିଜୀଙ୍କର ପ୍ରିୟ ଥିଲେ। ରମାଦେବୀଙ୍କ ସହ ତାଙ୍କର ଆତ୍ମୀୟତା ଥିବା ବେଳେ ଭାରତବର୍ଷର ବିଭିିନ୍ନ ରାଜ୍ୟର ମଠ ମନ୍ଦିରରେ ତାଙ୍କର ସମୟ କଟୁଥିଲା। ଜଣେ ଶିକ୍ଷାପ୍ରାଣ ସାମାଜିକ କର୍ମୀ ଭାବେ ବୈଦେହୀ ଦେବୀ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ତାଙ୍କୁ ସ˚ଗ୍ରାମୀ ଭତ୍ତା ଦିଆଯାଇଥିଲେ ମଧ୍ୟ ସେ ଗ୍ରହଣ କରି ନ ଥିଲେ। ତାଙ୍କ ଇଚ୍ଛାନୁଯାୟୀ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉପଯୋଗ କରିବା ପାଇଁ ପରିବାର ପକ୍ଷରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଦାନ କରାଯାଇଛି। ନିଜର ଉତ୍ସର୍ଗୀକୃତ ଜୀବନବ୍ୟାପି କୃତି ଓ କୀର୍ତ୍ତି ପାଇଁ ସେ ରାଜ୍ୟ ସମେତ ଦେଶର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଥିଲେ।

ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ବର୍ଷିୟାନ୍ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତଃ ବୈଦେହୀ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ନିଜ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତଃ ପଣ୍ଡା ମହାତ୍ମାଗାନ୍ଧିଙ୍କ ଆଦର୍ଶ ପ୍ରଚାର କରିବାରେ ନିଜର ପୁରା ଜୀବନ ଉତ୍ସର୍ଗ କରିଥିଲେ। ସେ ଜଣେ ସଚ୍ଚା ଗାନ୍ଧୀବାଦି ବ୍ୟକ୍ତି ଭାବେ ଜଣାଶୁଣା। ସ୍ବର୍ଗତଃ ପଣ୍ଡାଙ୍କ ଅବର୍ତ୍ତମାନରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର