ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବରୁ ଚାପ! ଜିଲ୍ଲାପାଳ କହିଲେ ଜଣେ ବିଧାୟକ କରିଥିଲେ ଫୋନ୍‌

ପୁରୀ : ପୁରୀରେ ଚାଲିଥିବା ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଏକ ରୋଚକ ଖବର ପଦାକୁ ଆସିଛି। ଗତ ୫ ଦିନ ହେବ ପୁରୀରେ ମଠ ଉଚ୍ଛେଦ ବନ୍ଦ ରହିଛି। ତେବେ ପୁରୀରେ ଭଂଗା ହେବାକୁ ଥିବା ଶିଖ୍‌ମାନଙ୍କ ପବିତ୍ର ମଙ୍ଗୁ ମଠକୁ ନ ଭାଙ୍ଗିବାକୁ ବାହାର ରାଜ୍ୟରୁ ଚାପ ପଡୁଥିବା ନେଇ ଚର୍ଚ୍ଚା ହେଉଛି। ଏହା ଶିଖ ମାନଙ୍କ ପବିତ୍ର ମଠ ଓ ଏଥ‌ିରେ ଗୁରୁ ନାନାକଙ୍କ ସ୍ମୃତି ଜଡ଼ିତ ଥିବାରୁ ଏହି ମଠକୁ ନ ଭାଂଗିବାକୁ ପଞ୍ଜାବ ଓ ଦିଲ୍ଲୀର ବିଭିନ୍ନ ମହଲରୁ ଚାପ ପଡ଼ିଥିବା ଜଣାପଡ଼ିଛି।

ଏପରିକି ପଞ୍ଜାବର ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଥିବା‌ ପୁରୀରେ ଚର୍ଚ୍ଚା ‌ହେଉଛି। ‌ତେବେ ଚିଠିକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲେ ବି ଏ ନେଇ ବାହାର ରାଜ୍ୟରୁ ଆସୁଥିବା ଅନୁରୋଧକୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଆସିଥିବା କଥା ସେ ଜାଣିନାହାନ୍ତି। ତେବେ ଦିଲ୍ଲୀ କିମ୍ବା ପଞ୍ଜାବରୁ ତାଙ୍କୁ ଏକ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଜଣେ ବିଧାୟକ ବୋଲି ପରିଚୟ ଦେଇଥିଲେ। ମଙ୍ଗୁ ମଠ ନ ଭାଙ୍ଗିବାକୁ ସେ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଥିଲେ, ଜିଲ୍ଲା ପ୍ରଶାସନ ଐତିହ୍ୟ ସହିତ ଜଡ଼ିତ ଥିବା ମଠ, ମନ୍ଦିରକୁ ଭାଙ୍ଗୁନାହାନ୍ତି, ବରଂ ସେମାନେ ଏହାକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। ପ୍ରଶାସନ କେବଳ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ନିର୍ମାଣକୁ ଭାଙ୍ଗୁଥିବା ସେ ସ୍ପଷ୍ଟ କରିଛନ୍ତି। ମଠ ମନ୍ଦିର ଓ ଐତିହ୍ୟ ସହିତ ଜଡ଼ିତ ଥିବା ସ୍ମୃତିକୁ କୌଣସି ପ୍ରକାର କ୍ଷତି ପହଞ୍ଚା ଯାଉନଥିବା ସେ ସ୍ପଷ୍ଟ କରିଛନ୍ତି। ସଂପୃକ୍ତ ବିଧାୟକଙ୍କୁ ମଧ୍ୟ ଜିଲ୍ଲାପାଳ ସମାନ ଉତ୍ତର ଦେଇଥିବା କହିଛନ୍ତି।

ପ୍ରକାଶଯୋଗ୍ୟ ଯେ, ପୁରୀର ମଙ୍ଗୁ ମଠ ଏକ ପ୍ରାଚୀନ ତଥା ଐତିହ୍ୟ ସଂପନ୍ନ ମଠ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ମଙ୍ଗୁ ମଠ ନାନକ ପନ୍ଥୀ ଉଦାସୀନ ସଂପ୍ରଦାୟର ଏକ ମଠ। ଏହାର ପ୍ରତିଷ୍ଠାତା ଶିଖ୍ମାନଙ୍କ ଗୁରୁ ନାନକଙ୍କ ପୁତ୍ର ଚାନ୍ଦଜୀ ମହାରାଜ ବୋଲି ଜଣାଯାଏ। ପ୍ରାୟ ୪୫୦ ବର୍ଷ ପୂର୍ବେ ଏହି ମଠର ପ୍ରତିଷ୍ଠା କରାଯାଇଥିଲା। କିଛି ଗବେଷକ ଏହାକୁ ନିଜେ ନାନକ ପ୍ରତିଷ୍ଠା କରିଥିଲେ ଓ ସେ ନିଜେ ଏଠାରେ କିଛି ଦିନ ରହିଥିବା କହିଛନ୍ତି। ତେଣୁ ଶିଖ୍‌ମାନଙ୍କ ଗୁରୁଙ୍କ ସ୍ମୃତି ଜଡିତ ଏହି ମଠକୁ ନ ଭାଙ୍ଗିବାକୁ ଏବେ ଚାପ ପଡ଼ୁଛି।

ସମ୍ବନ୍ଧିତ ଖବର