ମଦ ବିରୋଧରେ ବଡ଼ ଆନ୍ଦୋଳନ ପାଇଁ ସଜବାଜ

ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଲେ ମହିଳା ସରପଞ୍ଚ, ଉପକୂଳରୁ ପଶ୍ଚିମ ଓଡ଼ିଶା ସବୁଠାରେ ଅସନ୍ତୋଷ

ଭୁବନେଶ୍ୱର : ମଦ ଦୋକାନ ବିରୋଧରେ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନ ଚଳାଇଥିଲେ। ହେଲେ ଏବେ ଲୋକ ପ୍ରତିନିଧି ମାତିଲେଣି। କେବଳ ଅସନ୍ତୋଷ ଜାହିର କରିଛନ୍ତି ତା ନୁହେଁ, ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖି ଚରମବାଣୀ ଶୁଣାଇଛନ୍ତି। ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କଖ଼ଡି ପଞ୍ଚାୟତର ମହିଳା ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ପଞ୍ଚାୟତ ପକ୍ଷରୁ ସେ ଶେଷଥର ପାଇଁ ନିବେଦନ କରୁଛନ୍ତି। ଯଦି ମାସକ ମଧ୍ୟରେ ମଦ ଦୋକାନ ଉଚ୍ଛେଦ କରାନଯାଏ, ତେବେ ଅନଶନ ସତ୍ୟାଗ୍ରହ ଆରମ୍ଭ ହେବ।

ଜଣେ ମହିଳା ସରପଞ୍ଚଙ୍କର ଏଭଳି ଚିଠି ପଦାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି। ଏଥିସହିତ ମଦ ବିରୋଧୀ ଅଭିଯାନ ଧୀରେ ଧୀରେ ବିଶାଳ ରୂପ ନେଲାଣି, ଏକଥା ଆଉ ଅଛପା ନାହିଁ। ଏକଥା ରାଜନୈତିକ ନେତାମାନେ ମଧ୍ୟ ହେଜିଲେଣି। ରାଜସ୍ୱ ଚାପରେ ସରକାର ଏ ନେଇ ଠୋସ୍‌ ପଦକ୍ଷେପ ନେଉନଥିିବାରୁ ଖୋଦ୍‌ ଶାସକ ଦଳରେ ମଧ୍ୟ ଅସନ୍ତୋଷ ବଢିବା ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଗତ ୧୮ ତାରିଖ ଦିନ ମହିଳା ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ମଦ ଦୋକାନ ବନ୍ଦ କରାଯିବା ସଂପର୍କରେ ଏକ ଚିଠି ଲେଖିଛନ୍ତି। ଏହି ଚିଠି କେବଳ ସ୍ଥାନୀୟ ସମସ୍ୟା ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳର ସମସ୍ୟାକୁ ବି ସାମ୍ନାକୁ ଆଣିଛି। ସଂପୃକ୍ତ ସରପଞ୍ଚ ଲେଖିଛନ୍ତି, ଗତ ଏପ୍ରିଲ ୧୦ ତାରିଖ ଦିନ ଓ ମେ’ ୩୦ ତାରିଖରେ ସେ ନିଜେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ଥାନୀୟ ଲୋକଙ୍କ ସମୂହ ସ୍ୱାର୍ଥ ସଂପର୍କରେ ଆଲୋଚନା କରିଥିଲେ। ସେ ସମୟରେ କଖ଼ଡି ପଞ୍ଚାୟତର ମହାଳପଡା ଗ୍ରାମରେ ଥିବା ଏକ ମଦ ଦୋକାନକୁ ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ମଦ ଦୋକାନ ପାଖରେ ସ୍କୁଲ, କଲେଜ ଓ ମନ୍ଦିର ରହିଛି। ଫଳରେ ଛାତ୍ରଛାତ୍ରୀମାନେ ଓ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତମାନେ ମଦୁଆ ତଥା ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି। ମଦ ଦୋକାନଟି ପୁରୁଣା କଟକ-ସମ୍ବଲପୁର ରାଜପଥ ନିକଟରେ ଥିବାରୁ ସେଠାରେ ପ୍ରତିଦିନ ଦୁର୍ଘଟଣା ମଧ୍ୟ ଘଟୁଛି।

ନିର୍ବାଚନ ବେଳେ ପଞ୍ଚାୟତକୁ ମଦମୁକ୍ତ କରିବା ଲାଗି ସେ ଦେଇଥିବା ପ୍ରତିଶ୍ରୁତି ସଂପର୍କରେ ସ୍ମରଣ କରାଇ ଶାନ୍ତିପ୍ରିୟା ଲେଖିଛନ୍ତି, ମଦ ଦୋକାନ ସମସ୍ୟା ସଂପର୍କରେ ଅବକାରୀ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର, ଅବକାରୀ କମିସନର ଓ କଟକ ଜିଲ୍ଲାପାଳଙ୍କୁ ବାରମ୍ବାର ଭେଟି ସେ ଅବଗତ କରାଇଛନ୍ତି। ମଦ ଦୋକାନ ଉଚ୍ଛେଦ ପାଇଁ ନିବେଦନ କରିଛନ୍ତି। କିନ୍ତୁ ଏହାର ସୁଫଳ ମିଳିନାହିଁ।

ଓଲଟା ମଦଦୋକାନ ବନ୍ଦ ପାଇଁ ପଞ୍ଚାୟତ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି ପ୍ରଶାସନକୁ ଜଣାଇବା ପରେ ବି ସଂପୃକ୍ତ ଦୋକାନର ଲାଇସେନ୍ସ ନବୀକରଣ କରାଯାଇଛି। ଏହା କଟା ଘା’ରେ ଚୂନ ବୋଲି ସେ ଉଲ୍ଳେଖ କରିବା ସହିତ ପଞ୍ଚାୟତିରାଜ ବ୍ୟବସ୍ଥାର ଅବମାନନା ବୋଲି ଦର୍ଶାଇଛନ୍ତି।

ଶାନ୍ତିପ୍ରିୟା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟଥା ୩୦ ଦିନ ମଧ୍ୟରେ ଏହାର ସମାଧାନ ନ ହେଲେ ଜନସାଧାରଣଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ସମର୍ଥନ ପରିପ୍ରେକ୍ଷୀରେ ସେ ଅନଶନ ଆରମ୍ଭ କରିବେ।

ଶାନ୍ତିପ୍ରିୟାଙ୍କର ଏହି ଚିଠି ରାଜ୍ୟରେ ଅବକାରୀ ବିଭାଗ ଓ ଜିଲ୍ଲାପାଳଙ୍କର ମନମାନିକୁ ଇଙ୍ଗିତ କରୁଛି। ଲୋକପ୍ରିତିନିଧିଙ୍କ ନିଷ୍ପତ୍ତିକୁ ପ୍ରଶାସନ କିଭଳି ଅଣଦେଖା କରି ମଦ ଦୋକାନକୁ ସମର୍ଥନ ଜଣାଇ ଆସୁଛି, ଏକଥା ବି ସାମ୍ନାକୁ ଆସିଛି।

ଏଠାରେ ଉଲ୍ଳେଖଥାଉକି, ସମଗ୍ର ରାଜ୍ୟରେ ମଦ ବିରୋଧରେ ଏକ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧିଲାଣି। ବିଭିନ୍ନ ଅଞ୍ଚଳରେ ମହିଳାମାନେ ବର୍ଷତମାମ ମଦ ଦୋକାନକୁ ଭାଙ୍ଗିରୁଜି ଦେଉଛନ୍ତି। ହେଲେ ପୁଲିସ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ କାର୍ଯ୍ୟାନୁଷ୍ଠାନ ନେଉଛି। ଗତ ସପ୍ତାହରେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବରୁ ରାଜକନିକା ବ୍ଲକର ନମତରାରେ ଗୁଳିକାଣ୍ଡ ଘଟିଥିଲା ଓ ସରକାର ଘଟଣାର ଆର୍‌ଡିସି ତଦନ୍ତ କରାଇଥିଲେ। ଏସବୁ ଘଟଣା ମଦ ମାଫିଆଙ୍କ ସହିତ ପ୍ରଶାସନିକ ଅଧିକାରୀଙ୍କ ସଂପର୍କର ନିବିଡ଼ତା ସୂଚାଇ ଦେଇଛି। ମୁଖ୍ୟମନ୍ତ୍ରୀ ଯଦି ତତ୍କାଳ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ କେବଳ କଖ଼ଡି ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ମହିଳା ସରପଞ୍ଚ ରାସ୍ତାକୁ ଓହ୍ଲାଇବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ସମ୍ବନ୍ଧିତ ଖବର