ମହାନତା ଦେଖାଇଲେ କେନ୍ଦୁଝର ରାଜା, ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କଲେ ପୈତୃକ ସମ୍ପତ୍ତି

କେନ୍ଦୁଝର: ମହାନତା ଦେଖାଇଛନ୍ତି କେନ୍ଦୁଝରଗଡ଼ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ । ରାଜପରିବାର ୩୭୮ ଏକର ଜମିକୁ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । କେନ୍ଦୁଝର ସଦର ବ୍ଲକ୍‌ ମହାଦେଇଯୋଡା ପଞ୍ଚାୟତରେ ରହିଛି ରାଜପରିବାରର ୩୭୮ ଏକର ଜମି। ଏହି ଜମି ଉପରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ପଶୁ ଡାକ୍ତରଖାନା, ପଞ୍ଚାୟତ କାର୍ଯ୍ୟାଳୟ, ଖେଳ ପଡ଼ିଆ, ହା‌ଟପଡ଼ିଆ ଏବଂ ଅନ୍ୟାନ୍ୟ ସରକାରୀ, ବେସରକାର ଅନୁଷ୍ଠାନ ଗଢ଼ି ଉଠିଛି। ତେବେ କିଛି ସ୍ବାର୍ଥପର ବ୍ୟକ୍ତି ଏହି ଜମିକୁ ହାତେଇବା ପାଇଁ ଚକ୍ରାନ୍ତ କରି ଜମି ଚିହ୍ନଟ କରି ସିମେଣ୍ଟ ଖୁଣ୍ଟି ପୋତିଥିଲେ । ଏହାକୁ ନେଇ ମହାଦେଇଯୋଡ଼ାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଲୋକମାନେ ଉତ୍ତ୍ୟକ୍ତ ହୋଇ ସେହି ଖୁଣ୍ଟିକୁ ଉପାଡ଼ି ଦେଇଥିଲେ ।

ଏ ସଂପର୍କରେ ରା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଜାଣିବା ପରେ ସଂପୃକ୍ତ ଜମିକୁ ଲୋକଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଆଜି ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ , ମହାରାଣୀ ସୁନନ୍ଦିନୀ ଭଞ୍ଜଦେଓ ଏବଂ ସଦର ବିଧାୟକ ମୋହନ ଚରଣ ମାଝୀ ମହାଦେଇଯୋଡା ଗ୍ରାମରେ ପହଞ୍ଚିଥିଲେ । ଗ୍ରାମର ହଜାର ହଜାର ମହିଳା, ପୁରୁଷ ସେମାନଙ୍କୁ ଭବ୍ୟସ୍ବାଗତ କରିଥିଲେ । ସେଠାରେ ୩୭୮ ଏକର ଜମିକୁ ରାଜା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉର୍ତ୍ସଗ କରିଥିଲେ। ଏଥିରେ ରାଜପରିବାର କୌଣସି ଅଧିକାର କେବେ ରହିବ ନାହିଁ ବୋଲି କହିଥିଲେ। ରାଜାଙ୍କ ଘୋଷଣା ପରେ ସଭାସ୍ଥଳ ଜୟଜୟକାରରେ ପ୍ରକମ୍ପିତ ହୋଇଉଠିଥିଲା । ଅନ୍ୟପକ୍ଷରେ, ଦୀର୍ଘଦିନରୁ ବହୁ ଚାଷୀ ଏହି ଜମିକୁ ଦଖଲ କରି ଚାଷ କରୁଥିଲେ । ଏହି ଘୋଷଣା ପରେ ସେମାନଙ୍କ ଚିନ୍ତା କିନ୍ତୁ ବଢ଼ିଯାଇଛି।

ସମ୍ବନ୍ଧିତ ଖବର