ମହାପ୍ରଭୁଙ୍କ ଜମି ଖୋଜିକି କାଢ଼, ଜିଲ୍ଲାପାଳଙ୍କୁ ଆଇନମନ୍ତ୍ରୀଙ୍କ ନିର୍ଦେଶ

ମହାପ୍ରଭୁଙ୍କ ଜମି ନେଇ ସରକାରୀ ତନାଘନା
ତିନିମାସ ମଧ୍ୟରେ ବକେୟା ପ୍ରଣାମୀ ଆଦାୟ କର

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୬୦ ହଜାର ୪୨୬ ଏକର ୯୪୩ ଡିସିମିଲ ଜମି ରହିଛି। ଏହା ବାଦ୍ ଆଉ ମହାପ୍ରଭୁଙ୍କ ଜମି ଅଛି କି? କିଏ କେଉଁଠି ନିଜ ନାମରେ କରିନେଇଛନ୍ତି? ମାଡ଼ିବସିଛନ୍ତି, ଯାହା ସରକାରଙ୍କ ନଜରକୁ ଆସିପାରିନାହିଁ? ଏସବୁ ସଂପର୍କରେ ତୁରନ୍ତ ଅନୁସନ୍ଧାନ କରି ଜଣାଇବାକୁ ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

ଜୁନ୍ ୯ ତାରିଖ ଅର୍ଥାତ୍ ବୁଧବାର ମଧ୍ୟାହ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ଉପରେ ତନାଘନା ହୋଇଛି। ଏଥିସହିତ ନିଷ୍ପତ୍ତି ଉପରେ ତୁରନ୍ତ ପଦକ୍ଷେପ ନେବା ଲାଗି ରାଜସ୍ବ ବିଭାଗକୁ ନିର୍ଦେଶ ଦିଆଯାଇଛି। େଗାଟିଏ ପଟେ ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ନେଇ ମାମଲା ବିଚାରାଧୀନ ଥିବା ବେଳେ ଆଇନମନ୍ତ୍ରୀଙ୍କ ପଦକ୍ଷେପ ପୁଣି ଥରେ ମହାପ୍ରଭୁଙ୍କ ଜମି କେଳେଙ୍କାରୀ ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି।

ବୈଠକରେ ଆଲୋଚନା ହୋଇଛି ଯେ ମହାପ୍ରଭୁଙ୍କ ଯେତିକି ସଂପତ୍ତି ରହିଛି, ସେ ମଧ୍ୟରୁ ଏବେ ବି ୨୫ ହଜାର ୬୨୩ ଏକର ଜମି ତାଙ୍କ ନାମରେ କରାଯାଇପାରିନାହିଁ। ମନ୍ତ୍ରୀ କହିଛନ୍ତି ଜିଲ୍ଲାପାଳମାନେ ଏ ନେଇ ତୁରନ୍ତ ପଦକ୍ଷେପ ନେଇ ସରକାରଙ୍କୁ ଜଣାନ୍ତୁ। ଯଦି ଆବଶ୍ୟକ ପଡୁଛି, ତେବେ ୟୁଜର୍ସ ଫି ଛାଡ଼ କରି ମାମଲାକୁ ରଫାଦଫା କରନ୍ତୁ। ଓଡ଼ିଶା ବାଦ୍ ବାକି ୬ଟି ରାଜ୍ୟରେ ଶ୍ରୀଜଗନ୍ନାଥଙ୍କର ୩୯୫ ଏକର ୨୫୨ ଡିସିମିଲି ଜମି ରହିଛି। ଏହାକୁ ଚିହ୍ନଟ କରିବା ସହିତ ଏ ସଂପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।

ଆଜି ଦିନର ତଥ୍ୟ ଅନୁସାରେ, ୨୪୧ଟି କ୍ରସର ୟୁନିଟ୍ ଖୋର୍ଧା ଜିଲ୍ଲାରେ ମହାପ୍ରଭୁଙ୍କ ଜମି ଉପରେ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ତିନି ମାସ ମଧ୍ୟରେ ଏସବୁ କ୍ରସର ଠାରୁ ନିଶ୍ଚିତ ଭାବେ ବକେୟା ପ୍ରଣାମୀ ଆଦାୟ କରିବେ। ଏଥିସହିତ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରାଯାଇଛି ଯେ ପ୍ରଣାମୀ ମୂଲ୍ୟ ବଢାଇବା ଦିଗରେ ସେମାନେ ପଦକ୍ଷେପ ନେବେ। ଯେହେତୁ ୯ଟି ପଥର କ୍ବାରି ଏବେ ଚାଲୁ ରହିଥିବା କୁହାଯାଉଛି ଓ ୨ଟି କ୍ବାରି ଓଡ଼ିଶା ଖଣି ନିଗମ ପାଇଁ ରହିଛି, ବାକି କ୍ବାରିରେ ପଥର ଖନନ ଶ୍ରୀମନ୍ଦିର ପ୍ରଶାସନ ବନ୍ଦ କରିବା ଦରକାର। ଏହି ବୈଠକରେ ଆଇନ ସଚିବ ଶଶିକାନ୍ତ ମିଶ୍ର, ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ମଧ୍ୟ ମହାପ୍ରଭୁଙ୍କ ଜମି ଜବର ଦଖଲ, ପଥର କ୍ବାରି ଓ କ୍ରସର ପ୍ରସଙ୍ଗକୁ ନେଇ ବିଶଦ ରିପୋର୍ଟ ମାଗିଥିଲେ। େକତେ କ୍ରସର ଚାଲିଛି, ସେଥିରୁ କେତେ ଆଦାୟ ହେଉଛି, ପଥର କ୍ବାରି କେତୋଟି ରହିଛି, ସେଥିରୁ ରାଜସ୍ବ ପରିମାଣ ଆଦି ତଥ୍ୟ ମାଗିଥିଲେ।

ସମ୍ବନ୍ଧିତ ଖବର