ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ ତେଜିଲା, ୨୨ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମେଳି

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଜକର ଗ୍ରାମରେ ମଦ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ମହିଳା। ୨୨ଟି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମେଳି ବାନ୍ଧ ଏହି ଅଭିଯାନରେ ସାମିଲ ହେବା ସହ ଗାଁରୁ ମଦ ଦୋକାନ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି। ଏ ମର୍ମରେ ସେମାନେ କବିସୂର୍ଯ୍ୟନଗର ଥାନା ଅଧିକାରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବ୍ଳକ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋପବନ୍ଧୁ ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମଦ ବିକ୍ରି ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ମହିଳାଙ୍କ ଅଭିଯୋଗ ହେଉଛି, ଜକର ଗ୍ରାମରେ ୨/୩ଟି ସରକାରୀ ମଦ ଦୋକାନ ଖୋଲାଯାଇଥିବାରୁ ମୁଖ୍ୟରାସ୍ତାରେ ଦେଇ ଗ୍ରାମର ଝିଅ ଓ ବୋହୂମାନେ ପୋଖରୀକୁ ଯାଇପାରୁନାହାନ୍ତି। ସେମାନଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷା ଶୁଣିବାକୁ ପଡୁଛି। ଫଳରେ ସେମାନେ ଅସୁରକ୍ଷିତ ମଣୁଛନ୍ତି। ଗତ ୩ ତାରିଖରେ ସୁନାପଲ୍ଲୀ ଓ ଅନ୍ୟ ଗ୍ରାମର କିଛି ଯୁବକ ମଦ ପିଇବାକୁ ଆସି ଗ୍ରାମବାସୀ ଏବଂ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ଗାଁ ଲୋକେ ଏକାଠି ହୋଇ ଏହିସବୁ ଯୁବକଙ୍କୁ ନିର୍ଧୁମ ମାଡ଼ ମାରିବାରୁ ବାଲିଛାଇ ଫାଣ୍ଡି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଏହି ଘଟଣା ପରଠୁ ଗାଁରୁ ମଦ ଦୋକାନ ସଂପୂର୍ଣ୍ଣ ଭାବେ ହଟାଇଦେବାକୁ ମହିଳାମାନେ ପଣ କରିଥିଲେ। ଆଉ ଆଜି ସକାଳ ୧୦ଟାରେ ୨୨ଟି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏଥିପାଇଁ ଆଲୋଚନା କରିବାକୁ ଜକର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବୈଠକ ବସିବାର ଥିଲା। କିନ୍ତୁ ତାଲା ପଡ଼ିଥିବାରୁ ଜଣେ ମହିଳା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ୍ କରି ଅଫିସ ଖୋଲିବାକୁ ଡାକିଥିଲେ। କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀ ନଆସିବାରୁ ମହିଳା ମାନେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ମୁଖ୍ୟ ଫାଟକରେ ତାଲା ଠୁଙ୍କିବା ସହ ଟାୟାର୍ ଜାଳି ପ୍ରତିବାଦ କରିଥିଲେ। ତଥାପି ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ସେମାନଙ୍କ ଦାବି ଶୁଣିବା ଲାଗି କୌଣସି ଅଧିକାରୀ ଆସି ନଥିଲେ। ଶେ‌ଷରେ ସେମାନେ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥି‌ଲେ। କିନ୍ତୁ ବିଡିଓ ନଥିବାରୁ ଜିପିଓ ଗୋପବନ୍ଧୁ ବେହେରାଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ସହ କବିସୂର୍ଯ୍ୟନଗର ଥାନା ଅଧିକାରୀଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ମଦ ଦୋକାନ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। କିଛି ମହିଳା କହିଛନ୍ତି, ସେମାନଙ୍କ ସ୍ବାମୀ ମଦ ପିଇ ମାରପିଟ୍ କରୁଥିଲେ। ଆଉ ଏହି ଅଭିଯାନରେ ସେମାନେ ସାମିଲ ହେବା ସହ ଏହାକୁ ସ୍ବାଗତ କରିଛନ୍ତି। ମଦ ବିକ୍ରିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରା ନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ମମତା ମହାନ୍ତି, ଲକ୍ଷ୍ମୀ ମହାନ୍ତି, ଭାନୁମତୀ ଦାଶ, ସୁନ୍ଦରୀ ସମୁଦ୍ର, ଭାସି ନହାକ, ବନିତା ମହାନ୍ତି, ଅମୂଲ୍ୟ ମହାରଣାଙ୍କ ସମେତ ବହୁ ନାରୀନେତ୍ରୀ ଏଥିରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ସେମାନଙ୍କ ଏଭଳି ମଦ ବିରୋଧୀ ଅଭିଯାନରେ ଜକର ସରପଞ୍ଚ ଆଦୌରୁ ସହ‌ଯୋଗ କରି ନ ଥିବା ଅଭିଯୋଗ ହୋଇଛି। ସରପଞ୍ଚ ଶଙ୍କର ସେଠୀ କହିଛନ୍ତି, ଶ୍ବଶୁରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ସେ ଭଞ୍ଜନଗର ଡାକ୍ତରଖାନାରେ ଅଛନ୍ତି। ମଦ ବନ୍ଦ ଅଭିଯାନକୁ ସେ ସଂପୂର୍ଣ୍ଣ ଭାବେ ‌ସହଯୋଗ କରିବେ।

ସମ୍ବନ୍ଧିତ ଖବର