ମହୁମାଛି ଆକ୍ରମଣରେ ୨୫ ଆହତ

ମୈଦଲପୁର: ବରଯାତ୍ରୀ ଯାଇ ଘରକୁ ଫେରୁଥିଲେ। ତେବେ ପ୍ରବଳ ଗରମ ହେବାରୁ ଏକ ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଏହି ସମୟରେ ମହୁମାଛି ଆକ୍ରମଣ କରିବାରୁ ୨୫ଜଣ ଆହତ ହୋଇଛନ୍ତି। ଆହତ ମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଘରକୁ ଚାଲି ଯାଇଥିବା ଜଣାପଡିଛି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଖଡଗାପଦର ଗ୍ରାମରେ। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ସଦର ମହକୁମା ମାଙ୍ଗାଲି ସାହିର ୨୫ରୁ ଊର୍ଧ୍ବ ଜଣ ଗତକାଲି କଳାହାଣ୍ଡି ଜିଲ୍ଲା ଖରିଆଲ ଅଞ୍ଚଳର ସାନଦେଉଳ ଗାଁକୁ ଏକ ବସ୍‌ରେ ବରଯାତ୍ରୀ ଯାଇଥିଲେ। ବିବାହ ସରିବା ପରେ ଆଜି ସକାଳେ ଘରକୁ ଫେରୁଥିଲେ। ତେବେ ପ୍ରବଳ ଗରମ ଅନୁଭୂତ ହେବାରୁ ସମସ୍ତେ ପାପଡାହାଣ୍ଡି ବ୍ଲକ ଖଡଗାପଦର ନିକଟସ୍ଥ ଜଙ୍ଗଲ ଭିତରେ ଥିବା ଏକ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଏକ ମାଙ୍କଡ ନଦୀ ନିକଟସ୍ଥ ଗଛରେ ଥିବା ମହୁଫେଣା ଉପରେ ଡେଇଁ ପଡିଥିଲା। ଏହାପରେ ମହୁମାଛି ଗୁଡିକ ଜଙ୍ଗଲରେ ଏଣେତେଣେ ବୁଲିବା ସହ ନଦୀକୁ ଗାଧୋଇବାକୁ ଯାଇଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ପ୍ରାୟ ୨୫ଜଣ ଆହତ ହୋଇଥିଲେ। କୌଣସି ପ୍ରକାରେ ମହୁମାଛି କବଳରୁ ରକ୍ଷା ପାଇ ସମସ୍ତେ ମୈଦଲପୁର ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର