ମାଟ୍ରିକ୍ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଧସେଇ ପଶିଲେ

ଏସ୍ପିଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କଲେ

ବାରିପଦା: ଅନ୍ୟାନ୍ୟ ସମସ୍ତ ପରୀକ୍ଷା ବାତିଲ ହୋଇସାରିଛି। ମାଟ୍ରିକ ପରୀକ୍ଷା ମଧ୍ୟ ବାତିଲ କରାଯାଉ। ଏମିତି ଝୁଲେଇ ରଖାନଯାଉ। ନହେଲେ ନିଆଁ ଜଳିବ। ଏମିତି କହି ବାରିପଦାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟକୁ ଧସେଇ ପଶିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଠିକ ସମୟରେ ବାରିପଦା ଟାଉନ ଥାନା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାରେ ମଧ୍ୟ କିଛି ସମୟ ପାଇଁ ଧାରଣାରେ ବସିଥିଲେ। ଏନେଇ ଘଟଣାସ୍ଥଳରେ ଏସ୍ପି ସ୍ମିତ୍ ପି ପରମାରଙ୍କ ସମେତ ସଦର ଏସଡିପିଓ, ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ପ୍ରମୁଖ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

କରୋନା କାରଣରୁ ଗତବର୍ଷରୁ ସେମାନଙ୍କ ପାଠ ପଢ଼ା ଠିକ ଭାବେ ହୋଇନାହିଁ। ତେଣୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏନେଇ ଆଜି ଜିଲ୍ଲା ସଦର ମହକୁମା ବାରିପଦାର ବିଭିନ୍ନ ଉଚ୍ଚବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀଙ୍କ ମଧ୍ୟରୁ କିଛି ଛାତ୍ରଙ୍କୁ ପୁଲିସ ଥାନାକୁ ନେଇଥିଲେ। ଏମକେସି ଉଚ୍ଚ ବିଦ୍ୟାଳୟର ଛାତ୍ର ସତ୍ୟସୌମ୍ୟ ମହାପାତ୍ରଙ୍କ କହିବା ଅନୁସାରେ ସେମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖା ନ ଯାଇ ବାତିଲ କରାଯିବା ଦାବୀରେ ଜିଲ୍ଲାପାଳଙ୍କୁ ଭେଟିବା ନିମନ୍ତେ ତାଙ୍କ ଆବାସିକ କାର୍ୟ୍ୟାଳୟକୁ ଯାଇଥିଲେ । ମାତ୍ର ସେଠାରେ ପୁଲିସ ଜିଲ୍ଲାପାଳଙ୍କୁ ଭେଟିବାର ସୁଯୋଗ ଦେଇନଥିଲେ। ସେହିପରି ଛାତ୍ରୀ ତନିଶା ପାତ୍ରଙ୍କ କହିବା ଅନୁସାରେ ଯେପରି ସିବିଏସଇ ବିଦ୍ୟାଳୟର ଗୁଡ଼ିକରେ ପରୀକ୍ଷାକୁ ବାତିଲ କରାଯାଇଛି ସେହିପରି ବୋର୍ଡ଼ ପରୀକ୍ଷା ବାତିଲ କରାଯିବା ଦାବୀରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲେ ଏବଂ କିଛି ଛାତ୍ରମାନଙ୍କୁ ବଳପୂର୍ବକ ଉଠାଇ ନେଇଯାଇଥିବା କହିଥିଲେ। ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଛାତ୍ରଛାତ୍ରୀଙ୍କ ଏପରି କାର୍ୟ୍ୟକୁ ସେ ନାପସନ୍ଦ କରିଥିଲେ ।

ଏଥି ସହିତ ଛାତ୍ରଛାତ୍ରୀମାନେ କୌଣସି ଆଲୋଚନା ନ କରି ଏହି ପ୍ରକାରର ପଦକ୍ଷେପ ନେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରକାଶ କରିଛନ୍ତି । ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ଥାନାରେ ଅଟକ ଥିବା ଛାତ୍ରମାନଙ୍କୁ ସେମାନଙ୍କର ଅଭିଭାବକମାନଙ୍କୁ ଡ଼କାଇ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଏପରି କରିବାକୁ ଉସ୍କାଇଥିବା ଅଭିଯୋଗରେ ଶୁକୁଲାଲ ମାର୍ଣ୍ଡିଙ୍କୁ ଥାନାରେ ଅଟକ ରଖାଯାଇଛି। ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନର କିଛି ସମୟ ମଧ୍ୟରେ ହିଁ ରାଜ୍ୟ ସରକାର ମାଟ୍ରିକ୍ ପରୀକ୍ଷା ବାତିଲ ଖବର ଆସିଥିଲା। କରୋନା ସମୟରେ ପ୍ରଚଣ୍ଡ ଖରାରେ ଛାତ୍ରଛାତ୍ରୀଙ୍କ ଏପରି ଶୋଭାଯାତ୍ରା ଏବଂ ବିକ୍ଷୋଭକୁ ସାଧାରଣରେ ନାପସନ୍ଦ କରାଯାଇଛି।

 

ସମ୍ବନ୍ଧିତ ଖବର