ଯାଜପୁର (୧) ଆର୍‌ଡି ଡିଭିଜନ୍‌ରେ ଦୁର୍ନୀତି: ଯେତେ ଖୋଳିଲେ, ସେତେ ବାହାରୁଛି

ଖୋଲାଟେଣ୍ଡର, ଗୁପ୍ତଟେଣ୍ଡର ଓ କେ-୨କୁ ନେଇ ତଦନ୍ତ ଆରମ୍ଭ

ଯାଜପୁର : ଗ୍ରାମ୍ୟ ଉନ୍ନୟନ ବିଭାଗର ଯାଜପୁର(୧) ଡିଭିଜନ୍‌ରେ ଖୋଲାଟେଣ୍ଡର ସହିତ ଗୁପ୍ତଟେଣ୍ଡର ଓ ଶହଶହ କେ-୨ କାରବାର ଅଧିକାରୀଙ୍କୁ ହରଡ଼ଘଣାରେ ପକାଇ ଦେଇଛି। ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଜରିଆରେ ଗୋଟିଏ ଗୋଟିଏ ରାସ୍ତାରେ ଶତାଧିକ ଗୁପ୍ତ ଟେଣ୍ଡର ସାଙ୍ଗକୁ କେ-୨ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଡିଭିଜନ୍ ଅଧୀନରେ ଥିବା ୪ଟି ସବ୍‌ଡିଭିଜନ ଯାଜପୁର, ବିଂଝାରପୁର, ଯାଜପୁରରୋଡ଼ ଓ ଡୁବୁରିକୁ ନେଇ ଚର୍ଚ୍ଚା‌ ଜୋର ଧରିଛି। ଯାଜପୁର ଓ ବିଂଝାରପୁର ଉପଖଣ୍ଡରେ ବ୍ୟାପକ ଗୁପ୍ତ ଟେଣ୍ଡର (୫ଲକ୍ଷ ରୁ କମ୍) ସାଙ୍ଗକୁ ବାତ୍ୟାବନ୍ୟା ଆଳରେ ଶହ ଶହ କେ-୨ (୧୦ ହଜାର ଟଙ୍କାର କମ ହାତ ଚିଠା) କରାଯାଇ ସରକାରୀ ଅନୁଦାନ ହଡ଼ପ ହୋଇଥିବାର ଅଭି‌ଯୋଗ ହୋଇଛି।

ସୂଚନା ଅଧିକାର ବଳରେ ମିଳିଥିବା ସରକାରୀ ତଥ୍ୟ ମୁତାବକ ଯାଜପୁର(୧) ଡିଭିଜନ୍ ଅନ୍ତର୍ଗତ ଡୁବୁରି ସବଡିଭିଜନର ଟିସ୍କୋଗେଟ୍ ଠାରୁ ଚିଙ୍ଗଡ଼ିପାଳ ପଞ୍ଚାୟତର ଦେଓଗାଁ (ନଗଡା ଯିବା ରାସ୍ତା)ରେ ଗୁପ୍ତଟେଣ୍ଡର ଜରିଆରେ ବ୍ୟାପକ ହରିଲୁଟ କରାଯାଇଛି। ଏହି ରାସ୍ତାରେ ଗତ କିଛି ବର୍ଷ ମଧ୍ୟରେ ୪୨ଟି ଗୁପ୍ତଟେଣ୍ଡର ଓ ଗୋଟିଏ ଖୋଲା ଟେଣ୍ଡର ହୋଇଛି। ଟିସ୍କୋ ଗେଟ୍ ଠାରୁ ଦେଓଗାଁ ରାସ୍ତା‌ରେ ଗତ ବର୍ଷ (୨୦୨୦-୨୧)ରେ ଗୋଟିଏ ଗୁପ୍ତ ଟେଣ୍ଡରରେ ୪ ଲକ୍ଷ ୪୦ ହଜାର ୯୦୪ ଟଙ୍କା ବ୍ୟୟ ହୋଇଛି। ସେହିପରି ୨୦୧୯-୨୦ରେ ଗୋଟିଏ ଖୋଲା‌ଟେଣ୍ଡର ହୋଇଥିବା ବେଳେ ଅନ୍ୟଟି ଗୁପ୍ତଟେଣ୍ଡର ଏଭଳି ମୋଟ ୧୫ ଲକ୍ଷ ୨ ହଜାର ୪୮ ଟଙ୍କା ବ୍ୟୟ ହୋଇଛି। ୨୦୧୭-୧୮ରେ ୨ଟି ଗୁପ୍ତ ଟେଣ୍ଡରରେ ୮ ଲକ୍ଷ ୮୩ ହଜାର ୫୨୧ ଟଙ୍କା , ୨୦୧୬-୧୭ରେ ୭ଟି ଗୁପ୍ତଟେଣ୍ଡରରେ ୩୪ ଲକ୍ଷ ୫୦ ହଜାର ୧୭୯ ଟଙ୍କା , ୨୦୧୫-୧୬ରେ ୨୧ଟି ଗୁପ୍ତ ଟେଣ୍ଡରେ ୧୦ ଲକ୍ଷ ୮୧ ହଜାର ୪୪୩ ଟଙ୍କା ଓ ୨୦୧୪-୧୫ରେ ୧୦ ଟି ଏଗ୍ରିମେଣ୍ଟ( ୫୦ହଜାର ରୁ କମ୍) ରେ ୪ ଲକ୍ଷ ୮୭ ହଜାର ୩୦୦ ଟଙ୍କା ବ୍ୟୟ କରାଯାଇଛି। ୫ ବର୍ଷରେ ଏହି ରାସ୍ତାରେ ୪୨ଟି ଗୁପ୍ତଟେଣ୍ଡର ଓ ଗୋଟିଏ ଖୋଲା ଟେଣ୍ଡର ଜରିଆରେ ୭୮ ଲକ୍ଷ ୪୫ ହଜାର ୫୯୫ ଟଙ୍କା ବ୍ୟୟ ଦର୍ଶାଯାଇଛି।

Mint

ଏପରିକି ଟେଣ୍ଡର କାମ ହୋଇଥିବା ମାସରେ ମଧ୍ୟ ଗୁପ୍ତଟେଣ୍ଡର କାମ ହୋଇଥିବାର ଦର୍ଶାଯାଇଛି। ୨୦୨୦ ମାର୍ଚ୍ଚରେ ୧୦ ଲକ୍ଷ ୬୦ ହଜାର ୪୧୮ ଟଙ୍କାର ଖୋଲାଟେଣ୍ଡର ହୋଇଥିବା ବେଳେ ୪ ଲକ୍ଷ ୪୧ ହଜାର ୮୩୦ ଟଙ୍କାର ଗୁପ୍ତଟେଣ୍ଡର କାମ ଦର୍ଶାଯାଇଛି। ୨୦୧୯-୨୦ରେ ମୋଟ ଅନୁଦାନ ୧୫ ଲକ୍ଷ ୨ ହଜାର ଟଙ୍କାକୁ ଗୋଟିଏ ଖୋଲା ଟେଣ୍ଡର କାହିଁକି କରାଗଲା ନାହିଁ ? ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ଗୁପ୍ତଟେଣ୍ଡରଗୁଡିକ କରାଯାଇଛି। ଏପରିକି ଫନି ବାତ୍ୟା ପରେ ଗଛ କଟାଯାଇଛି ବୋଲି ଦର୍ଶାଯାଇ ଏହି ରାସ୍ତାରେ ୪ଟି କେ-୨ କରାଯାଇଛି।

ସେହିପରି ୨୦୨୦-୨୧ରେ ଯାଜପୁର ବନ୍ୟା ସମୟରେ ଯାଜପୁରର ପରମାନନ୍ଦପୁର ଠାରୁ ମେଣ୍ଢ ଭାୟା କୁଶବଟ ମୁଖ୍ୟମନ୍ତ୍ରୀ ସଡ଼କରେ ୫୦ଟି କେ-୨ କରାଯାଇଛି। ଆଙ୍କୁଲା- ପାଣିକୋଇଲି ରାସ୍ତାରେ ମଧ୍ୟ ୫୦ ଟି କେ-୨ ହୋଇଛି। ସେହିପରି ରମ୍ପାପୁର ହରିଜନ ସାହି ମୁଖ୍ୟମନ୍ତ୍ରୀ ସଡ଼କରେ ୩୦ଟି କେ-୨ କରାଯାଇଛି। ଡିଭିଜନ୍‌ର କେ-୨ କେଳେଙ୍କାରୀ ଧରାପଡ଼ିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଏବେ ପ୍ରମାଦ ଗଣିବାକୁ ଆରମ୍ଭ କରିଛନ୍ତି।

ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ସମଗ୍ର ଡିଭିଜନ୍‌ରେ କୋଟି କୋଟି ଟଙ୍କା ହରିଲୁଟ୍ ଚାଲିଛି ବୋଲି ସୂଚନା କର୍ମୀ ସୁଦୀପ୍ତ ପଣ୍ଡା ଗୁରୁତର ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର