ଯୁବକମାନେ ନିଜକୁ ଯୋଗ୍ୟ କରନ୍ତୁ: ସୌମ୍ୟରଞ୍ଜନ

ପ୍ରୋଗ୍ରେସିଭ୍ ସମ୍ବଲପୁର ପକ୍ଷରୁ ଆଲୋଚନାଚକ୍ର, ଜିଏମ୍୍‌ୟୁ ଛାତ୍ରଛାତ୍ରୀଙ୍କ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ

ସମ୍ବଲପୁର: ‌ବର୍ତ୍ତମାନର ଯୁବପିଢ଼ି ସମ୍ମୁଖରେ ଅସୀମିତ ସୁଯୋଗ ଓ ସମ୍ଭାବନା ରହିଛି। ତେବେ ତାହାକୁ ହାସଲ କରିବା ପାଇଁ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ଦରକାର। ଚାକିରି ପଛରେ ନ ଗୋଡ଼ାଇ ନିଜକୁ ଏଭଳି ଯୋଗ୍ୟତା ସମ୍ପନ୍ନ କରିବା ଦରକାର ଯେମିତି ଚାକିରି ସେମାନଙ୍କ ପଛରେ ଗୋଡ଼ାଇବ। ସେମାନେ ଅନେକଙ୍କୁ ଚାକିରି ଦେବାର ସୁଯୋଗ ପାଇପାରିବେ। ‘ପ୍ରୋଗ୍ରେସିଭ୍‌ ସମ୍ବଲପୁର’ ଆନୁକୂଲ୍ୟରେ ଆୟୋଜିତ ଯୁବକ ଓ ଛାତ୍ରମାନଙ୍କ ଏକ ବିଶାଳ ସମାବେଶକୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ‘ସାଂପ୍ରତିକ ପରିସ୍ଥିତିରେ ଯୁବ, ଛାତ୍ରଙ୍କ ଭୂମିକା’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ସେ କହିଛନ୍ତି ଗାନ୍ଧିଜୀଙ୍କ ‘ଭାରତ ବିଚାର’ ଆଜି ସଂକଟରେ। ଯେଉଁ ଯୁବ ପିଢ଼ି ଭାରତ ବିଚାରକୁ ବୁଝିବା କଥା ସେମାନେ ମୋବାଇଲ୍‌ରେ ବ୍ୟସ୍ତ। ଆଧୁନିକ ଜ୍ଞାନକୌଶଳ ଆମ ପାଇଁ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି ସତ। କିନ୍ତୁ ଆମ ଯୁବ ପିଢ଼ି ନିକଟରେ ତାକୁ ନିୟନ୍ତ୍ରିତ କରିବାର ସାମର୍ଥ୍ୟ ରହିବା ଦରକାର।

ଶ୍ରୀ ପଟ୍ଟନାୟକ କହିଲେ, ଯୁବକାବସ୍ଥାକୁ ବୟସର ମାପକାଠିରେ ମପା ଯାଏ ନାହିଁ। ପ୍ରବଳ ଇଚ୍ଛାଶକ୍ତି ହେଉଛି ‌େଯୗବନର ଏକମାତ୍ର ପରିଭାଷା। ଯାହା ନିକଟରେ ଏହି ଇଚ୍ଛାଶକ୍ତି ରହିଛି ସେ ଯୁବକ। ପୂର୍ବରୁ ଓଡ଼ିଶାରେ ବର୍ତ୍ତମାନ ଭଳି ସୁବିଧା ସୁଯୋଗ ଓ ‌ଆଧୁନିକ ଜ୍ଞାନକୌଶଳ ନଥିଲା। ସୁଯୋଗ ଓ ସମ୍ଭାବନା ଅତି ସୀମିତ ଓ ସଂକୁଚିତ ଥିଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଅତି ଗରିବ ପରିବାରରେ ଜନ୍ମିତ ଶ୍ରୀ ମିଶ୍ର ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ପାଠ ପଢ଼ି ନିଜକୁ ଜଣେ ଅସାଧାରଣ ବିଦ୍ବାନଭାବେ ପ୍ରତିଷ୍ଠିତ କରି ପାରିଥିଲେ। କିନ୍ତୁ ସବୁ ସୁବିଧାସୁଯୋଗ ପାଉଥିବା ଆଜି କାଲିର ଯୁବପିଢ଼ି ବିଦ୍ୟାଠାରୁ ଦୂରେଇ ଯାଉଛନ୍ତି। ପୃଥିବୀରେ ଜନ୍ମ ନେଇ ସାରିବା ପରେ ପିତାମାତା ହିଁ ହେଉଛନ୍ତି ଆମର ପ୍ରଥମ ଈଶ୍ବର। ପିତାମାତାଙ୍କ ପ୍ରତି କୃତଜ୍ଞ ରହିଲେ ଓ ସେମାନଙ୍କୁ ଖୁସି ରଖି ପାରିଲେ ଈଶ୍ବରଙ୍କ ଆଶୀର୍ବାଦ ଓ ଜୀବନରେ ସଫଳତା ମିଳିଥାଏ। ପିତା-ମାତା ମାନେ ସେମାନଙ୍କ ଉପରେ ଖୁସି ତ? ଏକଥା ନିଶ୍ଚିତଭାବେ ପିତାମାତାଙ୍କୁ ଥରେ ପଚାରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଜୀବନରେ ଯିଏ ଥରୁଟିଏ ବି ରକ୍ତଦାନ କରିଛି ସେ ଏହାର ଆନନ୍ଦ ଅନୁଭବ କରିଛି। ତା’କୁ ସବୁ କାମରେ ସଫଳତା ମିଳିଛି ବୋଲି ଦର୍ଶାଇ ଜୀବନରେ ଅତି କମ୍‌ରେ ଥରୁଟିଏ ରକ୍ତଦାନ କରିବାକୁ ସେ ଉପସ୍ଥିତ ଯୁବଶ୍ରୋତାଙ୍କୁ ଆହ୍ବାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଶିବଶଂକର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ପ୍ରୋଗ୍ରେସିଭ ସମ୍ବଲପୁର’ର ଆବାହକ ସଂଜିତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମିଲନ ହୋତା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା ସାଜିଥିବା ୫ ଜଣ ପ୍ରତିଭାଙ୍କୁ ସମ୍ମାନିତ କରା ଯାଇଥିଲା। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧନା ପ୍ରଦାନ କରା ଯାଇଥିଲା। ଶେଷରେ ଗଂଗାଧର ମେହେର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଅତିଥିଙ୍କ ଦ୍ବାରା ମୁକ୍ତିଲାଭ କରିବା ପରେ ପ୍ରିମିୟର ସୋ’ ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର