ରକ୍ତମୁଖା ଦନ୍ତ‌ା: ଜଣକୁ ଦଳି ମାରିଲା

ଅଳ୍ପକେ ବର୍ତିଲେ ପରିବାରର ୫ ସଦସ୍ୟ

ରାସଗୋବିନ୍ଦପୁର/ମାଣିଦା/ଗାଁଅମର୍ଦା: ମାସେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରୁ ଆସି ରାସଗୋବିନ୍ଦପୁର ରେଞ୍ଜରେ ଉତ୍ପାତ କରୁଥିବା ୧୨ଟି ହାତୀ ପୁଣି ତାଣ୍ଡବ ରଚିଛନ୍ତି। ଏକାଧିକ ଘର ଭାଙ୍ଗିବା ସହ ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି। ତେବେ ମୃତକଙ୍କ ପରିବାରର ଅନ୍ୟ ୫ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁସାରେ; ଅମର୍ଦା ପଞ୍ଚାୟତ ଦଳେଇଡ଼ିହ ଗ୍ରାମର ରାମ ହେମ୍ବ୍ରମ୍ (୬୩) ନିଜ ପତ୍ନୀ ମାଇନ ଓ ୪ ପିଲାଙ୍କ ସହ ତାଳପଦା ଗୋଡ଼ି ପୋଖରୀ ନିକଟରେ ଚାଳଘର କରି ରହନ୍ତି। ଆଜି ଭୋର୍‌ ସମୟରେ ଧାନ ଖାଇବା ପାଇଁ ହାତୀପଲ ତାଙ୍କ ଘର ଭାଙ୍ଗି ଦେଇଥିଲେ। ଏତିକିବେଳେ ପତ୍ନୀ ଏବଂ ୪ ପିଲା ଘର ପଛପଟ ଦ୍ବାର ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ରାମ ହାତୀ କବଳରୁ ବର୍ତ୍ତି ପାରି ନ ଥିଲେ। ଘରୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଏକ ଦନ୍ତା ଶୁଣ୍ଢରେ ଟାଣି ଆଣି ଗୋଡ଼ରେ ଚାପି ଦେଇଥିଲା। ଘଟଣାସ୍ଥଳରେ ହିଁ ରାମଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଏବଂ ରାସଗୋବିନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ପରେ ରାମଙ୍କ ପତ୍ନୀ ମାଇନଙ୍କୁ ବନ ବିଭାଗ ପକ୍ଷରୁ ରେଞ୍ଜର ଦିଲ୍ଲୀପ ବାରିକ ଓ ବନପାଳ ସୁନୀଲ ମହାନ୍ତ ୪୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ସେହିପରି ସରପଞ୍ଚ ପ୍ରଧାନ କିସ୍କୁ ଓ ଜିଲ୍ଲା ପରିଷଦ ସଦସ୍ୟ ସାକର ସୋରେନ ପ୍ରମୁଖ ପହଞ୍ଚି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ଶବ ସତ୍କାର ପାଇଁ ୨ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି।

ଉଲ୍ଲେଖାଯୋଗ୍ୟ‌; ହାତୀପଲ ଦୀର୍ଘଦିନ ହେବ ସ୍ଥାନୀୟ ଅଞ୍ଚଳରେ ଏକର ଏକର ଚାଷଜମି ନଷ୍ଟ କରିବା ସହ ୨୫ରୁ ଅଧିକ ଘର ଭାଙ୍ଗିଲେଣି। ସେହିପରି ଆକ୍ରମଣରେ ୩ ଜଣଙ୍କ ଜୀବନ ବି ଗଲାଣି। ହେଲେ ବନବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉଛନ୍ତି। ଏପରି ସମୟରେ ଆଉ ଜୀବନ ହାନି ହେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର