ରହସ୍ୟ ହୋଇ ରହିଯିବ କି ମା’ ଝିଅଙ୍କ ପରିଚୟ: ବିଜୟିନୀର ସ୍ବାସ୍ଥ୍ୟରେ ଅବନତି

କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ଦ୍ବାରଶୁଣୀ ଘାଟିରୁ ୨୦୨୧ ମାର୍ଚ୍ଚ ୩ ତାରିଖରେ ମିଳିଥିଲା ଜଣେ ମହିଳାଙ୍କ ମୃତଦେହ। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ଠିକ୍‌ ସେହିଦିନ କରଞ୍ଜିଆ ଥାନା ଚଢେଇଭୋଳ ବୈତରଣୀ ନଦୀ ପୋଲ ପାଖରୁ ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତ ମହିଳା ଓ ନାବାଳିକାଙ୍କ ଚେହେରା ମିଶି ଯାଉଥିବାରୁ ପୁଲିସ ଉଭୟଙ୍କ ଡିଏନଏ୍‌ ପରୀକ୍ଷା କରି ଉଭୟ ମା’ ଓ ଝିଅ ବୋଲି ଜଣା ପଡ଼ିଥିଲା। ପରେ ଝିଅଟିକୁ କଟକ ଶିଶୁ ଭବନରେ ଚିକିତ୍ସା କରାଯାଇଥିଲା। ୬ ମାସ ପରେ ମସ୍ତିଷ୍କରେ ଅସ୍ତ୍ରୋପଚାର ପରେ ଝିଅଟି ଆଖି ଖୋଲିବା ସହିତ ହାତଗୋଡ଼ ହଲାଉଥିଲା। ଏହି ସମୟରେ ଝିଅଟି ପାଇଁ ପୁଲିସ ସମେତ ସାଧାରଣ ଲୋକ ମନ୍ଦିରରେ ଦୀପ ଜାଳିବା ସହ ତା’ର ଆରୋଗ୍ୟ କାମନା କରିଥିଲେ ଓ ଝିଅଟିର ନାଁ ଦେଇଥିଲେ ବିଜୟିନୀ। ହେଲେ ଦିନକୁ ଦିନ ବିଜୟିନୀର ସ୍ବାସ୍ଥ୍ୟରେ ଅବନ୍ନତି ଘଟୁଛି। ସେ ଆଉ ହାତଗୋଡ଼ ବି ହଲାଉନି। ଏବେ ଝିଅଟି ଏକ ଏନ୍‌ଜିଓ ସଂସ୍ଥା ହେପାଜତରେ ଅଛି। ହେଲେ ତା’ର ସ୍ବାସ୍ଥ୍ୟରେ ଉନ୍ନତି ହେଉନଥିବାରୁ ଏହି ମାମଲା ରହସ୍ୟଘେରରେ ରହିଯିବାର ଆଶାଙ୍କା ରହିଛି।

ଏପଟେ ମା, ଝିଅଙ୍କ ଘର କେଉଁଠି, କିଏ ସେମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା କିଛି ବି ଜାଣିପାରୁନି ପୁଲିସ। ବର୍ଷକ ଭିତରେ ସାମାନ୍ୟତମ ସୁରାକ୍‌ ବି ପୁଲିସ ପାଇପାରିନି। ଫଳରେ ଏହି ମାମଲା ବନ୍ଦ ହେବାକୁ ବସିଛି। ତେବେ ଏ ନେଇ ସଦର ଏସ୍‌ଡିପିଓ କେକେ ହରିପ୍ରସାଦଙ୍କ କହିବା କଥା ହେଲା; ଏବେ ବି ତଦନ୍ତ ଚାଲିଛି। ମା’ ଝିଅ ଓଡ଼ିଶ‌ାର ହୋଇଥିଲେ ସେମାନଙ୍କ ପରିଚୟ ମିଳିଯାଇଥାନ୍ତା। ହେଲେ ଏ ଯାଏ ପରିଚୟ ମିଳିନଥିବାରୁ ସେମାନେ ରାଜ୍ୟ ବାହାର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ବାହାର ରାଜ୍ୟରେ ସେମାନଙ୍କ ପରିଚୟ ଖୋଜିବା ପାଇଁ କଣ କରାଯିବ ସେ ନେଇ ଆଲୋଚନା ଚାଲିଛି। ରାଜ୍ୟ ବାହାରେ ପୋଷ୍ଟର ଲଗାଇବା ସହ ଆନ୍ତଃରାଜ୍ୟ ପୁଲିସକୁ ଏଥିରେ ସାମିଲ କରାଯାଇ ପାରିଲେ ସେମାନଙ୍କ ପରିଚୟ ମିଳିପାରିବ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର