ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୫୬%

୧୫ ଜିଲ୍ଲାରୁ ୬୩ ସଂକ୍ରମିତ ଚିହ୍ନଟ, ୨ ଜଣଙ୍କ କରୋନା ମୃତ୍ୟୁ ଘୋଷଣାକୁ ନେଇ ଚର୍ଚା

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁସ୍ଥ ବ୍ୟକ୍ତିଙ୍କ ହାର ଏବେ ୫୬ ପ୍ରତିଶତକୁ ବୃଦ୍ଧି ପାଇଛି। ଆଜି ୯୦ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସମୁଦାୟ ସଂଖ୍ୟା ୯୭୭ରେ ପହଞ୍ଚିଛି। ଏହା ସକ୍ରିୟ ରୋଗୀଙ୍କଠାରୁ ଅଧିକ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୬୩ଜଣ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ୧୭୨୩ରେ ପହଞ୍ଚିଛି।

ରାଜ୍ୟରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରେ ୧୧, ଢେଙ୍କାନାଳରେ ୯, ନୟାଗଡ଼ରେ ୭, ବଲାଙ୍ଗୀର ୬, ଗଞ୍ଜାମ ୪, ବାଲେଶ୍ବର ଓ କଟକରେ ୩ ଲେଖାଏଁ, ସୁନ୍ଦରଗଡ଼ ୨, ପୁରୀ, ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସମୁଦାୟ ୬୩ ପଜିଟିଭ୍‌ରୁ ୬୧ଜଣ ସଙ୍ଗରୋଧ କେନ୍ଦ୍ର ଓ ୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ୨୭ ବର୍ଷର ଏହି ଯୁବକଜଣକ ମୁମ୍ବାଇରୁ ଫେରିଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ଆସିଥିବା ୧୩ଜଣ ଯାତ୍ରୀ, ୧୨ଜଣ ନିକଟତମ ସହଯାତ୍ରୀ ଓ ସଙ୍ଗରୋଧ କେନ୍ଦ୍ରର ୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମରେ ୩୯୮, ଯାଜପୁରରେ ୨୫୩, ବାଲେଶ୍ବର ୧୪୨, ଖୋର୍ଧା ୧୨୨ ଓ ଭଦ୍ରକରେ ୧୦୬ଜଣ, କଟକରେ ୮୯, ପୁରୀରେ ୮୬ଜଣ କରୋନା ପଜିଟିଭ୍ ରହିଛନ୍ତି।

ତେବେ ରାଜ୍ୟରେ ୨ଜଣ କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲାରେ ୭୨ ବର୍ଷର ଜଣେ ବୃଦ୍ଧ ରକ୍ତ କର୍କଟ ସମେତ ଅନ୍ୟ ରୋଗରେ ପୀଡ଼ିତ ଥିଲେ। ପରବର୍ତୀ ସମୟରେ ସେ କ‌ରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ମୃତ୍ୟୁ ଅଡିଟ୍‌ ରିପୋର୍ଟରେ କରୋନା ନୁହେଁ ବରଂ ରକ୍ତ କର୍କଟରେ ସଂପୃକ୍ତ ବ୍ୟକ୍ତିଜଣକ ପ୍ରାଣ ହରାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଖୋର୍ଧା ଜିଲ୍ଲାର ୪୨ ବର୍ଷର ବ୍ୟକ୍ତିଜଣକ ଦୀର୍ଘ ଦିନ ହେବ ଯକୃତ ଓ ହେପାଟାଇଟିସ୍‌-ବିରେ ପୀଡ଼ିତ ଥିଲେ। ମୃତ୍ୟୁ ଅଡିଟ୍‌ ରିପୋର୍ଟରେ ତାଙ୍କର ଦୀର୍ଘ ଦିନ ଧରି ପୀଡ଼ିତ ଥିବା ରୋଗରେ ପ୍ରାଣ ହରାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ ଯେଉଁ ୭ଜଣଙ୍କର ମୃତ୍ୟୁ ହୋଇଛି, ତହିଁରୁ ଅଧିକାଂଶ କୋ-ମର୍ବିଡିଟି ବା ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ସେସବୁ ମୃତ୍ୟୁକୁ କିନ୍ତୁ କରୋନା ଜନିତ ମୃତ୍ୟୁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯଦିଓ ସଂପୃକ୍ତ ଦୁଇଜଣ କରୋନାରେ ସଂକ୍ରମିତ ଥିଲେ, ହେଲେ ଦୁଇଜଣଙ୍କ ମୃତ୍ୟୁର ପ୍ରଥମ କାରଣ କରୋନା ନୁହେଁ। ଦୁହେଁ ଦୀର୍ଘଦିନ ଧରି ଅନ୍ୟ ଜଟିଳ ରୋଗରେ ପୀଡ଼ିତ ରହିଥିବାରୁ ସେହିଥିରେ ହେଁ ତାଙ୍କର ମୃତ୍ୟୁ ହୋଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଆଜି ୯୦ଜଣ କାରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଜଗତସିଂହପୁରରୁ ୨୩, ଯାଜପୁର ୨୨, ଭଦ୍ରକ ୨୧, ଗଞ୍ଜାମ ୧୫, କଟକ ୩, ଖୋର୍ଧା ଓ ସମ୍ବଲପୁର ୨ଜଣ ଲେଖାଏଁ, ବାଲେଶ୍ବର ଓ ନୟାଗଡ଼ରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର