ରାଜ୍ୟରେ କଡ଼ାକଡ଼ି ହେଉଛି ଟ୍ରାଫିକ ଯାଞ୍ଚ: ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ୪୩୦୦୦ ଟଙ୍କା ଜରିମାନା

ସମ୍ବଲପୁର: ରାଜ୍ୟ ସରକାରଙ୍କ ନିର୍ଦେଶାନୁସାର ରବିବାରଠାରୁ ସମଗ୍ର ରାଜ୍ୟରେ ଟ୍ରାଫିକ ଯାଞ୍ଚ କଡ଼ାକଡ଼ି ହେଉଛି। ଏହି ପରିପ୍ରେକ୍ଷୀରେ ସୋମବାର ସମ୍ବଲପୁର ଟାଉନ୍‌ ଥାନା ଲକ୍ଷ୍ମୀଟକିଜ୍‌ ନିକଟରେ ପରିବହନ ବିଭାଗ ଓ ଟ୍ରାଫିକ ପୁଲିସ୍‌ ପକ୍ଷରୁ ମିଳିତ ଯାଞ୍ଚ ଚାଲିଥିଲା। ଏହି ସମୟ‌ରେ ସ୍କୁଲରୁ ପରୀକ୍ଷା ଦେଇ ଫେରୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ର(୧୬) ପୁଲିସ୍‌ ହାବୁଡ଼‌ରେ ପଡ଼ିଯାଇଥିଲେ। ଫଳରେ ଡ୍ରାଇଭିଂ ଲାଇସେନ୍ସ ନଥିବା, ନାବଳକ ଗାଡ଼ି ଚାଳନା ଆଦି ନିୟମ ଉଲ୍ଲଂଘନ ମାମଲାରେ ପରିବହନ ବିଭାଗ ତାଙ୍କଠାରୁ ୪୩ ହଜାର ଟଙ୍କାର ଜରିମାନା ଆଦାୟ କରିଛି। ତେବେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ପ୍ରଥମ ଥର ପାଇଁ ଜଣେ ନାବାଳକ ଗାଡ଼ି ଚାଳକଙ୍କୁ ପରିବହନ ବିଭାଗ ପକ୍ଷରୁ ଜରିମାନା ଆଦାୟ କରାଯାଇଛି।

ଛାତ୍ରଜଣଙ୍କ ସମ୍ବଲପୁର ସହରର ଏକ ସ୍କୁଲରୁ ପରୀକ୍ଷା ଦେଇ କ୍ଷେତରାଜପୁର ଦଲଦଲିପଡ଼ାସ୍ଥିତ ଘରକୁ ଫେରୁଥିବା ସମୟରେ ଲକ୍ଷ୍ମୀଟକିଜ ନିକଟରେ ଚାଲିଥିବା ମିଳିତ ଚେକିଂରେ ଧରାପଡ଼ିଯାଇଥିଲେ। ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା, ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କା, ବିନା ହେଲମେଟରେ ଗାଡ଼ି ଚାଳନା ଯୋଗୁଁ ୧ ହଜାର ଟଙ୍କା, ବିନା ଇନ୍‌ସ୍ୟୁରାନ୍ସରେ ଗାଡ଼ି ଚାଳନା ପାଇଁ ୨ ହଜାର ଟଙ୍କା, ନାବାଳକ ଗାଡ଼ି ଚାଳନା ପାଇଁ ୨୫ ହଜାର ଟଙ୍କା ମିଶି ମୋଟ ୪୩ ହଜାର ଟଙ୍କାର ଜରିମାନା ଲାଗିଥିଲା। ଏନେଇ ପରିବହନ ବିଭାଗ ପକ୍ଷରୁ ନାବାଳକଙ୍କ ବାପାଙ୍କୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର