ରାଜ୍ୟରେ ବଢ଼ୁଛି ଚୋରା ମାଉଜର୍‌ କାରବାର : କିଙ୍ଗ୍‌ପିନ୍‌ ପାଖରେ ପହଞ୍ଚି ପାରୁନି ପୁଲିସ

ଭୁବନେଶ୍ୱର : ରାଜ୍ୟରେ ଚୋରା ମାଉଜର୍‌ କାରବାର ବଢ଼ି ଚାଲିଛି। ଛୋଟମୋଟ ଚେନ୍‌ ଲୁଟେରାଙ୍କଠାରୁ ଆରମ୍ଭ କରି ଗ୍ୟାଙ୍ଗ୍‌ଷ୍ଟର, ବାଲିମାଫିଆ, ବିଲଡର୍‌ ଏପରିକି କଲେଜ ଛାତ୍ରମାନେ ମଧ୍ୟ ଅଣ୍ଟାରେ ମାଉଜର୍‌ ଖୋସିଲେଣି। ମାଉଜର୍‌ ଦେଖେଇ କାହାକୁ ଅପହରଣ କରାଗଲାଣି ତ କାହାଠାରୁ ଦାଦାବଟି ପାଇଁ ଧମକ ଦିଆଗଲାଣି। ବିଶେଷକରି ଏବେ ରାଜଧାନୀ ସମେତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ରାଉରକେଲା ଭଳି ସହରର ଅପରାଧୀମାନେ ଖଣ୍ଡା, ଭୁଜାଲି ଛାଡ଼ି ମାଉଜର୍‌ ଧରିଲେଣି। କଥା କଥାକେ ଫୁଟାଉଛନ୍ତି ଗୁଳି। ବିଭିନ୍ନ ସମୟରେ ପୁଲିସ ଏକାଧିକ ଅପରାଧୀମାନଙ୍କଠାରୁ ମାଉଜର୍‌ ଓ ଗୁଳିଗୋଳା ଆଦି ଜବତ କରୁଥିଲେ ମଧ୍ୟ ପ୍ରକୃତରେ ଏହା କେଉଁଠୁ ଆସୁଛି, କେମିତି ଆସୁଛି, କିଏ ଆଣୁଛି ଏ ସମ୍ପର୍କରେ ପୁଲିସ ଅଧିକ ଖୋଳତାଡ଼ କରିବାକୁ ଉଦ୍ୟମ କରିନାହିଁ। ଫଳରେ ପୁଲିସ ଚୋରା ମାଉଜର୍‌ ର‍୍ୟାକେଟ୍‌ର ମୂଳ ଯାଏ ପହଞ୍ଚି ପାରିନାହିଁ। ଯାହା ଫଳରେ ରାଜ୍ୟରେ ଏବେ ଚୋରା ମାଉଜର୍‌ କାରବାର ବଢ଼ିବାରେ ଲାଗିଛି। ଶହଶହ ସଂଖ୍ୟାରେ ମାଉଜର ରାଜ୍ୟକୁ ଅବାଧ ଚାଲାଣ ହେଉଛି।

ମିଳିଥିବା ସୂଚନା ମୁତାବକ, ଓଡ଼ିଶାକୁ ବିହାରର ମୁଙ୍ଗେରରୁ ଚୋରା ବନ୍ଧୁକ ଆସିଥାଏ। ବିହାରରେ ୨ରୁ ୩ ହଜାର ଟଙ୍କାରେ ମିଳୁଥିବା ମାଉଜର୍‌ ଏଠାରେ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି ହୁଏ। ବିଶେଷକରି ଇଂଜିନିୟରିଂ ଛାତ୍ରମାନେ ଏହି ଚୋରା ମାଉଜର୍‌ କାରବାରରେ ଲିପ୍ତ ରହୁଛନ୍ତି। ଅଧିକାଂଶ ବିହାରର ଛାତ୍ରମାନେ ମୁଙ୍ଗେରରୁ ମାଉଜର୍‌ ମଗାଇ ଏଠାରେ ବିକ୍ରି କରିଥାନ୍ତି। ଏହା ଛଡ଼ା ଅପରାଧ ଦୁନିଆରେ ନୂଆ କରି ପାଦ ଥାପୁଥିବା ଅପରାଧୀମାନେ ବିହାର ଯାଇ ବସ୍‌ ମାଧ୍ୟମରେ ଚୋରା ବନ୍ଧୁକ କିଣି ଆଣିଥାନ୍ତି। ଅନ୍ୟପକ୍ଷରେ ବିହାରର କେତେକ ଚୋରା ବନ୍ଧୁକ ବ୍ୟବସାୟୀମାନେ ଏଠାକୁ ଆସି ସେମାନଙ୍କ ଦଲାଲଙ୍କୁ ଚୋରା ବନ୍ଧୁକ ଯୋଗାଇଥାନ୍ତି।

ବିଶେଷକରି ୨୦୧୦ ପରେ ପରେ ରାଜ୍ୟରେ ଅପରାଧୀମାନେ ଅଣ୍ଟାରେ ବନ୍ଧୁକ ଖୋସିବା ଆରମ୍ଭ କରିଥିଲେ। ଏପରିକି କିଛି ଅପରାଧୀ ଖୋଲାରେ ବନ୍ଧୁକ ଧରିବା ସହିତ ସାଧାରଣରେ ଆତଙ୍କ ମଧ୍ୟ ସୃଷ୍ଟି କରିଥିଲେ।

ଅନୁଗୁଳ ପୁଲିସ ୨୦୧୫ରେ ରାଜ୍ୟରେ ଚାଲୁଥିବା ଏକ ବଡ଼ ଧରଣର ଚୋରା ମାଉଜର୍‌ କାରବାର ର‍୍ୟାକେଟ୍‌ର ପର୍ଦାଫାସ କରିଥିଲା। ୪୫ଟି ମାଉଜର୍‌ ଜବତ କରିବା ସହିତ, ଏକ ହଜାର ଗୁଳି ଜବତ କରିଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବିହାର ମୁଙ୍ଗେରର ଥିଲେ। ସେହିପରି ୨୦୧୪ ମସିହାରେ କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀରେ ଅପରେସନ୍‌ ବ୍ଲାକ୍‌ ସ୍ମୋକ୍‌ ଓ ଅପରେସନ୍‌ ତ୍ରିଶୂଲ ଆରମ୍ଭ ହୋଇଥିଲା। ୨୦୧୪ ମସିହାରୁ ଏବେ ଯାଏ କମିସନରେଟ୍‌ ପୁଲିସ ୩୭୬ଟି ମାଉଜର୍‌ ଜବତ କରି ସାରିଲାଣି।

ଏହି କିଛି ବର୍ଷରେ ପୁଲିସ ଏତେ ସଂଖ୍ୟକ ଚୋରା ବନ୍ଧୁକ ଜବତ କରିବା ଘଟଣାରୁ ସ୍ପଷ୍ଟ ଯେ ଓଡ଼ିଶା ଏବେ ଚୋରା ବନ୍ଧୁକ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପୁଲିସ କେବଳ ହାତ ଗଣତି କେତେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଦେଉଛି। କିନ୍ତୁ ଯେଉଁ କିଙ୍ଗପିନ୍‌ ବିହାରରେ ବସି ରାଜ୍ୟକୁ ଚୋରା ମାଉଜର୍‌ ପଠାଉଛନ୍ତି। ସେମାନଙ୍କୁ ଗିରଫ କରିବାକୁ ପୁଲିସ ସକ୍ଷମ ହୋଇ ପାରୁନାହିଁ।

ସମ୍ବନ୍ଧିତ ଖବର