ରାଜ୍ୟ ଖାଦ୍ୟ ଯୋଜନାରେ ୧୧ ଲକ୍ଷ ହିତାଧିକାରୀ, ଅଧିକ ସାମିଲ୍‌ ପାଇଁ କ’ଣ ଯୋଜନା ଅଛି ଜଣାଅ: ହାଇକୋର୍ଟ

କଟକ : ଖାଦ୍ୟ ସୁରକ୍ଷା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ନ ପଡ଼ନ୍ତି, ତା’ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୩ ଲକ୍ଷ ୪୪ ହଜାର ଯୋଗ୍ୟ ହିତାଧିକାରୀ ସାମିଲ୍‌ ହୋଇ ପାରି ନଥିବାବେଳେ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୮, ଅକ୍ଟୋବର ମାସରୁ ଆରମ୍ଭ କରିଥିଲେ। ୨୫ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ଯୋଜନାରେ ସାମିଲ ପାଇଁ ‌ଲକ୍ଷ୍ୟ ରଖାଯାଇଥିଲା। ମାତ୍ର, ୧୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଗତ କିଛିମାସରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଆଜି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ‌ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି , ସେ ନେଇ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।

ଗତ ୨ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଏବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୧ ଲକ୍ଷ ୩୬ ହଜାର ୬୨୨ ହିତାଧିକାରୀ ରହିଛନ୍ତି। କିନ୍ତୁ ବହୁ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ପାରି ନଥିବା ବେଳେ ଏହି ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠରେ ତଥ୍ୟ ଉଲ୍ଲେଖ କରାଯାଇ ନଥିଲା। ଫଳରେ, ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ କ’ଣ ଆକ୍ସନ ପ୍ଳାନ୍ ବା କାର୍ଯ୍ୟଯୋଜନା ରହିଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ମାଧ୍ୟମରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଶିଶୁମାନେ କିଭଳି ଭାବେ ପୁଷ୍ଟିକର ଖାଦ୍ୟ ପାଇପାରିବେ, ସେ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨, ଜାନୁଆରି ୬କୁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ସଚିବଙ୍କ ତରଫରୁ ଗତ ଏପ୍ରିଲ ୧୨ରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୫, ନଭେମ୍ବର/ଡିସେମ୍ବରରେ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଥିଲେ। ଏଭଳି ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୮, ଅକ୍ଟୋବର ମାସରୁ ଆରମ୍ଭ କରିଥିଲେ। ରାସନ କାର୍ଡ ନଥିବା ୧୧.୧୦ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଲୋକଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୫୩,୦୦୦ ପରିବାରର ୧୧ ଲକ୍ଷ ୧୦ ହଜାର ୭ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇ ମୁଣ୍ଡପିଛା ୫ କିଲୋ ଚାଉଳ ପ୍ରତି ମାସରେ ପ୍ରଦାନ କରାଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର