ଲୋକ ଅଦାଲତ: ରାଜ୍ୟରେ ୧ ଲକ୍ଷ ୪୧ ହଜାର ୮୯୯ ମାମଲା ଫଏସଲା

କଟକ : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧ ଲକ୍ଷ ୪୧ ହଜାର ୮୯୯ଟି ମାମଲାର ଆପୋସ ବୁଝାମଣାରେ ଫଏସଲା କରାଯାଇଛି।

ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରାରାଜ୍ୟରେ ୧ ଲକ୍ଷ ୪୧ ହଜାର ୮୯୯ ମାମଲାର ଫଏସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୧୨୦ କୋଟି ୫୭ ଲକ୍ଷ ୬୮ ହଜାର ୫୮୧ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍‌-ମୋକଦ୍ଦମାସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ଫଏସଲା କରାଯାଇଛି। ଫଏସଲା ହୋଇଥିବା ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରେ ୨୧୫ ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ), ୧୩୧୮ଟି ଚେକ୍ ବାଉନ୍ସ, ୫୪୨ଟି ବ୍ୟାଙ୍କ ଋଣ, ୯୭୩ଟି ମୋଟରଯାନ ଦୁର୍ଘଟଣାଜନିତ, ୭୦୮ଟି ପାରିବାରିକ ଓ ବୈବାହିକ ବିବାଦ, ୩୬ଟି ଭୂମି ଅଧିଗ୍ରହଣ ବିବାଦ, ୧୦ଟି ବିଦ୍ୟୁତ୍‌, ଜଳ ସଂପର୍କିତ, ୯୭ଟି ଶ୍ରମ ଓ ନିୟୋଜନ ସଂପର୍କିତ, ୧ ଲକ୍ଷ ୨୧ ହଜାର ୫୫୮ଟି ରାଜସ୍ବ ସଂପର୍କିତ ମାମଲା, ୧୭୦୧ଟି ଅନ୍ୟାନ୍ୟ ଦେୱାନୀ ଓ ୧୦୦୫୬ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା, ୨୦୨ଟି ଉପଭୋକ୍ତା ବିବାଦ ମାମଲା ଅନ୍ତର୍ଭୁକ୍ତ। ଏହି ମାମଲାଗୁଡିକର ଶୁଣାଣି କରାଯାଇ ଆପୋସ ସହମତି ଆଧାରରେ ଫଏସଲା କରାଯାଇଛି। ପ୍ରାକ୍‌-ମୋକଦ୍ଦମାସ୍ତରୀୟ ୮୪ ହଜାର ୫୩୧ଟି ମାମଲା ମଧୢରୁ ୪ ହଜାର ୪୮୩ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଏସଲା କରାଯାଇଛି। ସେହିଭଳି ୨ ଲକ୍ଷ ୫ ହଜାର ୬୪୨ଟି ବିଚାରାଧୀନ ମାମଲା ମଧୢରୁ ୧ ଲକ୍ଷ ୩୭ ହଜାର ୪୧୬ଟି ମାମଲା ଆପୋସ ବୁଝାମଣାରେ ଫଏସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସର ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର