ଶଙ୍କର ଜାତୀୟ ବାଛୁରି ପ୍ରଜନନରେ ତ୍ରୁଟି, ୨୦ ଅସୁସ୍ଥ

ବାଲିଅନ୍ତା : ବାଳକାଟି ଓ ବେଣୁପୁରସ୍ଥିତ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଏବେ ଶତାଧିକ ନବ ଜନ୍ମିତ ଶଙ୍କରଜାତୀୟ ବାଛୁରି ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଜନ୍ମର ୧୫ ଦିନ ପରେ ମଧ୍ୟ ବାଛୁରି ଭଲ କରି ଠିଆ ହୋଇ ଗାଈଠୁ କ୍ଷୀର ଖାଇ ପାରୁନଥିବା ସଂପୃକ୍ତ ଗୋପାଳକମାନେ ଅଭିଯୋଗ କରିଛନ୍ତି । ଗର୍ଭ ଅବସ୍ଥାରେ ଦୁର୍ବଳତାର ଶିକାର ହେଉଥିବା ଏହି ବାଛୁରିମାନଙ୍କ ମଧ୍ୟରୁ ମଧ୍ୟ କେତେକ ଜନ୍ମର ମାତ୍ର କିଛି ଦିନ ପରେ ମରିଗଲେଣି । ଜଣେ ବରିଷ୍ଠ ପଶୁ ଚିକିତ୍ସା ଅଧିକାରୀଙ୍କ କହିବାନୁଯାୟୀ ସିମେନ ସଂଗ୍ରହ ଏବଂ ସଂରକ୍ଷଣ ବେଳେ ତ୍ରୁଟି ଯୋଗୁ ବାଛୁରିଗୁଡ଼ିକ ରୋଗାକ୍ରାନ୍ତ ହେବାର ଏକ ପ୍ରମୁଖ କାରଣ ।
ଅନ୍ୟପକ୍ଷରେ ବାଲିଅନ୍ତା ଅଞ୍ଚଳରେ ଥିବା ପଶୁ ସଂପଦ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କର ଚିକିତ୍ସା ନେଇ ବିଶେଷ ଯତ୍ନ ନିଆଯାଉ ନଥିବାରୁ ଅନେକ ବାଛୁରି ଜନ୍ମ ପରେ ମରିଯାଉଥିବା ଗୋପାଳକମାନଙ୍କ ନିକଟରୁ ସୂଚନା ମିଳିଛି । ଏଭଳି ସ୍ଥିତିରେ ଗୋପାଳନ କରି କୁଟୁମ୍ବ ପ୍ରତିପୋଷଣ କରୁଥିବା ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି । ବାଲିଅନ୍ତା ବ୍ଲକ ଅଧୀନ ସରକଣା ଓ ପୁରଣ ପଧାନ ପଞ୍ଚାୟତରେ ଏହିଭଳି ୨୦ଟି ବାଛୁରି ରୋଗାକ୍ରାନ୍ତ ହୋଇଛନ୍ତି। ରଣପୁର ଗ୍ରାମର ଅଗାଧୁ ବେହେରାଙ୍କର ୨ଟି ବାଛୁରି ଜନ୍ମର ମାତ୍ର ୩ ଦିନ ପରେ ମୃତ୍ୟୁ ହୋଇଯାଇଛି । ସେହିପରି ଏହି ଗ୍ରାମର ଭୀମ ସେନାପତିଙ୍କର ମଧ୍ୟ ୨ଟି ବାଛୁରି ଜନ୍ମ ହେବାର ୧୫ ଦିନ ପରେ ମଧ୍ୟ ଠିଆ ହୋଇ ଗାଈଠୁ କ୍ଷୀର ଖାଉ ନାହାନ୍ତି। ସେହିପରି ବେଣୁଧର ବେହେରା , ନାଲୁ ବେହରାଙ୍କର ବାଛୁରି ସମେତ ଆଉ କେତେକ ଗୋପାଳକଙ୍କ ବାଛୁରି ମଧ୍ୟ ଏହି ଦୁର୍ବଳତାର ଶିକାର ହୋଇଛନ୍ତି । ସ୍ଥାନୀୟ ବ୍ରାହ୍ମଣସୁଅାଁଲୋ ଓ ଶିଶିଲୋ ଗ୍ରାମର ମଧ୍ୟ ଆଉ ୮ଟି ବାଛୁରି ଦୁର୍ବଳତାଜନିତ ଅସୁସ୍ଥତାରେ ପୀଡ଼ିତ ହୋଇଛନ୍ତି। ଏହିଭଳି ସମଗ୍ର ବ୍ଲକ ଅଞ୍ଚଳରେ ଆହୁରି ଶତାଧିକ ବାଛୁରି ଅସୁସ୍ଥ ଥିବାର ସୂଚନା ମିଳିଛି । ତୁରନ୍ତ ଏହାର ଅନୁସନ୍ଧାନ କରି ଜିଲ୍ଲା ପଶୁ ସଂପଦ ବିକାଶ ଅଧିକାରୀ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର