ଶିଶୁମାନଙ୍କ ପାଇଁ କରୋନା ପଞ୍ଜିକା ଉନ୍ମୋଚିତ

ଭୁବନେଶ୍ୱର : କରୋନା ସମୟରେ ନ୍ୟାୟାଳୟ ଓ ସରକାରଙ୍କ ଦ୍ବାରା ଜାରି ଉପଦେଶାବଳୀକୁ ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନେ ଭଲ କରି ପାଳନ କରିଆସୁଛନ୍ତି। ଯାହାଯୋଗୁଁ କୋଭିଡ୍‌-୧୯ ପ୍ରତିହତ କରିବାରେ ସେମାନେ ସକ୍ଷମ ହୋଇପାରିଛନ୍ତି। ଏ ନେଇ ଆଜି ଅନୁଷ୍ଠିତ ଶିଶୁ ସୁରକ୍ଷା ଅଧିକାରୀମାନଙ୍କ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ପାଇଁ କରୋନା କାଳର ପଞ୍ଜିକା ଉନ୍ମୋଚନ କରିଛନ୍ତି। ସପ୍ତାହର ୭ ଦିନ ଶିଶୁମାନେ କିଭଳି ଶୃଙ୍ଖଳିତ ଜୀବନଚର୍ଯ୍ୟାର ଅନୁପାଳନ କରି ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ପଞ୍ଜିକାରେ ସୁନ୍ଦର ଚିତ୍ର ପ୍ରଦର୍ଶିତ ହୋଇଛି। କୋଭିଡ୍‌ ସମୟରେ ଅଧିକରୁ ଅଧିକ କିପରି ଶିଶୁମାନଙ୍କ ଯତ୍ନ ନିଆଯାଇପାରିବ, ସେ ନେଇ ଅଂଶୀଦାରମାନେ ପ୍ରଚେଷ୍ଟା ଜାରି ରଖିବା ପାଇଁ ଶ୍ରୀମତୀ ଗର୍ଗ ଆହ୍ବାନ ଦେଇଛନ୍ତି।

ରାଜ୍ୟର ୨୪୧ଟି ପଞ୍ଜୀକୃତ ଶିଶୁଯତ୍ନ ଅନୁଷ୍ଠାନରେ ୮ ହଜାର ୪୯୯ ଜଣ ଶିଶୁଙ୍କୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯାଇଛି। ଏହି ଅନୁଷ୍ଠାନଗୁଡ଼ିକରୁ ୩୧ ଜଣ ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଏହାସହିତ ଦଶମ ବୋର୍ଡ଼ ପରୀକ୍ଷାରେ ୮୪% ଶିଶୁ କୃତକାର୍ଯ୍ୟ ହୋଇଛନ୍ତି। ଏସବୁ ଅନୁଷ୍ଠାନମାନଙ୍କରେ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଅନେକ ନିୟମାବଳୀ ପ୍ରଣୟନ କରିବା ସହ ଏସବୁ ଅନୁଷ୍ଠାନକୁ ରିହାତି ଦରରେ ଚାଉଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ, ଯୁଗ୍ମ ଶାସନ ସଚିବ ଗୀତାରାଣୀ ପଟ୍ଟନାୟକ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର