ସଡ଼କ ଦୁର୍ଘଟଣା : ୧୦ ବର୍ଷରେ ୪୩୩୧୨ ଲୋକଙ୍କ ଜୀବନହାନି

ଭୁବନେଶ୍ୱର : ଦଶବର୍ଷ ମଧ୍ୟରେ ଓଡ଼ିଶାରେ ୮୨ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯାଇଛି। ମୋଟରଯାନ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ୪୮୬ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି। ଏହି ବର୍ଷଗୁଡ଼ିକରେ ରାଜ୍ୟରେ ଲକ୍ଷାଧିକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪୩ ହଜାରରୁ ଅଧିକ ଲୋକ ମରିଛନ୍ତି। ବିଧାୟକ ଦୀଲ୍ଲିିପ ରାୟ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ମୁତାବକ ୨୦୦୮ ବର୍ଷରେ ରାଜ୍ୟରେ ୮୧୮୧ଟି ସଡ଼କ ଦୁର୍ଘଟଣା ଦରଜ କରାଯାଇଥିବା ବେଳେ ଏଥିରେ ୩୦୭୯ ଲୋକ ମରିଥିଲେ। ଏହା ସହିତ ୪୩୬୩ ଜଣ ଗୁରୁତର ଭାବେ ଓ ୫୫୯୪ ଜଣ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ। ଏହି ସଂଖ୍ୟା ବଢ଼ି ବଢ଼ି ୨୦୧୭ ବର୍ଷରେ ୧୦୮୫୫ଟି ସଡ଼କ ଦୁର୍ଘଟଣା ଦରଜ ହୋଇଥିବା ବେଳେ ସେହି ବର୍ଷରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଥିଲା ୪୭୯୦ । ଏହି ବର୍ଷ ୫୪୧୨ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୫୭୯୨ ଜଣ ସାମାନ୍ୟ ଆହତ ହୋଇଥିଲେ। ୨୦୧୮ ବର୍ଷର ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାରେ ୮୨୯୨ଟି ସଡ଼କ ଦୁର୍ଘଟଣା ଦରଜ ହୋଇଥିବା ବେଳେ ୩୮୧୭ ଜଣ ଲୋକ ମରିଥିଲେ। ଏହି ସମୟ ମଧ୍ୟରେ ୮୭୧୮ଜଣ ଆହତ ହୋଇଥିଲେ। ମୋଟାମୋଟି ଭାବେ ଓଡ଼ିଶାରେ ୨୦୦୮ରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୧,୦୪,୭୧୩ଟି ସଡ଼କ ଦୁର୍ଘଟଣାରେ ୪୩,୩୧୨ ଜଣଙ୍କ ମୃତ୍ୟୁ ଘଟିଥିବା ପରିବହନ ମନ୍ତ୍ରୀ ସ୍ବୀକାର କରିଛନ୍ତି।

ପରିବହନ ମନ୍ତ୍ରୀ ପୁଣି ଦର୍ଶାଇଛନ୍ତି ଯେ ୨୦୦୯-୧୦ ବର୍ଷରେ ବିନା ଲାଇସେନ୍ସରେ ଗାଡ଼ିଚାଳନା କରୁଥିବା ବେଳେ ୮୩୪୨ ଜଣ ଧରାପଡ଼ିଥିଲେ। ସେମାନଙ୍କଠାରୁ ୪୧ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଥିଲା। ସେହି ବର୍ଷରେ ବେପରୁଆ ଦ୍ରୁତ ଗାଡ଼ିଚାଳନା ଅଭିଯୋଗରେ ୨୨୪୮ଜଣଙ୍କୁ ଧରାଯାଇଥିଲା ଏବଂ ସେମାନଙ୍କଠାରୁ ସାଢ଼େ ୧୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଥିଲା। ଏ ନେଇ ମୋଟ୍ ୧୦୯୪ଟି ମାମଲା ରୁଜୁ ହୋଇଥିଲା। ତେବେ ୨୦୧୬-୧୭ ବର୍ଷରେ ପରିବହନ ବିଭାଗ କର୍ତୃପକ୍ଷଙ୍କ ଯାଞ୍ଚ ବେଳେ ୩୧,୩୨୧ଟି ବିନା ଲାଇସେନ୍ସ ଗାଡ଼ିଚାଳନା ଘଟଣା ଧରିବା ସହିତ ୧୭୨ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଥିଲା। ସେହିପରି ୨୩,୧୮୦ଟି ଦ୍ରୁତ ଓ ବେପରୁଆ ଗାଡ଼ିଚାଳନା ମାମଲା ଧରାଯିବା ସହିତ ୨୩୮ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଥିଲା। ମୋଟାମୋଟି ଭାବେ ଏହି ବର୍ଷରେ ଏ ସଂକ୍ରାନ୍ତୀୟ ୭୩୬୬ଟି ମାମଲା ରୁଜୁ ହୋଇଥିଲା। ୨୦୦୯-୧୦ରୁ ୨୦୧୬-୧୭ ମଧ୍ୟରେ ଏଥିପାଇଁ ୮୨,୭୬୨ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର