ସତ୍‌ସଙ୍ଗ ମଣିଷକୁ ଅନ୍ଧବିଶ୍ୱାସ ଓ କୁସଂସ୍କାରର ଅଜ୍ଞାନତାରୁ ମୁକ୍ତି ଦେବ: ରାଜ୍ୟପାଳ

ଜଳେଶ୍ଵର ସତ୍‌ସଙ୍ଗ ବିହାରରେ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାବେଶ

ଜଳେଶ୍ୱର: ଯିଏ ନିଜକୁ ଭଲପାଉ ନାହିଁ, ସେ କେବେ ବି ଦୁନିଆକୁ ଭଲ ପାଇପାରିବ ନାହିଁ। ପ୍ରତି ମଣିଷ ନିଜ ଚରିତ୍ର ଓ ବ୍ୟବହାରକୁ ତର୍ଜମା କରିବା ଉଚିତ। ଅଜ୍ଞାନତା ଭିତରେ ବୁଡ଼ି ନରହି ଆଧ୍ୟାତ୍ମିକ ଭାବକୁ ନିଜ ଭିତରେ ଜାଗ୍ରତ କରିବାକୁ ଦରକାର। ଧନସମ୍ପତ୍ତି କେତେ ଅଛି; ତାକୁ ରାତିରେ ଶୋଇବା ବେଳେ ଗଣିବା ଛାଡ଼ି ସମାଜ ପାଇଁ ତା’ର ଅବଦାନ କ’ଣ, ସେନେଇ ଅନୁଶୀଳନ କରିବା ଆବଶ୍ୟକ। ସତ୍‌ସଙ୍ଗ ଯେ ମଣିଷକୁ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଅଜ୍ଞାନତାରୁ ମୁକ୍ତିଦେବ, ଏ କଥାକୁ ହୃଦୟଙ୍ଗମ କରିବାକୁ ପଡ଼ିବ। ଆଉ ଏଥିପାଇଁ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ହିଁ ଏକମାତ୍ର ମାଧ୍ୟମ ବୋଲି ଆଜି ଜଳେଶ୍ଵର ସତ୍‌ସଙ୍ଗ ବିହାର ପକ୍ଷରୁ ଆୟୋଜିତ ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ ସମାବେଶ ଏବଂ ସତ୍‌ସଙ୍ଗ ସମାରୋହରେ ଯୋଗଦେଇ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି।

ଜଳେଶ୍ଵର ସତ୍‌ସଙ୍ଗ ବିହାରର ମୁଖ୍ୟ ପରିଚାଳକ ସପ୍ରଋ ଅଧ୍ୟାପକ କେଦାର ନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ‌ଦେଇ ବକ୍ତବ୍ୟ ରଖିଥିବା ବେଳେ ଅନ୍ୟତମ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମଣିଷ ଅଣନିଃଶ୍ବାସୀ ହୋଇ ଆଧୁନିକତା ପଛରେ ଦୌଡ଼ୁଛି। ବିଜ୍ଞାନ, କାରିଗରୀ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଣିଷ ଉଲ୍ଲେଖନୀୟ ଅଗ୍ରଗତି କରିଛି। ତଥାପି ସୁସ୍ଥ ସମାଜ ଗଠନ ପାଇଁ ଭଲ ମଣିଷ ଖୋଜା ଚାଲିଛି। ଏହି ସବୁ ସମସ୍ୟାର ସମାଧାନ ଯୁଗ ପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର କରିଯାଇଛନ୍ତି ବୋଲି ସେ କହିଥିଲେ। ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଲଙ୍ଗଳେଶ୍ବର ସତ୍‌ସଙ୍ଗ ବିହାରର ମୁଖ୍ୟ ପରିଚାଳକ ସଞ୍ଜୟ ପାତ୍ର ଏବଂ ବାଲେଶ୍ଵର ଜିଲ୍ଲା ସତ୍‌ସଙ୍ଗ ବିହାରର ମୁଖ୍ୟ ଡ. ଅଜିତ କୁମାର ଦାସ ଉପସ୍ଥିତ ଥିଲେ। ରାଜକୁମାର ମଣ୍ଡଳ ଓ ବିବେକାନନ୍ଦ ରାୟ ଗୋଷ୍ଠୀ ସଙ୍ଗୀତ ଗାନ କରିଥିବା ବେଳେ ସପ୍ରଋ ଗଣେଶ ଚନ୍ଦ୍ର ଜେନା, ପରିମଳ ରଞ୍ଜନ ଭୂୟାଁ, ମୁରଲୀଧର ଦାସ ଓ ରାସବିହାରୀ ଚକ୍ରବର୍ତ୍ତୀ ପ୍ରମୁଖଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର