ସମଗ୍ର ପଶ୍ଚିମ ଓଡ଼ିଶା ତତଲା କଡ଼େଇରେ ପରିଣତ ହୋଇଥିବା ବେଳେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ପ୍ରଳୟଙ୍କରୀ ଚକ୍ରବାତ ଫନି ଉପକୂଳ ଓଡ଼ିଶାରେ ତଣ୍ଡାବ ରଚାଇ ଯିବା ପରେ ପରେ ଏବେ ସମଗ୍ର ପଶ୍ଚିମ, ଆଭ୍ୟନ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମ ପ୍ରବାହ ଆଜି ମଧ୍ୟ ଅବ୍ୟାହତ ରହିଛି। ଗତକାଲି ଟିଟଲାଗଡ଼ର ତାପମାତ୍ରା ୪୫ ଡିଗ୍ରି ରେକର୍ଡ କରା ଯାଇଥିଲା, ଯାହାକି ସମଗ୍ର ରାଜ୍ୟରେ ସର୍ବାଧିକ ଥିଲା।

ଆଜି ବି ଶୁକ୍ରବାର ଠାରୁ ସମଗ୍ର ପଶ୍ଚିମ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ତାତି ଏମିତି ଅସହ୍ୟ ହେଲାଣି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ରାଜ୍ୟର ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇଥିବା ଗ୍ରାଷ୍ମପ୍ରବାହ ଏବେ କେନ୍ଦ୍ରୀୟ ଓଡ଼ିଶାକୁ ବି ନିଜ କବ୍‌ଜାକୁ ନେଇଗଲାଣି। ଟିଟିଲାଗଡ଼ ପରେ ଆଜି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ତତଲା କଡ଼େଇରେ ପରିଣତ ହୋଇଛି। ସକାଳ ପହରୁ ଏହି ସମସ୍ତ ଜିଲ୍ଲାରେ ଲଗାତାର ଭାବେ ବଢ଼ି ଚାଲିଛି ତାପମାତ୍ରା। ଗତ ଦୁଇଦିନ ମଧ୍ୟରେ ଏହି ସମସ୍ତ ଜିଲ୍ଲାରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ଯାଇଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନ ୧୦ଟା ପରେ ପରେ ଆକାଶରୁ ସତେ ଯେମିତି ନିଆଁ ବର୍ଷା ହେଉଛି। ଦିନରେ ପଦାକୁ ବାହାରି ହିଁ ପାରୁନାହାନ୍ତି ଲୋକେ।

Weather India

ଏ ପରିସ୍ଥିତିରେ ଆରମ୍ଭ ହୋଇଥିବା ଗ୍ରୀଷ୍ମ ପ୍ରବାହ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅବ୍ୟାହତ ରହିବ ଏବଂ ସ୍ଥଳ ବିଶେଷରେ ଏହି ସମସ୍ତ ଜିଲ୍ଲାର ତାପମାତ୍ରା ୪୫ ଡିଗ୍ରି ସେଲସିୟସ୍‌କୁ ବି ଅତିକ୍ରମ କରିଯାଇ ପାରେ ବୋଲି ଆଜି ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଅଂଶୁଘାତର ଆଶଙ୍କା ରହିଥିବାକୁ ଦିନ ୧୦ଟା ପରେ ଘରୁ ପଦାକୁ ନ ବାହାରିବା ସହ ରୋଗୀ, ବୃଦ୍ଧ ଓ ଶିଶୁମାନଙ୍କର ବିଶେଷ ଧ୍ୟାନ ନେବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର