ସମଲେଇ ମନ୍ଦିର ଛାତ ଭୁଶୁଡ଼ିବା ଘଟଣା: ପରିଦର୍ଶନ କଲେ କଳିକେଶ, କହିଲେ- ମନ୍ଦିରର ଟଙ୍କାରେ ବିକାଶ କରାଯାଉ

ମାଁଙ୍କ ଭୋଗ ପାଇଁ ମାସିକ ୨୪୦୦ ଟଙ୍କା

ବଲାଙ୍ଗୀର: ବଲାଙ୍ଗୀରର ଶତାଧିକ ବର୍ଷ ପୁରୁଣା ମାଁ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଶୁଡ଼ିବା ଘଟଣାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନୂଆ ମନ୍ଦିର ନିର୍ମାଣ ତଥା ଉନ୍ନୟନ କାମ ପାଇଁ ବିଭିନ୍ନ ମହଲରେ ଦାବି ଉଠିଛି। ତେବେ ମାଁ ସମଲେଶ୍ୱରୀଙ୍କ ମନ୍ଦିରର ହିଁ ୧କୋଟି ୧୪ ଲକ୍ଷ ଟଙ୍କା ଦେବୋତ୍ତର ବିଭାଗ ପାଖରେ ରହିଛି। ପ୍ରଥମେ ମାଁଙ୍କ ଟଙ୍କା ମାଁଙ୍କ ମନ୍ଦିର ନିର୍ମାଣରେ ଖର୍ଚ୍ଚ କରାଯିବା ସହ ସ୍ୱତନ୍ତ୍ର ଅନୁଦାନ ଦେବାକୁ ଦାବି ହୋଇଛି। ଏହା ସହ ମନ୍ଦିରର ସବୁ ଷ୍ଟଲରୁ ଆଦାୟ ହେଉଥିବା ଟଙ୍କା ମନ୍ଦିରର ଖର୍ଚ୍ଚ ପାଇଁ ଲଗାଗଲେ ବିକାଶ ହୋଇପାରିବ ବୋଲି ମତ ରଖିଛନ୍ତି ମନ୍ଦିର କମିଟିର କର୍ମକର୍ତ୍ତା। ସବୁଠୁ ଦୁଃଖର କଥା ମାଁଙ୍କ ଭୋଗ ପାଇଁ ଦେବୋତ୍ତର ବିଭାଗ ମାସିକ ମାତ୍ର ୨୪୦୦ ଟଙ୍କା ଦେଉଥିବା କହିଛନ୍ତି ଟଙ୍କଧର ଦିଶ୍ରୀ।

ମାଁ ସମଲେଇ, ମାଁ ପାଟଣେଶ୍ୱରୀଙ୍କ ମାସିକ ଭୋଗ ଖର୍ଚ୍ଚ ବାବଦରେ ୨୪ ଶହ ଟଙ୍କା ସହାୟତା ଦେଉଛି ଦେବୋତ୍ତର ବିଭାଗ। ଏହି ଟଙ୍କାରେ ମନ୍ଦିରର ପୂଜାରୀ ଦିନକୁ ଚାରିଥର ଭୋଗ ଓ ଆଳତି ପାଇଁ ଖର୍ଚ୍ଚ କରିଥାନ୍ତି। ଅର୍ଥାତ ଦିନକୁ ମାଁଙ୍କ ପାଇଁ ମାତ୍ର ୮୦ଟଙ୍କା ଖର୍ଚ୍ଚ କରୁଛି ଦେବୋତ୍ତର ବିଭାଗ। ଅନ୍ୟପକ୍ଷରେ ମାଁଙ୍କ ନୀତିକାନ୍ତି ତଥା ପୂଜାର୍ଚ୍ଚନା ପାଇଁ ମନ୍ଦିରର ପୂଜାରୀଙ୍କୁ ମାତ୍ର ୫ ଶହ ଟଙ୍କା ମାସିକ ବେତନ ପ୍ରଦାନ କରୁଛି। ମନ୍ଦିରର ସେବକ ହୋଇଥିଲେ ହେଁ ଦିନକୁ ମାତ୍ର ୧୬ ଟଙ୍କାରେ କାମ କରୁଛନ୍ତି। ମନ୍ଦିରର ପୂଜକ ହୋଇଥିଲେ ସୁଦ୍ଧା ଜଣେ ଦିନ ମଜୁରିଆଠାରୁ ବହୁ କମ ଅର୍ଥରେ ସେବା କାର୍ଯ୍ୟ ଯୋଗାଇ ଦେଉଥିବା  ସମଲେଇ ମନ୍ଦିରର ପୂଜାରୀ ଟଙ୍କଧର ଦିଶ୍ରୀ, ପାଟଣେଶ୍ୱରୀ ମନ୍ଦିରର ପୂଜାରୀ ମଳୟ ଦିଶ୍ରୀ ଅଭିଯୋଗ କରିଛନ୍ତି।

ବର୍ଷ ବର୍ଷ ଧରି ଏହି ଶକ୍ତିପୀଠକୁ ଅବହେଳା କରାଯାଇ ଆସୁଥିବା ବେଳେ ମନ୍ଦିର ଭୁଶୁଡ଼ିଲା ପରେ ଅନେକ ଲୋକଙ୍କ ଚେତା ପଶିଛି। ଶନିବାର ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ସହ ବିଜେଡିର କର୍ମକର୍ତ୍ତାମାନେ ଆସି ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ସମସ୍ୟା ସମ୍ପର୍କରେ ପୂଜାରୀଙ୍କଠାରୁ ପଚାରି ବୁଝିବା ସହ ସ୍ଥିତି ପରଖିଥିଲେ। ଯେତିକି ସ୍ଥାନ ରହିଛି ପାଖାପାଖି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଯୋଜନା ପ୍ରସ୍ତୁତ କରି ମାଁଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ ହେବ। ଏଥି ପାଇଁ ପୂର୍ବତନ ସାଂସଦ ଶ୍ରୀ ସିଂହଦେଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ କଥା ହୋଇ ଖୁବଶୀଘ୍ର ଏ ସମ୍ପର୍କରେ ପଦକ୍ଷେପ ନେବେ ବୋଲି କହିଥିଲେ। ଫୋନ୍‌ରେ ଉଚ୍ଚ ପଦାଧିକାରୀଙ୍କ ସହ ବି ସେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର