ସମ୍ବଲପୁର ପୁଲିସ ହାତରେ ଜାଲ୍‌ ନୋଟ୍‌ ଗ୍ୟାଙ୍ଗ୍‌, ୧୩ ଲକ୍ଷ ୮୫ ହଜାର ଜାଲ ନୋଟ୍ ଜବତ, ୬ ଗିରଫ

ସମ୍ବଲପୁର : ସମ୍ବଲପୁର ପୁଲିସ ହାତରେ ଲାଗିଛି ବଡ଼ଧରଣର ଜାଲ୍‌ ନୋଟ କାରବାର। ଟାଉନ ପୁଲିସ ଜାଲ୍‌ ନୋଟ୍‌ କାରବାର କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୧୩ ଲକ୍ଷ ୮୫ ହଜାର ଟଙ୍କା ମୂଲ୍ୟର ଜାଲ ନୋଟ୍ ଜବତ କରିଛି। ଜବତ ନକଲି ନୋଟ୍‌ ମଧ୍ୟରେ ୬୦୦ଟି ୨ହଜାର ଟଙ୍କିଆ, ୩୬୨ଟି ୫୦୦ ଟଙ୍କିଆ, ୪୪ଟି ୧୦୦ ଟଙ୍କିଆ ଏବଂ କିଛି ୨ ଶହ ଟଙ୍କିଆ ନୋଟ୍‌ ରହିଛି। ତେବେ ଆହୁରି ଲକ୍ଷ ଲକ୍ଷ ଟଙ୍କା ଏହି ଗ୍ୟାଙ୍ଗ ଦ୍ବାରା ଛପାଯାଇ ବଜାରକୁ ଛଡ଼ାଯାଇଥିବା ସୂଚନା ପାଇବା ପରେ ପୁଲିସ ଯାଞ୍ଚ ଜାରି ରଖିଛି। ଏହି ମାମଲାରେ ପୁଲିସ ବରଗଡ଼ ଜିଲ୍ଲାର ୪ ଜଣ ଏବଂ ଛତିଶଗଡ଼ ଜିଲ୍ଲାର ୨ ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତଙ୍କୁ କୋର୍ଟରେ ହାଜର ପରେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ସମ୍ବଲପୁର ପୁଲିସ ଯୋଜନା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଲକ୍ଷ୍ମୀ ଟକିଜ୍‌ ଛକରେ ଥିବା ଏକ ଚା ଦୋକାନରୁ ଜାଲ୍‌ ନୋଟ୍‌ କାରବାର କରୁଥିବା ଏହି ଗ୍ୟାଙ୍ଗର ଗୁମର ଫିଟିଥିଲା। ଶନିବାର ସକାଳ ୧୦ ସମୟରେ ୨ ଜଣ ଯୁବକ ଲକ୍ଷ୍ମୀଟକିଜ୍‌ର ଏକ ଚା ଦୋକାନରେ ଚା ଓ ବିସ୍କୁଟ୍‌ ମୋଟ ୨୦ ଟଙ୍କାର ଖାଇଥିଲେ। ଦୋକାନୀ ଜଣକ ଟଙ୍କା ମାଗିବାରୁ ଜଣେ ଯୁବକ ଶହେ ଟଙ୍କିଆ ନୋଟ୍‌ ଗୋଟିଏ ଦେଇଥିଲା। ନୋଟ୍‌ ଧରିବା ପରେ ଦୋକାନୀଙ୍କ ସନ୍ଦେହ ହେବାରୁ ଏହା ଜାଲ୍‌ ବୋଲି କହିବା ସହ ଠକୁଛ ବୋଲି କହିଥିଲେ। ଏତିକିରେ ଝଗଡ଼ା ଆରମ୍ଭ ହୋଇଥିଲା। ପରେ ଚା ଦୋକାନୀ ଜଣକ ଟଙ୍କା ଦେଇଥିବା ବରଗଡ଼ ଭଟଲି ଥାନା ଗୋପାଳପୁରର ସାଗର ସାହୁ(୨୬)କୁ ଧରି ଟାଉନ୍‌ ଥାନାକୁ ଆସି ଅଭିଯୋଗ କରିଥିଲା। ଏହାପରେ ଟାଉନ୍‌ ପୁଲିସ ପଚରାଉଚରା କରିବା ସହ ସାଗରକୁ ଯାଞ୍ଚ କରିଥିଲା। ତା’ ପାଖରୁ ପୁଲିସ ଯାଞ୍ଚ କରିବା ବେଳେ ୧୮୦୦ ଟଙ୍କା ମୂଲ୍ୟର ଜାଲ୍‌ ନୋଟ୍‌ ପାଇଥିଲା। ଏହାପରେ ସବୁ ଗୁମର ଫିଟିଥିଲା।

ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କ ଦ୍ବାରା ଏକ ଟିମ୍‌ ଗଠନ କରାଯାଇଥିଲା। ଗ୍ୟାଙ୍ଗକୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଉକ୍ତ ଟିମ୍‌ ଚଢ଼ଉ କରିଥିଲା। ଏହାପରେ ଏକ ହୋଟେଲ୍‌ରେ ଚଢ଼ଉ କରିବା ପରେ ପୁଲିସ ହାତରେ ଲାଗିଥିଲା ବଡ଼ସଫଳତା। ଜାଲ୍‌ ନୋଟ୍‌ ଜେରକ୍ସ କରାଯାଉଥିବା ମେସିନ୍‌କୁ ପୁଲିସ ଜବତ କରିବା ସହ ଗ୍ୟାଙ୍ଗ୍‌କୁ ଗିରଫ କରିଥିଲା। ସାଗର ସମେତ ବରଗଡ଼ ଭଟଲି ଥାନା ଗୋପାଳପୁରର ଅଶୋକ ସାହୁ(୨୭), ବରଗଡ଼ ଆମ୍ବାଭୋନା ଥାନା କୁମ୍ଭୋର ଶିବ ଶଙ୍କର ବନିଆ(୩୦), ଆମ୍ବାଭୋନା ଥାନା କାଶୀପାଲିର ଗୁଣନିଧି ଭୋଇ ଓରଫ୍‌ ଆଫି(୩୮), ଛତିଶଗଡ଼ ରାୟଗଡ଼ ଜିଲ୍ଲା କୋଶିର ଅଞ୍ଚଳର ସତ୍ୟନାରାୟଣ ନିରାଲା(୨୬) ଓ ଅଭିରାମ ଝାଙ୍ଗଡେ(୪୮)କୁ ପୁଲିସ ଗିରଫ କରିଛି। ଅଶୋକ ପାଖରୁ ୫ ହଜାର, ଶିବ ପାଖରୁ ୮୯ ହଜାର, ଆଫି ପାଖରୁ ୫୦ ହଜାର, ସତ୍ୟ ପାଖରୁ ୮ ଲକ୍ଷ ଏବଂ ଅଭିରାମ ପାଖରୁ ୪ ଲକ୍ଷ ୪୬ ହଜାର ଟଙ୍କା ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର