ସରକାରଙ୍କ ବିରୋଧରେ ତାତିଲେ ଚାଷୀ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନ ୨ ମହିଳାଙ୍କ ସହ ୭୦ ଚାଷୀଙ୍କ ଉପବାସ

ସମ୍ବଲପୁର: ଚାଷୀଙ୍କ ଧର୍ଯ୍ୟର ସୀମା ଟପିଛି। ତୀବ୍ର ହୋଇଛି ଅସନ୍ତୋଷ। ଆଉ ଶେଷରେ କର ବା ମର ସ୍ଥିତିକୁ ଓହ୍ଲାଇ‌ଛନ୍ତି ଚାଷୀ। ମଂଗଳବାର ଚାଷୀ କ୍ଷୋଭର ପ୍ରତିଫଳନ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ। ଫସଲ ବୀମା ରାଶି ପ୍ରଦାନ ସମେତ ୭ ଦଫା ଦାବିରେ ଚାଷୀ ଆରମ୍ଭ କରିଛନ୍ତି ରିଲେ ଅନଶନ। ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ପ୍ରକାଶ ଯେ, ୪୫ ଦିନ ମଧ୍ୟରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାର ନିୟମ ରହିଛି। ମାତ୍ର ୯ ମାସ ପରେ ମଧ୍ୟ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଚାଷୀଙ୍କୁ ଏହି ବୀମା ରାଶି ମିଳିନାହିଁ। ବରଂ ବାରଂବାର ଚାଷୀଙ୍କ ହକ୍ ଓ ଦାବିକୁ ଅଣଦେଖା କରାଯାଉଛି। ରାଜ୍ୟ ସରକାର ନିଜ ମୁଣ୍ଡରୁ ଦୋଷ ଏଡ଼ାଇ ପାଇଁ କୃଷି ବୀମା ସମ୍ପର୍କିତ ରିପୋର୍ଟକୁ କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି। ସରକାର ଏଭଳି ଦୋଷ ଛଡ଼ା ନୀତି ଅବଲମ୍ବନ କରି ଚାଷୀଙ୍କ ‘ରିସ୍‌ମି’ (କ୍ରୋଧ) ବଢ଼ାଇଛନ୍ତି ବୋଲି ଆନ୍ଦୋଳନସ୍ଥଳରେ ଉଦ୍‌ବେଗ ପ୍ରକାଶ କରାଯାଇଛି। ଭୁବନେଶ୍ବର କିମ୍ବା ଦିଲ୍ଲୀରେ ବସି ଚାଷୀଙ୍କ ପାଇଁ ବୈଠକ କଲେ ଚଳିବ ନାହିଁ। ତୃଣମୂଳ ସ୍ତରରେ ଥିବା ଲୋକଙ୍କ ଅବସ୍ଥା ବୁଝିବାକୁ ପଡ଼ିବ। ନହେଲେ, ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ‌ ହେବ। ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଥିବା ରିଲେ ଅନଶନରେ ଏଭଳି ଚରମବାଣୀ ଶୁଣାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଫସଲ ବୀମା ସମେତ ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଂଗଳବାର ଆରମ୍ଭ ହୋଇଥିବା ରିଲେ ଅନଶନର ପ୍ରଥମ ଦିନରେ ୨ ଜଣ ମହିଳା ଚାଷୀ ସୁରଭା ଭୋଇ ଓ ସ୍ନିଗ୍ଧା ପଟେଲଙ୍କ ସମେତ ୭୦ ଜଣ ଚାଷୀ ଉପବାସ ରହିଥିଲେ। ସେମାନଙ୍କ ସମର୍ଥନରେ ସମ୍ବଲପୁର ଜିଲ୍ଲାର ୯ଟି ଯାକ ବ୍ଲକର ଶହ ଶହ ଚାଷୀ ସାମିଲ ହୋଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ପରାମର୍ଶଦାତା ଅଶୋକ ପ୍ରଧାନ ବିକ୍ଷୋଭ ସଭାରେ କହିଛନ୍ତି। ଆବଶ୍ୟକ ହେଲେ ଚାଷୀ ଅସନ୍ତୋଷ ଦିଲ୍ଲୀ ଦରବାର ଯାଏ ପହଞ୍ଚିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କୁଚିଣ୍ଡା ଉପଖଣ୍ଡ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ୧୬୦ କୋଟି ଟଙ୍କା ପାଇବାକୁ ହକଦାର। ମାତ୍ର ଏହି ଉପଖଣ୍ଡର ୪୯ ପଞ୍ଚାୟତର ୧୨ ହଜାର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ସଂପର୍କରେ ଏଯାଏ କୌଣସି ରିପୋର୍ଟ ସୁଦ୍ଧା ଆସିନାହିଁ। ଏହାର ପ୍ରତିବାଦରେ କୁଚିଣ୍ଡା ମହାବନ୍ଦ ଏବଂ ରେଳରୋକୋ କରାଯାଇଥିଲା। ଏହା ସତ୍ତ୍ବେ ସରକାର ଅଣଦେଖା କରିଆସିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବୀମା ବ୍ୟବସ୍ଥାକୁ କମ୍ପାନି ହାତରେ ଟେକି ଦେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମୋଦି ସରକାର କମ୍ପାନି ହାତରେ ବିକ୍ରି ନହୋଇ ନିଜ ଦାୟିତ୍ବ ନିର୍ବାହ କରନ୍ତୁ ବୋଲି ବିକ୍ଷୋଭ ସମାବେଶରେ ସମାଲୋଚନା କରାଯାଇଥିଲା। ସମଗ୍ର ଜିଲ୍ଲାରେ କ୍ରପ କଟିଂ ରିପୋର୍ଟ ଆଧାରରେ ଖରିଫ ଫସଲର ବୀମା ଅର୍ଥ ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଘରୋଇକରଣ ବନ୍ଦ, ସ୍ୱାମୀନାଥନ କମିସନର ସୁପାରିସ ଅନୁଯାୟୀ ଧାନର ଦରବୃଦ୍ଧି, ମଣ୍ଡି ବ୍ୟବସ୍ଥାକୁ ସମୁନ୍ନତ ବିକେନ୍ଦ୍ରିତ ଓ ମଜଭୁତ କରି ଧାନ ବିକ୍ରି ସମସ୍ୟାକୁ ଦୂର, ଧାନ ଦର ବୃଦ୍ଧି, ଓଡ଼ିଶା ଚାଷୀଙ୍କୁ ବୋନସ, ଚାଷୀ ଖାଉଟି ଓ ଦେଶ ବିରୋଧୀ ରିଜିଓନାଲ କମ୍ପରିହେନ୍ସିଭ ଇକୋନୋମିକ ପାର୍ଟନରସିପ ଫ୍ରି ଟ୍ରେଡ଼ ଏଗ୍ରିମେଣ୍ଟରୁ କେନ୍ଦ୍ର ସରକାର ବିରତ ହେବା ପ୍ରଭୃତି ଦାବି ଉପସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର