‘ସର୍ଦ୍ଦାର ପଟେଲ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଦେଶ ବିଶ୍ବରେ ଏକ ନମ୍ବର ହୋଇଥାନ୍ତା’

ଓଡ଼ିଶାରେ ‘ଏକତା ପାଇଁ ଦୌଡ଼’

ଭୁବନେଶ୍ୱର: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ, ଭାରତ ବିଶ୍ବର ମହାଶକ୍ତି ହୋଇସାରନ୍ତାଣି। ଯେଉଁ ସର୍ଦ୍ଦାରଙ୍କ କାରଣରୁ ଦେଶରେ କୃଷି, ସମବାୟ, ସୁରକ୍ଷା ଓ ପ୍ରଶାସନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆସିଥିଲା, ସେହି ସର୍ଦ୍ଦାରଙ୍କୁ ଦେଶ ମନେ ପକାଇ ନ ଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଯୋଗୁଁ ବିଶ୍ବର ସବୁଠୁ ଉଚ୍ଚ ପ୍ରତିମୂର୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସ୍ଥାପନ କରାଯାଇ ଲୋକଙ୍କ ମଧ୍ୟରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସଂକଳ୍ପର ଆହ୍ୱାନ କରି ସର୍ଦ୍ଦାରଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦେଇଛନ୍ତି। ଓଡ଼ିଶାର ନୀଳଗିରି ମଧ୍ୟ ସର୍ଦ୍ଦାର ପଟେଲଙ୍କର ସହ ଦୃଢ଼ତାର ସହ ଠିଆ ହୋଇଥିଲା। ଦେଶର ପ୍ରଥମ ଦେଶୀୟ ରାଜ୍ୟ ଭାବେ ବାଲେଶ୍ୱରର ନୀଳଗିରି ସର୍ବଭୌମ ଭାରତର ଅଂଶ ହୋଇଥିଲା। ଯୁଦ୍ଧ ଜାହାଜ ଆଇଏନଏସ ନୀଳଗିରି ତାହାର ପ୍ରମାଣ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଭୁବନେଶ୍ବରରେ ଆୟୋଜିତ ରନ୍ ଫର୍ ୟୁନିଟି(ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଚେଷ୍ଟାରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫(କ)ଅସ୍ଥାୟୀ ଭାବେ ଉଚ୍ଛେଦ ହୋଇପାରିଛି। ଫଳରେ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଭାରତର ଆଇନ ବ୍ୟବସ୍ଥାରେ ସାମିଲ ହୋଇଛି। ପୂର୍ବରୁ ଧାରା ୩୭୦ ରହିଥିବାରୁ ଦେଶରେ ହୋଇଥିବା ଆଇନ ବ୍ୟବସ୍ଥା ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରୁ ନଥିଲା। ସାରା ଭାରତରେ ଝିଅଙ୍କୁ ମିଳୁଥିବା ଅଧିକାର ଜମ୍ମୁ-କଶ୍ମୀରରେ ନଥିଲା। ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସହିଦ ବାଜି ରାଉତ, ବକ୍ସି ଜଗବନ୍ଧୁ, ସହିଦ ଭଗତ ସିଂହ, ମଙ୍ଗଲ୍ ପାଣ୍ଡେ, ସର୍ଦ୍ଦାର ପଟେଲ, ଡ. ହରେକୃଷ୍ଣ ମହତାବ ଓ ପଣ୍ଡିତ ଗୋପବନ୍ଧୁ ଦାସ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

ଉତ୍ସବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ କ୍ରୀଡ଼ାବିତ୍‌ ଶରତ କମଲ, ଦୀପିକା କୁମାରୀ, ହିନା ସିନ୍ଧୁ, ଅଙ୍କୁର ମିତ୍ତଲ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ନେହରୁ ଯୁବ କେନ୍ଦ୍ରର ଅଭିଜିତ୍‌ ବୋଷ, ଅଭିନେତା‌ ସବ୍ୟସାଚ୍ଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଉପସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅର୍ଦ୍ଧ ସାମରିକ ବାହିନୀର ଯବାନ, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ, ଜନସାଧାରଣଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ। ଭୁବନେଶ୍ୱର ରେଳ ଷ୍ଟାଡିୟମଠାରୁ ଦୌଡ଼ ଆରମ୍ଭ ହୋଇ ରେଲୱେ ଅଡିଟୋରିୟମ୍‌ରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର