ସାଧାରଣ ଲୋକଙ୍କ ସୁବିଧା ପାଇଁ ନ୍ୟାୟ ପ୍ରକ୍ରିୟାରେ ବ୍ୟାପକ ପଦକ୍ଷେପ : ଏବେ ଭିଡିଓ କନଫରେନ୍ସିଂରେ ଶୁଣାଣି, ଇ-ଫାଇଲିଂ

ଅଢେଇ ମାସରେ ହେଲା ୫ ହଜାର ୩୩୫ ମାମଲାର ଫଇସଲା

କଟକ : କରୋନା ଭୂତାଣୁ ସଂକ୍ରମଣ ଦେଖା ଦେବା ଦିନ ଠାରୁ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଉଛି। କିନ୍ତୁ ସାଧାରଣ ଲୋକ ଯେଭଳି ନ୍ୟାୟିକ ବ୍ୟବସ୍ଥାରୁ ବଂଚିତ ହେବେ ନାହିଁ, ସେଥିପାଇଁ ହାଇକୋର୍ଟଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତବର୍ଷ ଗ୍ରୀଷ୍ମ ଅବକାଶ ବାତିଲ କରିବା ପାଇଁ ସମସ୍ତ ବିଚାରପତି ଫୁଲ୍ କୋର୍ଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଏବେ ଗ୍ରୀଷ୍ମ ଅବକାଶ ସମୟରେ କୋର୍ଟରେ ମାମଲାର ଶୁଣାଣି ଚାଲିଛି। ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ମାମଲା ଶୁଣାଣି ଆରମ୍ଭ କରାଯାଇଛି।

କରୋନା ଭୂତାଣୁ ଯୋଗୁଁ କଟକଣା ମଧ୍ୟରେ ସପ୍ତାହର ବିକଳ୍ପ ଦିନ ଗୁଡିକରେ (ଦୁଇଟି/ତିନୋଟି) ଖଣ୍ଡପୀଠ ବସି ମାମଲା ଶୁଣାଣି କରୁଥିଲେ। ମେ ୪ ତାରିଖରୁ ସପ୍ତାହର ପାଞ୍ଚଟି କାର୍ଯ୍ୟ ଦିବସରେ ପ୍ରତିଦିନ ୫ଟି ସିଙ୍ଗଲ ବେଞ୍ଚ ବସି ମାମଲା ଶୁଣାଣି କରିଥିଲେ। ଏଥିସହିତ ମଙ୍ଗଳବାର ଓ ଗୁରୁବାର ଗୋଟିଏ ଡିଭିଜନ୍ ବେଞ୍ଚ ବସି ମାମଲା ଶୁଣାଣି କରିଥିଲେ। ଭିଡିଓ କନଫ‌େରନ୍ସିଂ ମାଧ୍ୟମରେ ମାମଲା ଶୁଣାଣି ହେଉଥିବାବେଳେ ଘରେ ଓ ଅଫିସରେ ରହି ଖଣ୍ଡପୀଠଙ୍କ ନିକଟରେ ହାଜର ହେବା ପାଇଁ ଆଇନଜୀବୀ ଓ ମହକିଲଙ୍କୁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଏଥିସହିତ ଭିଡିଓ କନଫରେନ୍ସିଂ ଷ୍ଟୁଡିଓ ଓ ବ୍ୟବସ୍ଥା ହାଇକୋର୍ଟ ପରିସର, ବାର୍ ଆସୋସିଏସନ କାର୍ଯ୍ୟାଳୟରେ ପ୍ରତିଷ୍ଠା କରାଯାଇଛି। ନିଜ ଘରେ ଓ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ସୁବିଧା ପାଇ ପାରୁ ନଥିବା ଆଇନଜୀବୀ ଓ ମହକିଲଙ୍କ ଅଦାଲତରେ ମାମଲା ପରିଚାଳନା ସୁବିଧା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତ୍ବ ନିୟମ କଡାକଡି ପାଳନ ସହିତ ଏହି ସ୍ଥାନ ସାନିଟାଇଜେସନ୍ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ଦୂରରେ ରହି ହାଇକୋର୍ଟରେ ମାମଲା ରୁଜୁ ପାଇଁ ଇ-ଫାଇଲିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଘରେ ଓ ଅଫିସରେ ବସି ଆଇନଜୀବୀ ଓ ମହକିଲମାନେ ଇ-ଫାଇଲିଂ ବ୍ୟବସ୍ଥା ମାଧ୍ୟମରେ ନିଜ ମାମଲା ଦାୟର କରି ପାରୁଛନ୍ତି। ୨୦୨୦, ମାର୍ଚ୍ଚ ୨୪ରୁ ୨୦୨୦, ଜୁନ୍ ୪ ତାରିଖ ମଧ୍ୟରେ ହାଇକୋର୍ଟରେ ୮ ହଜାର ୪୭୭ଟି ମାମଲା ରୁଜୁ କରାଯାଇଛି। ଏଥିସହିତ ୨୮ଟି ଡିଭିଜନ୍ ବେଞ୍ଚ ଓ ୧୪୩ଟି ସିଙ୍ଗଲ ବେଞ୍ଚରେ ଶୁଣାଣି ପାଇଁ ୧୦ ହଜାର ୯୯୧ଟି ମାମଲା ପ୍ରକାଶିତ ତାଲିକାରେ ସ୍ଥାନ ପାଇଥିଲା। ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି କରାଯାଇ ୫ ହଜାର ୩୩୫ଟି ମାମଲାର ହାଇକୋର୍ଟରେ ଫୈସଲା କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିମ୍ନ ଅଦାଲତରେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବା ପାଇଁ ଆଇନଜୀବୀ ଓ ମହକିଲଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ହାଇକୋର୍ଟ ପ୍ରଦାନ କରୁଥିବା ନିର୍ଦ୍ଦେଶ ଓ ରାୟର ଡିଜିଟାଲ କପି ହାଇକୋର୍ଟ ୱେବସାଇଟରୁ ଆଇନଜୀବୀ ଓ ମହକିଲମାନେ ନେଇ ପାରୁଛନ୍ତି। ଏଥିପାଇଁ ବ୍ୟକ୍ତିଗତ ଭାବେ ହାଇକୋର୍ଟକୁ ଆସିବାକୁ ପଡୁନାହିଁ। ଏଥିସହିତ ଜରୁରୀ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ଲାଗି ଏ ସଂପର୍କିତ ମେମୋ ଓ ଆବେଦନ ଇ-ଫାଇଲିଂ ଜରିଆରେ ଦାଖଲ କରି ହେଉଛି। ବୈଷୟିକ ଜ୍ଞାନ କ୍ଷେତ୍ରରେ ଦୁର୍ବଳ ଥିବା ବ୍ୟକ୍ତି ବିଶେଷ ଓ ଆଇନଜୀବୀଙ୍କ ପାଇଁ ହାଇକୋର୍ଟ ପରିସରରେ, କଟକ ଜିଲ୍ଲା ଜଜ୍ ଅଦାଲତ ପରିସରରେ ଇ-ସେବା କେନ୍ଦ୍ର ଖୋଲା ଯାଇଛି। ଇ-କୋର୍ଟ ବ୍ୟବସ୍ଥାର ସୁବିଧା ନେଇ ନିଜ ମାମଲା ସଂପର୍କରେ ସମସ୍ତେ ଏହା ଦ୍ବାରା ଅବଗତ ହୋଇ ପାରୁଛନ୍ତି।

ସମ୍ବନ୍ଧିତ ଖବର