ସେପ୍ଟେମ୍ବର ୫ରେ ହେବ ସାଙ୍ଗଠନିକ ନିର୍ବାଚନର ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ବିଜେପିର ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ବିଧାୟକ ଓ ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନବନିଯୁକ୍ତ ଜିଲ୍ଲା ନିର୍ବାଚନ ଓ ସହ ଅଧିକାରୀମାନେ ଯୋଗଦେବେ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି।

ରାୟ କହିଛନ୍ତି ଯେ, ଦଳର ବିଭିନ୍ନ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଏହି ସାଙ୍ଗଠନିକ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ୩୦୦ରୁ ଊର୍ଧ୍ୱ ନେତୃବୃନ୍ଦଙ୍କୁ ଦାୟୀତ୍ୱ ବଣ୍ଟନ କରାଯାଇଛି। ସମାଜର ବିଭିନ୍ନ ବର୍ଗ ଯଥା- ଯୁବ, ମହିଳା. ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗୀର ନେତୃବୃନ୍ଦଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ ୩୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସହନିର୍ବାଚନ ଅଧିକାରୀ ମନୋନୀତ କରିଛନ୍ତି।

ଏହି କର୍ମଶାଳାରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ଓ ସାଂସଦ ବିନୋଦ ସୋନକାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋକପାତ କରିବେ ବୋଲି ରାୟ କହିଛନ୍ତି।

ସୂଚନାଯୋଗ୍ୟ, ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ ମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ବିୟୋଗ କାରଣରୁ ଅଗଷ୍ଟ ୨୫ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ସାଙ୍ଗଠନିକ ନିର୍ବାଚନର ରାଜ୍ୟସ୍ତରୀୟ କର୍ମଶାଳା ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର